ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତ୍ୟେକ ପ୍ଲାଷ୍ଟିକ ଗୋଟାଳି, ଜଣେ ଜଣେ ନୀରବ ପ୍ରକୃତି ସଂରକ୍ଷକ

ଅନୁଗୁଳସହର: ସକାଳର ପାହାନ୍ତିଆ ନିଦରେ ସାରା ସହର ଶୋଇଥିବା ବେଳେ, ନିଜ ମୂଲ୍ୟବାନ ସମ୍ପତ୍ତି ଟ୍ରଲି ରିକ୍ସା, ବେଳା ପାଇଁ ଖାଇବା ଓ କିଛି ବଡ ବଡ ଥଳୀ ଧରି ଏମାନେ କିନ୍ତୁ ବାହାରି ପଡନ୍ତି ଜରି, ପଲିଥିନ ଓ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିଥାନ୍ତି ଆମେ ଯେଉଁମାନଙ୍କୁ ‘ଜରି ଗୋଟାଳି‘ ବା ‘ପ୍ଲାଷ୍ଟିକ ବୋତଲ ଗୋଟାଳି‘ ନାଁରେ ଚିହ୍ନିଛେ। ବାସ୍ତବରେ ଯେ ଏମାନେ ସମସ୍ତେ ଜଣେ ଜଣେ ନୀରବ ପ୍ରକୃତି ସଂରକ୍ଷକ, ଏ କଥା ଆମକୁ ଅତି ଶୀଘ୍ର ଗ୍ରହଣ କରିବାକୁ ପଡିବ। ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ସମେତ ପରିବେଶବିତ, ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମନରେ ଗୋଟିଏ ଚିନ୍ତା, ‘ଜଳବାୟୁ ପରିବର୍ତ୍ତନ‘। ଏହି ଜଳବାୟୁ ପରିବର୍ତ୍ତନର ଅନେକ କାରଣ ମଧ୍ୟରୁ ପ୍ଲାଷ୍ଟିକ ଓ ପଲିଥିନର ବହୁଳ ବ୍ୟବହାର ଅନ୍ୟ ଏକ ମୁଖ୍ୟ ଓ ଭୟଙ୍କର କାରଣ। ଘରୁ ବାହାରେ ଓ ଘର ଭିତରେ, ଚାରିଆଡେ କେବଳ ପ୍ଲାଷ୍ଟିକ ଓ ପଲିଥିନ। ଆଜିର ଦିନରେ ଆମ ଦୈନଦିନ ଜୀବନର ୧୦୦ ଭାଗ ଘରକରଣା ଉପକରଣରୁ ପ୍ରାୟ ୬୦ ରୁ ୭୦ ଭାଗ ହେଉଛି ପ୍ଲାଷ୍ଟିକ ଓ ପଲିଥିନ। ସକାଳୁ ଉଠିବାଠୁ ରାତିରେ ଶୋଇବା ପର୍ଯ୍ଯନ୍ତ, ଆମ ନିତି ବ୍ୟବହାର ଉପଯୋଗୀ ଅନେକ ସାମଗ୍ରୀ ପ୍ଲାଷ୍ଟିକ ଓ ପଲିଥିନରୁ ତିଆରି। ଦେଖାଯିବାକୁ ସୁନ୍ଦର ଓ ସୌଖିନ ଏବଂ ବ୍ୟବହାର ପାଇଁ ସହଜ ଓ ସୁବିଧା ହେତୁ ପ୍ଲାଷ୍ଟିକ ଉପକରଣଗୁଡିକୁ ଆମେ ଗ୍ରହଣ କରିଥିଲେ ସୁଦ୍ଧା ସମଗ୍ର ଜୀବଜଗତ ପାଇଁ, ସେହି ପ୍ଲାଷ୍ଟିକ ଓ ପଲିଥିନ ଏକ ଅଭିଷପ୍ତ ରାକ୍ଷାସ ବୋଲି ଆମକୁ ଅତିଶୀଘ୍ର କରିବାକୁ ପଡିବ। ନଚେତ ସମୟ ଆସିବ ପ୍ଲାଷ୍ଟିକ ଓ ପଲିଥିନରୁ ଉତ୍ପନ୍ନ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ସମଗ୍ର ଜୀବଜଗତ ଧ୍ୱଂସ ପାଇବ, ଏଥିରେ ସନ୍ଦେହ ନାହିଁ ।

