ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଲ ମଝିରୁ ହାତୀ ଛୁଆର ମୃତଦେହ ଉଦ୍ଧାର, ହାତୀପଲ ମଧ୍ୟରେ ଗଣ୍ଡଗୋଳରୁ ମୃତ୍ୟୁ ସନ୍ଦେହ

ବ୍ରହ୍ମପୁର: ଚିକିଟି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ବନଖଣ୍ଡ ରେଞ୍ଜ ଅଧିନରେ ଥିବା ପର୍ଣ୍ଣାଡ ଗ୍ରାମ ନିକଟ ମାଳୁଆଣି ପାହାଡ ତଳର ଏକ ଜମିରେ ୪ବର୍ଷିୟ ଅଣ୍ଡିରା ହାତୀ ଛୁଆର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । ହାତୀର ମୃତ୍ୟୁ କିପରି ହେଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ପଶୁ ଡାକ୍ତଙ୍କ ସମେତ ବନବିଭାଗ ଟିମ୍‌ ସେଠାରେ ପହଞ୍ଚିଛି ତଦନ୍ତ ଚଳାଇଛନ୍ତି । ଡିଏଫଓ ଅମ୍ଳାନ୍‌ ଦାସଙ୍କ ସମେତ ଚିକିଟି ଫରେଷ୍ଟର ଡି.ପ୍ରଶାନ୍ତ ରାଓ, ଏସିଏଫ ଅଶୋକ ବେହେରା, ଏସିଏଫ ମାଧବୀ ଲତା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଅନୁସନ୍ଧାନ କରୁଛନ୍ତି । ବ୍ୟବଚ୍ଛେଦ କରାଯିବା ପରେ ହାତୀଛୁଆର ମୃତଦେହକୁ ସେହି ଜମିରେ ହିଁ ବିରାଟ ଗାତ କରି ପୋତି ଦିଆଯାଇଛି । ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ହାତୀଛୁଆର ଶରୀରରେ କୌଣସି କ୍ଷତ ନ ଥିବାରୁ ଡାକ୍ତରୀ ଟିମ୍‌ ପ୍ରାଥମିକ ତଦନ୍ତ କରି ହାତୀକୁ କେହି ଶୀକାର କରି ନଥିବା କହୁଛନ୍ତି । ହାତି ଛୁଆଟି ଦୀର୍ଘ ସମୟ ଧରି ମରି ପଡିଥିବା ଯୋଗୁଁ ପେଟ ଫୁଲାଇ ରକ୍ତ ଜମାଟ ବାନ୍ଧିଥିବା ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଏକ ସପ୍ତାହ ଧରି ଏକ ୧୩ ଜଣିଆ ହାତୀ ପଲ ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ବୁଲୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଏପରିକି ଏ ନେଇ ବାରମ୍ବାର ଗଣମାଧ୍ୟମରେ ମଧ୍ୟ ଖବର ପ୍ରଚାର ପ୍ରସାର ହୋଇଥିଲା । ଏହି ୧୩ଟିକିଆ ହାତୀ ପଲ ଉକ୍ତ ଅଂଚଳର ବିଭିନ୍ନ ଜମିରେ ଧାନ ଫସଲକୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା । ଗତ ସପ୍ତାହରେ ହାତୀ ପଲ ଚିକିଟି ବ୍ଲକ ଅନ୍ତର୍ଗତ ପର୍ଣ୍ଣାଢ ଗ୍ରାମ ନିକଟ ଜଙ୍ଗଲରେ ବୁଲୁଥିବା ଏବଂ ଫସଲ ନଷ୍ଟ କରୁଥିବା ଅଭିଯୋଗ ଗ୍ରାମବାସୀ କରିଥିଲେ । ଗତକାଲି ରାତିରେ ମଧ୍ୟ ଉକ୍ତ ହାତୀ ପଲ ଉକ୍ତ ଅଂଚଳର ଚାଷ ଜମିରେ ଫସଲ ଖାଇବା ସହ କିଛି ନଷ୍ଟ କରିଥିଲେ । ପରେ ସେମାନଙ୍କ ମଧ୍ୟରେ ଯୋରଦାର ଲଢେଇ ହୋଇଥିବାରୁ ଉକ୍ତ ୪ ବର୍ଷ ଛୁଆ ହାତୀର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ହାତୀ ମୃତ୍ୟୁକୁ ନେଇ ଏବେ ଉକ୍ତ ଅଂଚଳରେ ଆଲୋଚନା ଯୋରଦାର ଧରିଛି । ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମଧ୍ୟ ବନବିଭାଗ ପକ୍ଷରୁ କୁହାଯାଇଛି । ଆଜି ସକାଳେ ହାତୀଟି ଜଣେ ବ୍ୟକ୍ତିଙ୍କ ଜମିରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଚିକିଟି ବନ ବିଭାଗ ଫରେଷ୍ଟରଙ୍କୁ ଜଣାଇଥିଲେ । ସେ ଘଟଣାସ୍ଥଳକୁ ଆସିବା ପରେ ପୁରା ଘଟଣା ପ୍ରଘଟ ହୋଇଥିଲା । ଖବର ପାଇବା ପରେ ଘଟଣାସ୍ଥଳକୁ ଦିଗପପହଣ୍ଡି ରେଞ୍ଜ ପାଟପୁର ଫରେଷ୍ଟର ଅରୁଣ କୁମାର ଦାଶ, ଆରତୀ ପାଢୀ ଓ ଗଣେଷ ଗୌଡ ପ୍ରମୁଖ ଯାଇଥିଲେ । ବର୍ତ୍ତମାନ ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି । ହାତୀମାନେ ପୁଣିଥରେ ସେଠାକୁ ଆସିବା ସନ୍ଦେହ କରାଯାଉଥିବାରୁ ଗ୍ରାମବାସୀମାନେ ମଧ୍ୟ ଭୟଭୀତ ହୋଇ ରହିଛନ୍ତି ।

Leave A Reply

Your email address will not be published.