ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି: ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଲେ ୨୪ ଘଣ୍ଟା ମଧ୍ୟରେ ହେବ ମରାମତି

ଭୁବନେଶ୍ୱର: ବାତ୍ୟା ଜଓ୍ବାଦକୁ ନେଇ ଜୋରଦାର ପ୍ରସ୍ତୁତି।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମିଶନ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ, ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ବାତ୍ୟା ‘ଜୱାଦ’ ପାଇଁ ପ୍ରସ୍ତୁତି କରିଛି ଶକ୍ତି ବିଭାଗ ।  ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି ଓ ସମୀକ୍ଷା ବୈଠକ କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୧ ହଜାର କିମି ଧରି ୩୩ କେଭି ଓ ୧୧ କେଭି ବିଦ୍ୟୁତ ଲାଇନ ଉପରେ ନଜର ଶକ୍ତି ବିଭାଗ ପକ୍ଷରୁ ଗ୍ରୀଡ଼ ମାନେଜମେଣ୍ଟକୁ ଗୁରୁତ୍ୱ କଣ୍ଟ୍ରୋଲରୁମରେ ୨୪ ଘଣ୍ଟା କର୍ମଚାରୀ ସଜାଗ ଅଛନ୍ତି । କୌଣସି ସ୍ଥାନରେ ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଲେ ୨୪ ଘଣ୍ଟା ମଧ୍ୟରେ ମରାମତି ହେବା ନେଇ ବୈଠକରେ ନିଷ୍ପତି ହୋଇଛି ।

ବାତ୍ୟା ଜୱାଦ ପାଞ୍ଚ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ଉପକୂଳ ଓଡ଼ିଶା ଯଥା- ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲା ଆଲର୍ଟରେ ରହିଛି । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କିମି ରହିପାରେ । ତେଣୁ ଏହି ସମୟରେ ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିବା ସହ ବିଦ୍ୟୁତ ବିତରଣରେ ବିଭ୍ରାଟ ସୃଷ୍ଟି ହେବାର ସମ୍ଭବନା ରହିଛି ।

Leave a comment