ବିପଦରେ ଗଜରାଜ, ୧୦ ବର୍ଷରେ ମରିଛନ୍ତି ୮୪୩ ହାତୀ

ଭୁବନେଶ୍ୱର: ଗତ ୧୦ ବର୍ଷରେ ରାଜ୍ୟରେ ବିଭିନ୍ନ କାରଣରୁ ୮୪୩ ଟି ହାତୀଙ୍କର ମୃତ୍ୟୁ ହୋଇଛି। କିଛି ହାତୀଙ୍କୁ ଶିକାର କରାଯାଇଛି, କିଛି ବିଦ୍ୟୁତ୍‍ ଆଘାତରେ, କିଛି ଟ୍ରେନ ଧକ୍କାରେ ମରିଛନ୍ତି। ବୟସାଧିକ୍ୟ ଯୋଗୁଁ କିଛି ହାତୀଙ୍କ ପ୍ରାଣ ଯାଇଛି। ହାତୀଙ୍କର ଏପରି ବର୍ଧିତ ମୃତ୍ୟୁ ପରିସଂଖ୍ୟାନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗଜରାଜଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ସ୍ୱାଭାବିକ ଉଠିଛି ଉଠିଛି ପ୍ରଶ୍ନ।

ସରକାରୀ ତଥ୍ୟକୁ ବିଚାର କଲେ ୧୯୯୦ରୁ ୨୦୨୦ ମସିହାରେ ବାର୍ଷିକ ୩୩% ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୦ରୁ ୨୦୧୦ ଭିତରେ ଏହା ୪୬%କୁ ବୃଦ୍ଧି ପାଇଥିଲା। ଯାହାକି ଏବେ ୭୮%କୁ ବୃଦ୍ଧି ପାଇଛି। ୨୦୦୦ରୁ ୨୦୧୦ ଭିତରେ ରାଜ୍ୟରେ ୪୬୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ୨୦୧୦ରୁ ୨୦୨୦ ଭିତରେ ୭୮୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଯାହାକି ଏବେ ୮୪୩କୁ ବୃଦ୍ଧି ପାଇଥିବା ସରକାରୀ ରେକର୍ଡରୁ ଜଣାଯାଇଛି। ପ୍ରତିବର୍ଷ ପାଖାପାଖି ୨୦ଟି ଯୁବ ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ୨୦୧୯ରେ ଏକାଥରକେ ୨୬ଟି ଯୁବ ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ ମାସରୁ ୨୦୨୦ ଜୁନ୍‍ ମାସ ଭିତରେ ରାଜ୍ୟରେ ୮୯ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ଭିତରୁ ୪୦ଟି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ୧୮ଟି ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ୧୭ଟି ହାତୀ ଶିକାରୀ ଦ୍ୱାରା ମୃତ୍ୟୁ ହୋଇଥିବା ବେଳେ ୧୦ଟି ହାତୀ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ସେହିପରି ୪ଟି ହାତୀ ଜାତୀୟ ରାଜପଥରେ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଟ୍ରେନ୍‍ ଦୁର୍ଘଟଣାରେ ପ୍ରାଣ ହରାଇଛି।

ସେହିପରି ୨୦୨୦ରେ ରାଜ୍ୟରେ ୬୫ ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ୮ଟି ହାତୀ ବିଷ ଦିଆଯାଇ ହତ୍ୟା କରାଯାଇଛି, ଶିକାରୀ ୩ଟି ହାତୀଙ୍କୁ ମାରିଛନ୍ତି। ଅନ୍ୟ ମରିଥିବା ୧୪ଟି ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନି। ୨୦୧୮ ମସିହା ଏପ୍ରିଲରୁ ଡିସେମ୍ବର ଭିତରେ ୬୭ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଟି ହାତୀଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ୧୯ଟି ହାତୀଙ୍କର ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ୯ଟି ହାତୀଙ୍କର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ଜଣାଯାଇଛି। ୧୧ଟି ହାତୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୯ଟି ହାତୀଙ୍କର ଟ୍ରେନ୍‍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ତଥା ପରିବେଶବିତ୍‍ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ଗତ ୯ ବର୍ଷ ଭିତରେ ରାଜ୍ୟରେ ୧୭୦ରୁ ଅଧିକ ହାତୀଙ୍କର ମୃତ୍ୟୁ ଶିକାରୀ ଦ୍ୱାରା ହୋଇଛି। ମାତ୍ର ଏହି ଘଟଣାରେ ଜଣେ ହେଲେ ବରିଷ୍ଠ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଇନି କି କାହାରିକୁ ବରଖାସ୍ତ କରାଯାଇନି। ହାତୀ ସୁରକ୍ଷାରେ ଅର୍ଥ ବାଧକ ନୁହେଁ। ମନୋବୃତ୍ତି ହିଁ ମୁଖ୍ୟ ସମସ୍ୟା। ପ୍ରତିବର୍ଷ କାମ୍ପା ପାଣ୍ଠିରେ ସରକାର ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ ଏଥିରେ ହାତୀଙ୍କ ସୁରକ୍ଷା କାମ ବି ହେଉଛି। ସରକାରଙ୍କ ‘ପ୍ରୋଜେକ୍ଟ ହାତୀ’ ମଧ୍ୟ ହାତୀ ସୁରକ୍ଷା ଦିଗରେ କୌଣସି ସାହାଯ୍ୟ କରିପାରୁନି। ଏହାଛଡା ହାତୀ ସୁରକ୍ଷା ପାଇଁ ସରକାର ଯେଉଁ ଗଜବନ୍ଧୁ ଯୋଜନା କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କୁ ହାତୀ ସୁରକ୍ଷା ପାଇଁ ଯୋଡିଥିଲେ ତାହା ବି ଆଉ ଏବେ ଠିକ୍‍ ଭାବେ କାମ କରୁନି।

