କର୍ମଚାରୀଙ୍କୁ ଘରୁ କାମ କରିବାକୁ କହି ଦିଲ୍ଲୀ ଓ ମୁମ୍ବାଇ ଅଫିସ୍ ବନ୍ଦ କଲା ଟ୍ବିଟର

ନୂଆଦିଲ୍ଲୀ : ଭାରତରେ ବନ୍ଦ ହେଲା ଟ୍ବିଟର ଅଫିସ । କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ବିଟର ସିଇଓ ଏଲନ ମସ୍କ । ଭାରତରେ ଟୁଇଟରର ତିନି ଅଫିସ ମଧ୍ୟରୁ ଦୁଇଟିକୁ ବନ୍ଦ କରିଦିଆଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଅଫିସକୁ ବନ୍ଦ କରାଯାଇଥିବା ବେଳେ କେବଳ ବେଙ୍ଗାଳୁରୁରେ ଥିବା କାର୍ଯ୍ୟାଳୟ ଖୋଲା ରହିଛି।
ଖର୍ଚ୍ଚ କାଟ କରିବା ଲାଗି ଭାରତରେ ଥିବା ୩ଟି ଅଫିସ୍ରୁ ୨ଟି ଅଫିସ୍ ବନ୍ଦ କରି କର୍ମଚାରୀମାନଙ୍କୁ ଘରୁ କାମ କରିବା ଲାଗି ‘ଟୁଇଟର୍ ଇନ୍କର୍ପୋରେଟେଡ୍’ କହିଥିବା କଥା ‘ବ୍ଲୁମ୍ବର୍ଗ’ ରିପୋର୍ଟ କରିଛି। ଭାରତରେ ଥିବା ୨୦୦ରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ଏଲନ୍ ମସ୍କ୍ଙ୍କ ‘ଟୁଇଟର୍’ ୯୦%ରୁ ଅଧିକଙ୍କୁ ଗତବର୍ଷ ଶେଷ ଭାଗରେ ଛଟେଇ କରିଥିଲା।
ବର୍ତ୍ତମାନ ନୂଆଦିଲ୍ଲୀ ଓ ମୁମ୍ବାଇରେ ଥିବା କାର୍ଯ୍ୟାଳୟକୁ ମଧ୍ୟ ‘ଟୁଇଟର୍’ ବନ୍ଦ କରି ଦେଇଛି। ଏବେ କେବଳ ବେଙ୍ଗାଲୁରୁରେ ଥିବା ଅଫିସ୍ଟି ଚାଲୁଛି ଏବଂ ସେଥିରେ ଥିବା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଞ୍ଜିନିୟର୍। ୨୦୨୩ ଶେଷ ସୁଦ୍ଧା ‘ଟୁଇଟର୍’ର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ଲାଗି ଚଳାଇଥିବା ଉଦ୍ୟମର ଅଂଶବିଶେଷ ଭାବେ ଏଲନ୍ ମସ୍କ୍ ବିଶ୍ବବ୍ୟାପୀ ଅନେକ ଅଫିସ ବନ୍ଦ କରିବା ସହିତ ବହୁ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। କିନ୍ତୁ, ‘ବ୍ଲୁମ୍ବର୍ଗ’ ରିପୋର୍ଟ ସଂକ୍ରାନ୍ତରେ ପଚରା ଯିବାରୁ ‘ଟୁଇଟର୍’ ହଠାତ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ।
ଟ୍ବିଟର ସିଇଓ ଏଲନ ମସ୍କ ୨୦୨୩ ଶେଷ ସୁଦ୍ଧା ଟ୍ୱିଟରକୁ ଆର୍ଥିକସ୍ତରରେ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ କମ୍ପାନୀ ଖର୍ଚ୍ଚକୁ ହ୍ରାସ କରୁଛନ୍ତି। ସେହିପରି କର୍ମଚାରୀଙ୍କୁ ମଧ୍ୟ ବିଦା କରୁଛନ୍ତି। ଏପରି କରି ସେ କମ୍ପାନୀର ଲାଭ ବୃଦ୍ଧି କରୁଥିବା ଯୁକ୍ତି ଉପସ୍ଥାପନ କରିଛନ୍ତି।