ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତିନି ଦଳ ପାଇଁ ‘୨୩’ରେ ଅସୀମ ଆହ୍ୱାନ: ଲଢ଼େଇ ପୂର୍ବରୁ ନିଜକୁ ଆହୁରି ଶକ୍ତିଶାଳୀ କରୁଛି ବିଜେଡି

ଭୁବନେଶ୍ୱର: ବଦଳିଛି କ୍ୟାଲେଣ୍ଡର, ପାଦ ଥାପିଛି ୨୦୨୩। ନୂଆ ବର୍ଷ ଓଡ଼ିଶାରେ ୩ ପ୍ରମୁଖ ରାଜନୈତିକ ଦଳ ପାଇଁ ଆଣିଛି ଅସୀମ ଆହ୍ୱାନ। ସାଧାରଣ ନିର୍ବାଚନ ଆଉ କେଇ ମାସ ବାକି ଥିବାରୁ ୨୦୨୩ରୁ ସବୁ ରାଜନୈତିକ ଦଳ ନିର୍ବାଚନ ମୁହାଁ ହେବେ ଓ ଏହା ହିଁ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିବାର ସମ୍ଭାବନା ଅଧିକ। ବିଜେଡି ବହୁ ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଛି। ପୁରୀରେ ଦଳର ରୌପ୍ୟ ଜୟନ୍ତୀରୁ ଦଳ ବର୍ଷକର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସାରିଛି। କେନ୍ଦ୍ର ବିରୋଧରେ ପୁଳାପୁଳା ଅଭିଯୋଗ, ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ବିଜେଡିକୁ ସହଜ ସ୍ଥିତିରେ ରଖିଛି। ଅନ୍ୟପକ୍ଷରେ ବିଜେପି ପାଇଁ ୨୦୨୩ ଆହ୍ୱାନମୂଳକ ହେବ ବୋଲି ଖୋଦ ଦଳୀୟ ନେତାମାନେ କହି ସାରିଛନ୍ତି। ପୂର୍ବ ଆସନ ବଜାୟ ରଖି ଆଗକୁ ଆଗ୍ରସର ହେବା ପାଇଁ ଦଳୀୟ ନେତାମାନେ ସ୍ୱାଭାବିକ ଉଦ୍ୟମ କରିବାର ସମ୍ଭାବନା ରହିଛି ଓ ଏଥିରେ ସେମାନେ କେତେ ସଫଳ ବା ବିଫଳ ହେବେ ତାହା ଭବିଷ୍ୟତ କହିବ। ଅନ୍ୟପକ୍ଷରେ ରାଜ୍ୟରେ କ୍ରମାଗତ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ନିଜର ଅସ୍ତିତ୍ୱ ବଞ୍ଚାଇବା ସହ ହୃତ ଗୌରବ ଫେରି ପାଇବାକୁ ସ୍ୱାଭାବିକ ପ୍ରସ୍ତୁତି ଆରମ୍ଭ କରିବ ବୋଲି ସୂଚନା ମିଳିଛି। ଅନୁରୂପ ଭାବରେ ଦିଲ୍ଲୀ, ପଞ୍ଜାବ ଓ ଗୁଜରାଟରେ ନିଜକୁ ପ୍ରମାଣିତ କରିଥିବା ଆମ୍‌‌ ଆଦ୍‌‌ମୀ ପାର୍ଟି(ଆପ୍‌‌) ଓଡ଼ିଶାରେ ସକ୍ରିୟ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।

