ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୂକମ୍ପ ଭୟ : ସମ୍ବେଦନଶୀଳ ଜୋନ୍‌ରେ ଓଡିଶାର ୭ ସହର

ଭୁବନେଶ୍ୱର : ଇଣ୍ଡୋନେସିଆରେ ନିକଟରେ ଭୂକମ୍ପ ଶହଶହ ଲୋକଙ୍କ ଜୀବନ ନେଇଛି। ହୋଇଥିବା ଭୂକମ୍ପ ମୃତକଙ୍କ ସଂଖ୍ୟା ୨୫୦ ପାର୍‍ କରିଛି। କିଛି ଦିନ ତେଳେ ନେପାଳ ଭୂକମ୍ପରେ ମଧ୍ୟ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ଭୂମିକମ୍ପ ଜୋନ୍‍ରେ ଥିବା ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱର ସହ ୭ ସହରବାସିନ୍ଦାଙ୍କ ମଧ୍ୟରେ ଛନକା ପଶିଛି। ଯଦିଓ ଓଡ଼ିଶା ଭୂକମ୍ପ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଆସୁନାହିଁ, ତଥାପି ବଙ୍ଗୋପସାଗର କୂଳରେ ଥିବା ଓଡ଼ିଶା ପାଇଁ ଉଭୟ ଭୂକମ୍ପ ଓ ସୁନାମୀର ଭୟ ରହିଛି। ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ୨୨ ବ୍ଲକକୁ ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଚିହ୍ନିତ କରାଯାଇଛି।

ଗତ ୨୦୨୦ ମସିହାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୭ଟି ବଡ଼ ସହର ଓ ଏହାର ପାଖାପାଖି ଅଞ୍ଚଳ ଅତି ସମ୍ୱେଦନଶୀଳ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି। ଏହାମଧ୍ୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର, ପୁରୀ, ବାଲେଶ୍ୱର ଓ ଭଦ୍ରକ ଆଦି ରହିଛି। ଅନୁରୂପ ଭାବରେ ପାରାଦୀପ, ଅନୁଗୋଳ, ଢ଼େଙ୍କାନାଳ, ବରଗଡ଼ ମଧ୍ୟ ଏହି ତାଲିକାରୁ ବାଦ୍‍ ପଡ଼ି ନାହିଁ। ସହରାଞ୍ଚଳରେ ଭୂତଳ ଜଳ ଉତ୍ତୋଳନ, ବଡ଼ ଅଟ୍ଟାଳିକା ନିର୍ମାଣ, ଖଣି ଉତ୍ତୋଳନ କରାଯିବା ପରେ ତାହାକୁ ବାଲି ଭର୍ତ୍ତି କରା ନ ଯିବା ଯୋଗୁଁ ରାଜ୍ୟ ପ୍ରତି ଭୂକମ୍ପ ଆଶଙ୍କା ଅଧିକ ବଢ଼ି ଚାଲିଛି। ଭୂକମ୍ପ ବେଳେ ଜୋନ୍‍ ୨ ଅଞ୍ଚଳରେ ସ୍ୱଳ୍ପ କ୍ଷତି ହେଉଥିବା ବେଳେ ଜୋନ୍‍ ୩ ରେ ମଧ୍ୟମ, ଜୋନ୍‍ ୪ରେ ଅଧିକ ଓ ଜୋନ୍‍ ୫ରେ ଅତ୍ୟଧିକ କ୍ଷତିର ଆଶଙ୍କା ଥାଏ। ଓଡ଼ିଶାର ୭ଟି ସହର ଭୂକମ୍ପ ଜୋନ୍‍ ୩ ଅଞ୍ଚଳରେ ରହିଥିବାରୁ ଏହି ଅଞ୍ଚଳଗୁଡ଼ିକ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯିବା ଉଚିତ ବୋଲି ଭୂତତ୍ୱବିତ ମାନେ କହିଛନ୍ତି। ଭୂକମ୍ପ ହେଲେ ଭୁବନେଶ୍ୱରରେ କ୍ଷୟକ୍ଷତି ସର୍ବାଧିକ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ସହରରେ ବିରାଟକାୟ କୋଠା ଏହାର ପ୍ରମୁଖ କାରଣ ସାଜିବ ବୋଲି ଆକଳନ କରାଯାଇଛି।

