ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୮ ଦିନ ପୂର୍ବରୁ ପୂରିଲା ମୌସୁମୀ କୋଟା; ଆଜିଠୁ କମିବ, ୧୮ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଆବଶ୍ୟକ ହେଉଥିବା ବର୍ଷା ହୋଇ ସାରିଛି। ମୌସୁମୀ ୪ ମାସରେ ୧୧୫୫.୩ ମିମି ବର୍ଷା ହେଲେ ଏହାକୁ ସ୍ୱାଭାବିକ ବର୍ଷା କୁହାଯାଏ। ବର୍ତ୍ତମାନ ସୁଦ୍ଧା ୧୦୮୪.୩ ମିମି ବର୍ଷା ହୋଇ ସାରିଛି। ଯାହାକି ବର୍ଷା ୧୧୫୫.୩ ମିମି ତୁଳନାରେ ୬ ପ୍ରତିଶତ କମ୍‍ ରହିଛି। ଆଇଏମଡିର ଗାଇଡ୍‍ଲାଇନ୍‍ ଅନୁଯାୟୀ ସ୍ୱାଭାବିକ ବର୍ଷାଠାରୁ ଅନୁଭୂତ ବର୍ଷାର ପରିମାଣ ୧୯ ପ୍ରତିଶତ କମ୍‍ କିମ୍ବା ୧୯ ପ୍ରତିଶତ ଅଧିକ ମଧ୍ୟରେ ରହେ ଏହାକୁ ସ୍ୱାଭାବିକ ବର୍ଷା ବୋଲି ବିବେଚନା କରାଯାଏ। ଅର୍ଥାତ ଚଳିତ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହୋଇ ସାରିଛି। ସେପ୍ଟେମ୍ବର ମାସ ନ ସରିଥିବା ବେଳେ ଆଗକୁ ଆହୁରି ୨ ଲଘୁଚାପର ସମ୍ଭାବନା ରହିଛି। ତେଣୁ ଚଳିତ ବର୍ଷ ବର୍ଷାର ପରିମାଣ ସ୍ୱାଭାବିକଠାରୁ ବଢ଼଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ମୌସୁମୀ ଋତୁରେ ବର୍ତ୍ତମାନ ୪ ଟି ଅବପାତ ଓ ୨ ଟି ଲଘୁଚାପ ସୃଷ୍ଟି ହୋଇସାରିଛି। ଏହାଦ୍ୱାରା ରାଜ୍ୟକୁ ଭଲ ବର୍ଷା ମିଳିଥିବା ଜଣାପଡ଼ିଛି।

ଅନ୍ୟପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ବର୍ଷା ପ୍ରଭାବ ମଙ୍ଗଳବାରଠାରୁ ହ୍ରାସ ପାଇବ। ଏହି ଲଘୁଚାପଟି ବର୍ତ୍ତମାନ ଓଡ଼ିଶାଠାରୁ ବହୁ ଦୂର ଅର୍ଥାତ ଛତିଶଗଡ଼ ଡେଇଁ ମଧ୍ୟପ୍ରଦେଶ ଉପରେ ରହିଛି। ଯାହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରୁ କମିବାରେ ଲାଗିଛି। ମାତ୍ର ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହେବା କାରଣରୁ ଦୁଇ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ମଙ୍ଗଳବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦିର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ବୁଧବାର ମଧ୍ୟ କିଛି ଜିଲ୍ଲାରେ ଏହି ସ୍ଥିତି ଜାରି ରହିବା ସହ ବାକି ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ୧୮ ତାରିଖରୁ ପୁଣି ରାଜ୍ୟରେ ବର୍ଷା ବଢ଼଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୧୮ ସେପ୍ଟେମ୍ୱର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇ ରାଜ୍ୟରେ ବର୍ଷା କରାଇବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.