କୋଭିଡ ଓ କାମ ଚାପର ବାହାନା: ଅବସରପରେ ମଧ୍ଯ ଦୌଡୁଛନ୍ତି କର୍ମଚାରୀ, ପାହାଡ଼ ଭଳି ଗଦାହେଲାଣି ପେନସନ ଫାଇଲ

ଭୁବନେଶ୍ୱର: ସୁଧୀର ଦାସ, ସଚିବାଳୟରେ ଥିବା ମୁଖ୍ୟ ଦପ୍ତରରୁ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେଲେ। କିନ୍ତୁ ଆଜକୁ ଚାରି ମାସ ହେଲା ପ୍ରତିଦିନ ପୁରୁଣା କାର୍ଯ୍ୟାଳୟକୁ ଧାଉଁଛନ୍ତି। କାରଣ ତାଙ୍କର ପେନସନ୍ ସମ୍ପର୍କିତ ଫାଇଲ ବିଭାଗର ଟେବୁଲ ଅତିକ୍ରମ କରିପାରୁ ନାହିଁ । ପଚାରିବାରୁ ସମ୍ପୃକ୍ତ ଅଧିକାରୀ କହୁଛନ୍ତି, ଏବେ କାମର ପ୍ରବଳ ଚାପ ରହିଛି। ମୋର ଦୁଇଟା ହାତ, ଯେତିକି ପାରିବି ସେତିକି କରିବି । ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ। ସୁଧୀର ବାବୁ ବିଚରା ଏତକ ଶୁଣି ଘରକୁ ଫେରୁଛନ୍ତି ଆଉ ପର ଦିନ ପୁଣି ଥରେ ଅଫିସ ଯାଇ ନିଜର ପୁରୁଣା ସହକର୍ମୀଙ୍କୁ ମନାଇବା ପାଇଁ ଉଦ୍ୟମ କରୁଛନ୍ତି। କେବଳ ଏହି ସୁଧୀର ବାବୁ ନୁହେଁ। ରାଜ୍ୟରେ ଅନେକ ସୁଧୀର ବାବୁ ନିଜ କାର୍ଯ୍ୟକାଳ ଶେଷ କରିବା ପରେମଧ୍ୟ ଧାଇଁବା ସରୁ ନାହିଁ।

ପୁଳା ପୁଳା ପେନସନ୍ ଫାଇଲ୍ ପଡ଼ି ରହିଛି। ଫଳରେ ସେମାନେ ନିଜର ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। କେବଳ ସଚିବାଳୟରେ ପ୍ରତି ମାସ ବିଭିନ୍ନ ଶ୍ରେଣୀର ୫୦ରୁ ଅଧିକ କର୍ମଚାରୀ ଅବସର ଗ୍ରହଣ କରୁଛନ୍ତି । ଅନୁରୂପ ଭାବେ ପ୍ରତି ଜିଲ୍ଲାରେ କର୍ମଚାରୀ ଅବସର ନେଉଛନ୍ତି। ନିୟମ ଅନୁସାରେ ସମ୍ପୃକ୍ତ ବିଭାଗ ଅବସର ନେଇଥିବା କମର୍ଚାରୀଙ୍କର ସର୍ଭିସ୍ ବୁକ୍ ମହା ଲେଖାକାର (ଏଜି) ଙ୍କ କାର୍ଯ୍ୟାଳୟକୁ ପଠାଇବେ। ଅନୁସନ୍ଧାନ ଶେଷ ହେବା ପରେ ପେନସନ୍ ପ୍ରଦାନ ପାଇଁ ଏଜି ଟ୍ରେଜେରୀ ନିର୍ଦ୍ଦେଶକଙ୍କୁ ସୁପାରିସ କରିଥାନ୍ତି । ତେବେ ଏହା ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ବିଭାଗରୁ ନୋ ଡିମାଣ୍ଡ ସାର୍ଟିଫିକେଟ୍ (ଏନ୍‌ଡିସି) ପ୍ରଦାନ କରିବା ଜରୁରୀ ।

ଯଦି ଜଣେ ବ୍ୟକ୍ତି ମୂଳ ବିଭାଗରୁ ଅନ୍ୟ ବିଭାଗକୁ ଯାଇ ଚାକିରି କରୁଥାନ୍ତି ତା ହେଲେ ସମସ୍ୟା ଆହୁରି ଅଧିକ। ଭିନ୍ନ ଭିନ୍ନ ସ୍ତରରୁ କ୍ଲିଅରାନ୍ସ ପାଇବା ଜରୁରୀ । ଅନେକ ଲୋକଙ୍କ କ୍ଷେତ୍ରରେ ଏକାଧିକ ଫାଇଲ୍ ଆଗକୁ ବଢ଼ିବା ଜରୁରୀ ଥାଏ। ତେବେ ଏହି ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ସତ ହେଉ କି ମିଛ, ବିଭିନ୍ନ ଆଳ ଦେଖାଇ ଫାଇଲ୍ ଆଗକୁ ବଢ଼ାଉ ନାହାନ୍ତି। ଅନେକ ଲୋକ ନିୟମିତ ଭାବେ ଜିଲ୍ଲାରୁ ରାଜଧାନୀକୁ ଦୌଡ଼ୁଛନ୍ତି। କରୋନା କଟକଣା ପାଇଁ ସେମାନେ ମୁଖ୍ୟ ଦପ୍ତର ଭିତରକୁ ପ୍ରବେଶ କରିପାରୁ ନଥିବା ବେଳେ କାକୁତି ମିନତି କରି ଚପରାସୀଙ୍କ ଜରିଆରେ ଅଧିକାରୀଙ୍କ ନିକଟରେ ନିଜ ଅଭିଯୋଗ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ।

ଅଧିକାରୀଙ୍କ ପାଖରେ କଥା ପହଞ୍ଚିବ କି ନାହିଁ ତାହା ଅନିଶ୍ଚିତ, ଆଉ ସମସ୍ତ କ୍ଷେତ୍ରରେ ଏହି ସୌଭାଗ୍ୟ ଜୁଟେ ନାହିଁ । ପେନସନ୍ ସଂସ୍କାର ପାଇଁ ରାଜ୍ୟ ସରକାର ଏକାଧିକ ବ୍ୟବସ୍ଥା କରିଛନ୍ତି। ୩୦/୩୫ ବର୍ଷ ଧରି ସରକାରୀ ଚାକିରିରେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଅବସର ନେଇଥିବା କର୍ମଚାରୀ ଯେପରି ଠିକ୍ ସମୟରେ ନିଜ ପ୍ରାପ୍ୟ ପାଇବେ ତା ବନ୍ଦୋବସ୍ତ କରିଛନ୍ତି। କିନ୍ତୁ ତଳ ସ୍ତରରେ ଥିବା କିଛି ଅଧିକାରୀ ନିଜ କର୍ତ୍ତବ୍ୟ ଠିକ୍‌ ଭାବେ ପାଳନ କରୁନଥିବା ଅଭିଯୋଗ ହୋଇଛି। ଫଳରେ ପେନସନ୍ ଫାଇଲ ସଂଖ୍ୟା ବଢ଼ିବଢ଼ି ଚାଲିଛି।

Leave a comment