୨୦୧୪ ମେ ମାସ ୨୧ ତାରିଖରେ ଓଡ଼ିଶାକୁ ବଡ଼ ଭୂକମ୍ପ ଝଟକା ପଡ଼ିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର ହୋଇଥିବାରୁ ରାଜ୍ୟ ପାଇଁ ସୁନାମୀ ଭୟ ମଧ୍ୟ ସୃଷ୍ଟି ହୋଇଥିଲା। କୋଣାର୍କଠାରୁ ମାତ୍ର ୨୭୬ କିମି ଦୂର ସମୁଦ୍ର ମଧ୍ୟରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୫.୯ ରହିଥିଲା। ଯଦି ଏହାର ତୀବ୍ରତା ସାମାନ୍ୟ ଅଧିକ ଥିଲେ ପରିସ୍ଥିତି ଭୟଙ୍କର ହୋଇଥାନ୍ତା। ଏହି ଭୂମିକମ୍ପ କୋଣାର୍କ-ପୁରୀ ଭଳି ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ସ୍ଥଳୀ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ୨୦୧୪ ଭୂକମ୍ପ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ-କୋଣାର୍କ ପାଇଁ ଭୂତତ୍ତ୍ୱଭିତ୍ତିକ ମାଇକ୍ରୋ ଜୋନ୍‍ ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାମ କେତେବାଟ ଆଗେଇଛି, ସେନେଇ ପିକିଡିଏ ନିକଟରେ କୌଣସି ସୂଚନା ନାହିଁ। ପୁରୀ-କୋଣାର୍କ ଉନ୍ନୟନ କର୍ତ୍ôତପକ୍ଷ ଅଞ୍ଚଳରେ ଏକ ହେବାକୁ ଥିବା ଏହି ମାଇକ୍ରୋଜୋନ୍‍ ସର୍ଭେ ପାଇଁ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ (ଜିଏସଆଇ) ପକ୍ଷରୁ ସହଯୋଗ କରାଯିବାର ଥିଲା। ଏଥିରେ ପୁରୀ-କୋଣାର୍କରେ ମାଟି ତଳେ କେଉଁ ସ୍ଥାନରେ କେଉଁ ସ୍ଥିତି ଅଛି, କେଉଁଠାରେ ମାଟିତଳ ଦୁର୍ବଳ ଅବସ୍ଥାରେ ରହିଛି, ଫାଟ ରହିଛି ତାହା ଚିହ୍ନଟ ହୋଇଥାନ୍ତା। ମାତ୍ର ଏ ସବୁ କାଗଜ କଲମରେ ସୀମିତ ରହି ଯାଇଛି।

ଭୂତତ୍ତ୍ୱ ବିଶେଷଜ୍ଞ ତଥା ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଭୂକମ୍ପ କ୍ଷେତ୍ରରେ ଓଡ଼ିଶା ଜୋନ୍‍-୩ ରେ ଆସୁଛି। ହୀରାକୁଦଠାରୁ ଆରମ୍ଭ କରି ଝାରସୁଗୁଡ଼ା ସମ୍ବଲପୁର ହୋଇ ବଙ୍ଗୋପସାଗରର ଏକ ବେଲ୍ଟ ଜୋନ୍‍-୩ରେ ଆସୁଛି। ନିକଟରେ ଯଦିଓ ରାଜ୍ୟରେ ଶକ୍ତିଶାଳୀ ଭୂକମ୍ପ ହୋଇନାହିଁ କିନ୍ତୁ ଏବେ ରାଜ୍ୟର ଅନେକ ସମୟରେ ଭୂକମ୍ପ ଝଟକା ରହୁଛି। ଯଦିଓ ଏହାର ତୀବ୍ରତା ବିଶେଷ ହେଉନାହିଁ ହେଲେ ବି ଏଥିପ୍ରତି ଦୃଷ୍ଟି ଦେବା ଦେବା ଆବଶ୍ୟକତା ରହିଛି। ଆଇଏମଡି ଦ୍ୱାରା ରାଜ୍ୟରେ ୩ ଟି ଭୂକମ୍ପ ଷ୍ଟେସନ୍‍ ରହିଛି। ଏହି ଷ୍ଟେସନ୍‍ ଦ୍ୱାରା ରାଜ୍ୟରେ ଭୂକମ୍ପ ହେଲେ ଏହାର କେଉଁଠାରେ କେନ୍ଦ୍ରସ୍ଥଳ ରହୁଛି, ତାହା ଜଣାପଡ଼ୁଛି। ଏହି ତଥ୍ୟକୁ ଭି-ଚାର୍ଟ ଦିଲ୍ଲୀ ପଠାଯାଉଛି ବୋଲି ଡ. ଶ୍ରୀ ସାହୁ କହିଛନ୍ତି। ରାଜ୍ୟ ସରକାର ଭୂକମ୍ପ ନିରୋଧୀ ଘର ନିର୍ମାଣ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେବା ଉଚିତ। କେଉଁ ଅଞ୍ଚଳରେ କେଉଁ ପ୍ରକାର ଘର ଆବଶ୍ୟକତା ରହିଛି ତାହା ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ମୁଖ୍ୟତଃ ସମ୍ବେଦନଶୀଳ ଅଞ୍ଚଳରେ ଭୂକମ୍ପ ନିରୋଧୀ ଘର ନିର୍ମାଣକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ଡ. ସାହୁ କହିଛନ୍ତି।

Leave A Reply

Your email address will not be published.