୨୦୨୩ ଆସିବା ପୂର୍ବରୁ ବିଜେଡି ନିଜ ସଙ୍ଗଠନ ଏବଂ ପ୍ରଶାସନରେ ନୂତନ ପିଢି ନିଯୁକ୍ତିକୁ ସୁନିଶ୍ଚିତ କରିସାରିଛି। ଦଳର ପ୍ରମୁଖ କାର୍ଯ୍ୟକ୍ରମରେ ଏବେ ତୃତୀୟ ପିଢି ମଙ୍ଗ ଧରୁଛନ୍ତି। ଯାହା ରାଜ୍ୟର ଅନ୍ୟ କୌଣସି ପ୍ରମୁଖ ଦଳ ମଧ୍ୟରେ ଦେଖିବାକୁ ମିଳିନାହିଁ। ପଞ୍ଚାୟତ, ପୌର, ସମବାୟ ଏବଂ ୨ ଉପନିର୍ବାଚନରେ ଏକତରଫା ବିଜୟ ଦଳକୁ ଆହୁରି ସଂଗଠିତ କରିଛି। ଦଳର ପ୍ରତିଷ୍ଠା ଦିବସରେ ପୁରୀରେ ଲକ୍ଷାଧିକ କର୍ମୀଙ୍କ ସମାବେଶ ଉତ୍ସାହକୁ ଦ୍ୱିଗୁଣ କରିଛି। ୨୦୨୪ ସାଧାରଣ ନିର୍ବାଚନର ବର୍ଷ ହେବ। ତେଣୁ ଏହାର ଯଥେଷ୍ଟ ପୂର୍ବରୁ ସଂଗଠନକୁ ସକ୍ରିୟ କରିବା ଉପରେ ବିଜେଡି ଗୁରୁତ୍ୱ ଦେଇଛି। ‘ଓଡ଼ିଶା ମୋ ପରିବାର’ର ସାମାଜିକ କାର୍ଯ୍ୟକ୍ରମ ସହ ନିର୍ବାଚନମଣ୍ଡଳୀୱାରୀ ସାଂଗଠନିକ କାର୍ଯ୍ୟ ଦଳକୁ ଶକ୍ତିଶାଳୀ କରିଛି। ୨୦୧୯ ପରି ବିଜେଡି ବର୍ତ୍ତମାନଠାରୁ ବୁଥ୍‌‌ ସ୍ତରୀୟ ସକ୍ରିୟ କର୍ମୀଙ୍କ ଜରିଆରେ ଭୋଟର ଟ୍ୟାଗିଂକୁ ବ୍ୟାପକ ଗୁରୁତ୍ୱ ଦିଆଯାଉଛି। ପଞ୍ଚାୟତସ୍ତରୀୟ ମହିଳା ସମ୍ମିଳନୀ ନିୟମିତ କରାଯାଉଛି। ଏହା ସହିତ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଆଧାର କରି ବିଜେଡି ଭୋଟ ସଂଖ୍ୟାକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ଆରମ୍ଭ କରିଥିବା ପ୍ରଚେଷ୍ଟାକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ୨୦୨୩ରେ ବିରୋଧୀ ବିଜେପି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେବାକୁ ନକ୍ସା ପ୍ରସ୍ତୁତ କରିଛି। ଜାତୀୟସ୍ତରର ନେତା ଓ କେନ୍ଦ୍ରମନ୍ତ୍ରୀମାନେ ନିୟମିତ ବ୍ୟବଧାନରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ହୋଇଛି। ଅପରପକ୍ଷରେ ବିଜେପି ପାଇଁ ୨୦୨୩ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ପ୍ରଭାରୀ ସୁନୀଲ ବଂଶଲ ଏବଂ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନିଯୁକ୍ତି କେତେ ଫଳବତୀ ହୋଇଛି, ତାହା ଚଳିତ ବର୍ଷ ମୂଲ୍ୟାୟନ ହେବ। ବିଧାନସଭାରେ ଦୁର୍ବଳସ୍ଥିତି ସତ୍ତ୍ବେ ଯେପରି ପ୍ରଭାବଶାଳୀ ବିରୋଧୀ ମନେ ହେଉଥିବାବେଳେ ବିଜେପି ସେପରି ପ୍ରଭାବ ପ୍ରଦର୍ଶନ କରିପାରି ନାହିଁ। ରାଜନୈତିକ କୋର ଟିମ୍‌‌ ଗଠନ କରିଥିଲେ ବି ସଙ୍ଗଠନ ଉପରେ ଏହାର କୌଣସି ବଡ଼ ପ୍ରଭାବ ଦେଖିବାକୁ ମିଳିନାହିଁ। ୮ ଲୋକସଭା ଏବଂ ୨୨ ବିଧାନସଭା ସଫଳତାକୁ ବିଜେପି ବଜାୟ ରଖି ଆଗକୁ ବଢ଼ିବା ହିଁ ଦଳ ପାଇଁ ଚ୍ୟାଲେଞ୍ଜ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ରାଜ୍ୟ ବିଜେପିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହ ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ପ୍ରଭାରୀ ସୁନୀଲ ବଂଶଲ ଆଗାମୀ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିବାର ସମ୍ଭାବନା ରହିଛି। କଳାହାଣ୍ଡି, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଏବଂ ଭୁବନେଶ୍ୱର ଲୋକସଭାରେ ଦଳ ସ୍ଥିତି ଦୁର୍ବଳ ହୋଇଥିବା ମତ ପ୍ରକାଶ ପାଇଛି। ତେଣୁ ଏହି ସବୁ ଆସନ ନେଇ ଦଳ ରଣନୀତି ପରିବର୍ତ୍ତନ କରିବ ବୋଲି ଜଣାପଡ଼ିଛି।

