ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଷ୍ମନ୍ତକୁ ମୃତ୍ଯୁମୁହଁକୁ ଠେଲିଦେବା ପଛରେ କାହା ଷଡ଼ଯନ୍ତ୍ର ?

ମାଆ ବାସନ୍ତୀଙ୍କ ଅଭିଯୋଗକୁ ନେଇ ରାଜ୍ଯରେ କମ୍ପନ

ଭୁବନେଶ୍ୱର: କିଏ ଦୁଷ୍ମନ୍ତ ଦାସଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଲା? କିଏ ତାକୁ ଭୁବନେଶ୍ବର ଯାଏ ଆଣିଲା? ସେ ନିଜେ ବିଷପାନ କଲା ନା ତାକୁ କିଏ ବାଧ୍ୟ କଲା? ତାଙ୍କ ସହିତ ବିଧାନସଭା ପର୍ଯ୍ୟନ୍ତ କିଏ ଆସିଥିଲେ କି? ସେ ଅକ୍ଷମ ହୋଇଥିବା କାରଣରୁ ଏକା ଏକା ଆସି ଏତେ କଥା କେମିତି କରିଦେଲା? କେଉଁଠାରେ ବିଷପାନ କଲା ଯେ ସେ ବିଧାନସଭା ସାମ୍ନା ଯାଏ ଆସିପାରିଲା?

ବହୁ ଚର୍ଚ୍ଚିତ ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା କ୍ଷେତ୍ରରେ ତା’ର ମାଆ ବାସନ୍ତୀ ଦାସଙ୍କ ଏତଲା ଏମିତି କିଛି ପ୍ରଶ୍ନ ଉପରେ ପୂରା ରାଜ୍ୟରେ ଚର୍ଚ୍ଚା ଆଲୋଚନା ପାଇଁ ରାସ୍ତା ଖୋଲିଦେଇଛି। ସମୁଦାୟ ଘଟଣାକୁ ଯିଏ ଗଭୀର ଭାବେ ଅନୁଶୀଳନ କରୁଛନ୍ତି, ସିଏ ତାଜୁବ୍ ହେଉଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀଙ୍କ ମତରେ କୌଣସି ପରିସ୍ଥିତିରେ ବାହାରେ ବିଷପାନ କରି ଜଣେ ବ୍ୟକ୍ତି ବିଧାନସଭା ସାମ୍ନା ଯାଏ ଆସିପାରିବ ନାହିଁ? ସେ ମାନସିକସ୍ତରରେ ଏତେ ବିଚଳିତ ଥବ, ଯେ ତାହା ଯେ କୌଣସି ଲୋକର ନଜରକୁ ଆସିବ। ବିଷପାନ କରିବା ପରେ ସେ ପୁଣି ହାତ କାଟିବା ପାଇଁ କାହିଁକି ଚାହିଁବ? ଦୁଷ୍ମନ୍ତ ଯଦି ମୃତ୍ୟୁ ଚାହୁଁଥିଲା, ତେବେ ଯେଉଁଠାରେ ହାତ କାଟିଲା ସେ କଥା ନକରି ସର୍ବ ସମ୍ମୁଖରେ ବିଷପାନ କରିପାରିଥାନ୍ତା? ହେଲେ ଉଭୟ କଥ କାହିଁକି କଲା? ପରିବାର ଲୋକ ସାମାନ୍ୟ ସୁରାକ ପାଇପାରିଲେ ନାହି? ଅନ୍ତତଃ ନିଜ ମାଆ କି ପତ୍ନୀ ପାଖରେ ତ ସେ ନିଜର ନିରାଶାବାଣୀ ଶୁଣାଇଥାନ୍ତା?