ଓଡିଶା ସରକାର ଗତ ୨୦୧୯ ମସିହା ଅକ୍ଟୋବର ୨ ତାରଖ ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏକକ ବ୍ୟବହାର ପ୍ଲାଷ୍ଟିକ ପଲିଥିନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ଏପର୍ଯ୍ଯନ୍ତ ପ୍ଲାଷ୍ଟିକ ଓ ପଲିଥିନ ବ୍ଯବହାର କମିନାହିଁ।  ଅନୁରୂପ ଭାବରେ କେନ୍ଦ୍ର ସରକାର ଆସନ୍ତା ଜୁଲାଇ ୧ ତାରଖଠାରୁ ସାରା ଦେଶରେ ଏକକ ବ୍ୟବହାର ପ୍ଲାଷ୍ଟିକ ପଲିଥିନ ଉପରେ ପ୍ରତିବନ୍ଧକ ଲଗାଇବାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମାନ କରି ହେଉଛି, ଯେ ପ୍ଲାଷ୍ଟିକ ଓ ପଲିଥିନ ମାନବ ସମାଜ ସହ ସମଗ୍ର ଜୀବଜଗତ ପାଇଁ କେତେ ପରିମାଣରେ କ୍ଷତିକାରକ । ଏଭଳି ଉଦବେଗଜନକ ପରିସ୍ଥିତିରେ ଅଜାଣତରେ ହେଲେ ମଧ୍ୟ, ସମଗ୍ର ପ୍ରାଣୀ ସମାଜ ପାଇଁ ଜଣେ ଜଣେ ପ୍ରକୃତି ସଂରକ୍ଷକ ରୂପରେ ଅବିଶ୍ରାମେ କାର୍ଯ୍ଯ କରୁଛନ୍ତି ସେମାନେ, ଯେଉଁମାନଙ୍କୁ ଆମ ସମାଜ କହୁଛି ‘ଜରି ଗୋଟାଳି‘ ବା ‘ପ୍ଲାଷ୍ଟିକ ବୋତଲ ଗୋଟାଳି‘। ପ୍ରତି ଦିନ ସହରବାସୀ କୁଇଣ୍ଟାଲ କୁଇଣ୍ଟାଲ ଅଦରକାରୀ ପ୍ଲାଷ୍ଟିକ ପଲିଥିନକୁ ଏଣେତେଣେ ପକେଇ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରନ୍ତି । ଏବଂ ପ୍ରତି ଦିନ ଜରି/ପ୍ଲାଷ୍ଟିକ ସଂଗ୍ରହକାରୀମାନେ ସେହି ଅଦରକାରୀ ପ୍ଲାଷ୍ଟିକ ଓ ପଲିଥିନକୁ ସଂଗ୍ରହ କରି ପୁନଃ ବ୍ୟବହାର ପାଇଁ କବାଡି ଦୋକାନକୁ ଯୋଗାଇଥାନ୍ତି । ବିଶେଷ କରି ପ୍ଲାଷ୍ଟିକ ପାଣି ବୋତଲର ବହୁଳ ବ୍ୟବହାର ପରିବେଶକୁ ଅଧିକ ପ୍ରଦୂଷଣ କରୁଛି। ପ୍ଲାଷ୍ଟିକ ପଲିଥିନ ସଂଗ୍ରହକାରୀମାନେ ନଥିଲେ ଅନେକ ସହର ଆଜି ପ୍ଲାଷ୍ଟିକ ବୋତଲରେ ପୋତି ହେଇ ସାରନ୍ତାଣି ।