ଅନୁରୂପ ଭାବେ କଂଗ୍ରେସ ନିଜ ଅସ୍ତିତ୍ୱ ବଜାୟ ରଖିବା ହିଁ ୨୦୨୩ର ଆହ୍ୱାନ ହେବ। ପ୍ରଭାରୀ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ ଦଳରେ ଥିବା ପ୍ରଭାବୀ ନେତାଙ୍କୁ ରଖିବା ପାଇଁ ଚେଷ୍ଟା କରିବେ। ୨୦୨୨ରେ ମହମ୍ମଦ ମୋକ୍କିମ ରାଜ୍ୟ ନେତୃତ୍ୱ ଠାରୁ ଯଥେଷ୍ଟ ଦୂରରେ ରହୁଛନ୍ତି। ନିର୍ବାଚନ ଲଢିବେ ନାହିଁ ବୋଲି ସୁର ରାଉତରାୟ ଖୋଲାଖୋଲି କହିଲେଣି। ଦଳ ଜିତିଥିବା ଏକମାତ୍ର ଲୋକସଭା କୋରାପୁଟରେ ମଧ୍ୟ ସ୍ଥିତି ବଦଳିଗଲାଣି। ଏହି ଆସନ ଦଳ ବଜାୟ ରଖିବା କଷ୍ଟକର। ନବରଙ୍ଗପୁରର ପ୍ରଦୀପ ମାଝୀ ଦଳ ଛାଡିବା ପରେ ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ଆହୁରି ଦୁର୍ବଳ ହୋଇସାରିଛି। ଉପକୂଳରେ ଦଳ ସବୁଠୁ ଦୁର୍ବଳ ସ୍ଥିତିରେ ରହିଛି। ତେଣୁ ଦଳକୁ ସଙ୍ଗଠିତ କରି ରଖିବା ହିଁ ରାଜ୍ୟ ନେତୃତ୍ୱ ପ୍ରତି ଆହ୍ୱାନ ହେବ। ଆସନ୍ତା ଫେବୃୟାରୀ ୧୮ରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବେ। ତେଣୁ କଂଗ୍ରେସ ଏକ ପ୍ରକାର କର ବା ମର ସ୍ଥିତିରେ ରହିବ ବୋଲି ମନେ ହେଉଛି।

ଏହି ସବୁ ପ୍ରମୁଖ ଦଳକୁ ବାଦ୍‌‌ ଦେଲେ ୨୦୨୩ର ପ୍ରଥମାର୍ଦ୍ଧରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ସପା ନେତା ଅଖିଳେଶ ଯାଦବ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌‌ ଏବଂ ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓଡ଼ିଶା ଗସ୍ତରେ ଆସିବେ ବୋଲି ଏକ ସୂତ୍ରରୁ ଖବର ମିଳିଛି। ଯଦି ଜାତୀୟ ସ୍ତରରେ କଂଗ୍ରେସ, ବାମ ଦଳ ଏବଂ ପ୍ରସ୍ତାବିତ ଜନତା ଦଳର ଏକତ୍ରୀକରଣ ହୁଏ, ତେବେ ଓଡ଼ିଶାରେ ଏହି ଶକ୍ତି ବିଜେପି ପାଇଁ ଅଡୁଆ ହୋଇପାରେ ବୋଲି କେତେକ ସମୀକ୍ଷକ ମତ ରଖିଛନ୍ତି।

Leave A Reply

Your email address will not be published.