ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା : ଶିବସେନା ନାମ ସହ ଦଳୀୟ ଚିହ୍ନ ଧନୁ-ତୀର ନେଇଗଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ : ଉଦ୍ଧବ ଠାକରେଙ୍କୁ ଲାଗିଛି ବଡ଼ ଝଟକା ଲାଗିଛି । ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ଦଳ ନାମରେ ନାମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଶିବସେନାର ଦଳୀୟ ଚିହ୍ନ ଧନୁ-ତୀର ମଧ୍ୟ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି।ଏହା ଫଳରେ ଶିବସେନା ଦଳ ଠାକରେ ପରିବାର ହାତରୁ ଖସିଯାଇଛି।

ଉଦ୍ଧବ ଠାକରେଙ୍କ ବାପା ବାଲା ସାହେବ ଠାକରେ ଶିବସେନାର ପ୍ରତିଷ୍ଠା କରିଥିଲେ। ଦଳର ପାରମ୍ପରିକ ଚିହ୍ନ ହେଉଛି ଧନୁ ଓ ତୀର। କିନ୍ତୁ ଉଦ୍ଧବ ଠାକରେ ଓ ସିନ୍ଦେ ଅଲଗା ହେବା ପରେ ଏହି ଚିହ୍ନକୁ ନେଇ ମୁହାଁମୁହିଁ ହୋଇଥିଲେ। ଉଭୟ ନିଜକୁ ବାଲା ସାହେବଙ୍କ ଆନୁଗତ୍ୟ ବୋଲି କହିବା ସହ ଶିବସେନାର ଦଳୀୟ ଚିହ୍ନ ନେବାକୁ ଦାବି କରୁଥିଲେ। ଏପରି ସ୍ଥିତିରେ ପୂରା ମାମଲା ଇସିଙ୍କ ପାଖରେ ପହଞ୍ଚିଥିଲା। ଇସି ସାମୟିକ ଭାବେ ବିବାଦକୁ ଟାଳିବା ସହ ଉଭୟ ଗୋଷ୍ଠୀଙ୍କ ଭିନ୍ନଭିନ୍ନ ଚିହ୍ନ ଦେଇଥିଲେ। ଏବଂ ଚୂଡ଼ାନ୍ତ ଫୈସଲା ନେବା ପୂର୍ବରୁ କମିଶନ ଉଭୟ ପକ୍ଷଙ୍କୁ ଜବାବ ମାଗିଥିଲେ।

ତେବେ ଏହାପରେ ଆଜି ଭାରତର ନିର୍ବାଚନ ଆୟୋଗ ତାଙ୍କ ଚୂଡ଼ାନ୍ତ ଫୈସଲା ଶୁଣାଇବା ସହ ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ନାମରେ ନାମିତ କରିବା ସହ ଦଳର ଚିହ୍ନ ଧନୁ-ତୀର ମଧ୍ୟ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି।ସେପଟେ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି ଉଦ୍ଧବ ଠାକେର। ନିର୍ବାଚନ ଆୟୋଗ ବିଜେପିର ଏଜେଣ୍ଟ ଭଳି କାର୍ଯ୍ୟ କରୁଛି । ମାମଲା କୋର୍ଟରେ ଚାଲିଥିଲା ବେଳେ କାହିଁକି ଶିବସେନାକୁ ସିନ୍ଦେ ଗୋଷ୍ଠୀକୁ ଦିଆଗଲା ବା ଘୋଷଣା କରାଗଲା, ତାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଦ୍ଧବ ଠାକେର। ଅନ୍ୟପଟେ ଏଭଳି ବିରାଟ ବିଜୟକୁ ନେଇ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଗତ ବର୍ଷ ଏକନାଥ ସିନ୍ଦେ ତତକାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଓ ଦଳର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସମର୍ଥନ ଥିବା ଦାବି କରିଥିଲେ । ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ରାଜ୍ୟରେ ଚାଲିଥିବା ମହା ବିକାଶ ଅଘାଡି ସରକାର ଭାଙ୍ଗିଯାଇଥିଲା । ଏହା ପରେ ଏକନାଥ ଗୋଷ୍ଠୀ ବିଜେପି ସମର୍ଥନରେ ସରକାର ଗଢିଥିଲେ ଓ ଏକନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଶିବସେନା ନାମ ଓ ଚିହ୍ନକୁ ନେଇ ଦୁଇପକ୍ଷ ନିର୍ବାଚନ କମିସନଙ୍କ ନିକଟକୁ ଯାଇଥିଲେ । ଅନ୍ତରୀଣ ସମୟ ପାଇଁ କମିସନ ଦୁଇ ଶିବିରଙ୍କୁ ଦୁଇଟି ଅସ୍ଥାୟୀ ନାମ ଦେଇଥିଲେ । ସିନ୍ଦେ ଗୋଷ୍ଠୀଙ୍କ ଦଳକୁ ବାଲାସାହେବଚି ଶିବସେନା ଓ ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନାମ ଦିଆଯାଇଥିଲା ।

Leave a comment