ପ୍ରତ୍ୟେକ ଦିନ ସକାଳୁ ସପରିବାରେ ‘ପ୍ଲାଷ୍ଟିକ ପଲିଥିନ ସଂଗ୍ରହକାରୀ‘ମାନେ ବାହାରି ପଡନ୍ତି ଅଦରକାରୀ ପ୍ଲାଷ୍ଟିକ ପଲଥିନ ସଂଗ୍ରହ କରି।  ସାଥୀରେ ଥାଏ ବେଳା ପାଇଁ ଖାଦ୍ୟ, ବଡ ବଡ ଥଳୀ ଓ ନିଜର ଏକମାତ୍ର ମୂଲ୍ୟବାନ ସମ୍ପତ୍ତି ଟ୍ରଲି ରିକ୍ସା। କିଛି ସଂଗ୍ରହକାରୀମାନେ ଚାଲି ଚାଲି ମଧ୍ୟ ସଂଗ୍ରହ କରନ୍ତି ।  ସହରର ପ୍ରତିଟି ଗଳି କନ୍ଦି ବୁଲି ବୁଲି ପ୍ଲାଷ୍ଟିକ ବୋତଲ, ଅନ୍ୟ ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀ ଓ ପଲିଥିନ ଆଦି ସଂଗ୍ରହ କରନ୍ତି ।  କିଛି ସଂଗ୍ରହକାରୀ ଅନୁଗୋଳ ସହରରୁ କୁଇଓ, ବନ୍ତଳା, ବଡକେରା ଯାଏଁ ରାସ୍ତା କଡର ୧୫ ରୁ ୨୦ କିମି ପର୍ୟ୍ୟନ୍ତ ପ୍ଲାଷ୍ଟିକ ବୋତଲ ଓ ପଲିଥିନ ସଂଗ୍ରହ କରୁଛନ୍ତି ।

ଜଣେ ପ୍ଲାଷ୍ଟିକ ବୋତଲ ଗୋଟାଳି ଦମ୍ପତ୍ତିଙ୍କ କହିବା ଅନୁଯାୟୀ, ସକାଳୁ ସନ୍ଧ୍ଯା ପର୍ଯ୍ଯନ୍ତ ସଂଗ୍ରହ କଲେ ଦିନକୁ ପ୍ରାୟ ୩୦ ରୁ ୪୦ କିଲୋଗ୍ରାମ ପ୍ଲାଷ୍ଟିକ ବୋତଲ ସଂଗ୍ରହ ହେଉଛି।  ଥଳୀ ପୁରି ଗଲେ ସଂଗ୍ରହ ହୋଇଥିବା ପ୍ଲାଷ୍ଟିକ ସାମଗ୍ରୀକୁ କବାଡି ଦୋକାନଗୁଡିକୁ ଯୋଗାଇଥାନ୍ତି । ପରବର୍ତ୍ତୀ ସମୟରେ ସଂଗ୍ରହ ହୋଇଥିବା ପ୍ଲାଷ୍ଟିକ ଓ ପଲିଥିନକୁ ପୁନଃ ବ୍ୟବହାର ପାଇଁ ବାହାର ରାଜ୍ୟର ବଡ ବଡ ଫାକ୍ଟ୍ରିଗୁଡିକୁ ପଠାଯାଏ ।  ଅନୁଗୋଳ ସହରରେ ପାଖାପାଖି ୨୦୦ ରୁ ୩୦୦ ପ୍ଲାଷ୍ଟିକ ପଲିଥିନ ସଂଗ୍ରହକାରୀ ଥିବା କଥା ଅନୁମାନ କରାଯାଏ । ସେମାନେ ହୁଏତ ନିଜ ଜୀବିକା ପାଇଁ ଏହି କାର୍ଯ୍ଯ କରୁଛନ୍ତି, କିନ୍ତୁ ବାସ୍ତବରେ ଏହି କାର୍ଯ୍ଯ ସିଧାସଳଖ ମାନବ ସମାଜ ପାଇଁ ଏକ ଆଶୀର୍ବାଦ ସଦୃଶ। ତେଣୁ ସରକାର କିମ୍ବା ଜିଲ୍ଲା ପ୍ରଶାସନ, ଯଦି ଭବିଷ୍ୟତରେ ଏହି ‘ପ୍ରକୃତି ସଂରକ୍ଷକ‘ଙ୍କୁ ନେଇ ‘ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ‘ ଶୀର୍ଷକ କିଛି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତେ, ତେବେ ଏମାନଙ୍କ ସାମାଜିକ ଜୀବନରେ ସ୍ବଚ୍ଛଳ ଆସିବା ସହ ସହର ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ହେବାରେ ଆଉ ପାଦେ ଆଗକୁ ବଢନ୍ତା ।

Leave A Reply

Your email address will not be published.