ଅନ୍ୟପକ୍ଷରେ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ହାତୀ- ମଣିଷ ବିବାଦର ସମାଧାନ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଭିନ୍ନ ସ୍ୱଳ୍ପ ମିଆଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇ ହାତୀଙ୍କର ସୁରକ୍ଷା ପାଇଁ କାମ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ଟି ହାତୀ କରିଡର ଚିହ୍ନଟ କରାଯାଇଛି। ସେହିପରି ୩ଟି ହାତୀ ବସତି ଚିହ୍ନଟ କରାଯାଇ ସେମାନଙ୍କର ପୁନରୁଦ୍ଧାର ପାଇଁ କାମ କରାଯାଇଛି। ମହାନଦୀ ହାତୀ ସଂରକ୍ଷଣ ଅଞ୍ଚଳ ବୃଦ୍ଧି ସରକାରଙ୍କ ବିଚାରଧୀନ ଥିବା ବେଳେ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳ ବୃଦ୍ଧି ନେଇ ସରକାର ଯୋଜନା କରୁଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଜ୍ୟସରକାର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ୫୭୮ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଆଣ୍ଟିଡିପ୍ରେଡେସନ୍‍, ଆଣ୍ଟି ପୋଚିଂ ସ୍କ୍ୱାର୍ଡ, ହାତୀ ସ୍କ୍ୱାର୍ଡ, ୧୧୫ ଜଣ ଟ୍ରେକର ରହିଛନ୍ତି। ହାତୀ ପରି ବନ୍ୟଜନ୍ତୁମାନେ ଯେପରି ଜନବସତି ଆଡକୁ ନ ଆସନ୍ତି ସେଥିପାଇଁ ସରକାର ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁ ପ୍ରବଣ ସ୍ଥାନ ଚିହ୍ନଟ କରିଛନ୍ତି ଓ ସେଠାରେ ସୋଲାର ଫେନସିଂ ଓ ଟ୍ରେଞ୍ଚ ପ୍ରସ୍ତୁତ କରିଛନ୍ତି। ଖାଲି ସେତିକି ନୁହେଁ ବନ୍ୟଜନ୍ତୁ ଆକ୍ରମଣ ପ୍ରବଣ ସ୍ଥାନର ଲୋକମାନଙ୍କୁ ଏନେଇ ସଚେତନ ମଧ୍ୟ କରାଯାଉଛି। ବିଶେଷକରି ବନ ସୁରକ୍ଷା ସମିତି ସଦସ୍ୟ, ପରିବେଶ ବିକାଶ କମିଟି ସଦସ୍ୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ, ସ୍କୁଲ ପିଲାମାନଙ୍କ ଜରିଆରେ ଏହି ସଚେତନତା ଅଭିଯାନ କରାଯାଉଛି। ହାତୀମାନଙ୍କ ଚଳପ୍ରଚଳ ବାବଦରେ ଅବଗତ ହେବା ପାଇଁ ଓ ଏ ବାବଦରେ ଗ୍ରାମବାସୀମାନଙ୍କୁ ସୂଚନା ଦେବା ପାଇଁ ବନ ବିଭାଗ ଗଜବନ୍ଧୁ ନାମରେ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ମଣିଷ-ହାତୀ ଲଢ଼େଇ ଲାଗୁଥିବା ଅଞ୍ଚଳ ଯେପରିକି ଢ଼େଙ୍କାନାଳ, ଆଠଗଡ, ଅନୁଗୁଳ, ବାରିପଦା, ଖୋର୍ଦ୍ଧା ବନାଞ୍ଚଳ ଆଦିରେ ୧୫୦ ଜଣ ସଦସ୍ୟଙ୍କୁ ଗଜବନ୍ଧୁ ଭାବେ ଚିହ୍ନଟ କରାଯାଇ ସେମାନଙ୍କୁ ହାତୀ ସୁରକ୍ଷାର ଭାର ଦିଆଯାଇଛି।

ସରକାର ଅନୁଗୁଳ, ଆଠଗଡ, ଖୋର୍ଦ୍ଧା, ଢ଼େଙ୍କାନାଳ, ଦେଓଗଡ ଆଦି ହାତୀ କ୍ଷତିଗ୍ରସ୍ତ ଗାଁଗୁଡିକରେ ୧୩୫ଟି ସୋଲାର ଲାଇଟ୍‍ ପ୍ରଦାନ କରାଯାଇଛି। ହାତୀ ଚଳପ୍ରଚଳ ସ୍ଥାନକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଥିବା ଅଣ୍ଡର ପାସ୍‍ ଓ ଓଭରପାସ୍‍ ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ କିପରି କୌଣସି ଦୁର୍ଘଟଣା ନ ଘଟେ ସେ ଉପରେ ପଦକ୍ଷେପ ନିଆଯାଇଛି। ୨୦୨୦ ଡିସେମ୍ବର ୩୧ ତାରିଖ ଭିତରେ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ସରକାର ୧୯୩୮.୯୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ବନ୍ୟଜନ୍ତୁ ଓ ମଣିଷ ଲଢ଼େଇକୁ ରୋକିବା ଓ ଏ ସଂକ୍ରାନ୍ତ ରିପୋର୍ଟ ତଲବ କରିବା ପାଇଁ ସରକାର ୧୮୦୦୩୪୫୬୭୭୧ ନାମରେ ଏକ ଟୋଲଫ୍ରି ନମ୍ବର ଜାରି କରିଥିବା ମଧ୍ୟ ସୂଚନା ମିଳିଛି

Leave a comment