ନିଜେ ପୁଲିସ ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ହାତ କାଟିବା ପୂର୍ବରୁ ଦୁଷ୍ମନ୍ତ ବିଷ ପିଇଥିବା କହିଥିଲା। ଘଟଣାସ୍ଥଳରୁ ବିଷପାନ କରିଥିବା ଭଳି କୌଣସି ପ୍ରମାଣ ପୁଲିସ ହାତରେ ଲାଗିନାହିଁ। ଏହା ବି ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଆଚମ୍ବିତ କରୁଛି ଓ ଘଟଣା ପଛରେ ବଡ଼ ଧରଣର କିଛି ଗୋଟିଏ ଷଡ଼ଯନ୍ତ୍ର ରହିଛି, ଏକଥାକୁ ସେମାନେ ହାଲକା ଭାବେ ନେଇପାରୁନାହାନ୍ତି । ଏଣୁ ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇ ତଦନ୍ତ କରିବାର ଆବଶ୍ୟକତା ରହିଛି। ଓଡ଼ିଶା କ୍ରାଇମବ୍ରାଞ୍ଚ ଏଭଳି ମାମଲାର ତଦନ୍ତ କରିବାର ପାରଦର୍ଶିତ ରଖେ । ରାଜ୍ୟ ସରକାର ଏହା ଉପରେ ବିଚାର କରିବା ଦରକାର ବୋଲି ଅବସରପ୍ରାପ୍ତ ଅଧିକାରୀମାନେ ମତ ରଖୁଛନ୍ତି। କେବଳ ସେତିକି ନୁହେଁ; ବିଧାନସଭା ଓ ନବୀନ ନିବାସ ସାମ୍ନା ପର୍ଯ୍ୟନ୍ତ ନିରୀହ ଲୋକଙ୍କୁ ଟାଣିଆଣି ମୃତ୍ୟୁ ପର୍ଯ୍ୟନ୍ତ ଯେଭଳି ଟାଣି ନିଆଯାଉଛି, ତାହାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ ସମାନ୍ତରାଳ ଭାବେ ହେବା ଉଚିତ୍।

ଏଣେ ଆଜି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ‘ସକାଳ’କୁ କହିଛନ୍ତି ଯେ ଦୁଷ୍ମନ୍ତଙ୍କ ମାଆ ବାସନ୍ତୀ ଦାସ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ ତାଙ୍କ ପୁଅ ମୃତ୍ୟୁକୁ ସନ୍ଦେହ ଭିତରକୁ ଟାଣି ଗୋଟିଏ ଏତଲା ଦେଇଥିଲେ। କୁଜଙ୍ଗ ପୁଲିସ ଇତିମଧ୍ୟରେ ତାହାକୁ ମଙ୍ଗଳବାଗ ଥାନାକୁ ଦେଇଛି। ଏଣୁ ମଙ୍ଗଳାବାଗ ଥାନା ଏହା ଉପରେ ତଦନ୍ତ କରିବ। ପୁଲିସ ତଦନ୍ତ କରି ଦେଖୁବ ଯେ ଦୁଷ୍ମନ୍ତ ସହିତ କେଉଁମାନେ ଟେଲିଫୋନରେ କଥା ହୋଇଛନ୍ତି ? ଏଥିଲାଗି ତାର ଟେଲିଫୋନ୍‌ କଲ୍‌ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ। ସେହିଭଳି ବିଧାନସଭା ସନ୍ନିକଟ ଯେତେସବୁ ସିସିଟିଭି ଲାଗିଛି, ସେସବୁର ରେକର୍ଡିଂ ଭିଡିଓକୁ ପୁଲିସ ଯାଞ୍ଚ କରିବ |  ସେଥିରୁ ଦେଖାଯିବ ଯେ ବାସ୍ତବରେ ଦୁଷ୍ମନ୍ତ ବିଧାନସଭା ଯାଏ ଏକା ଆସିଥିଲା ନା ତା ସାଙ୍ଗରେ ଆଉ କିଏ ଥିଲେ। ଏହି ଦିଗରେ ତଦନ୍ତ ଆରମ୍ଭ ହୋଇସାରିଲେଣି।

ହେଲେ ରାଜନୈତିକ ମହଲରେ ଯେଉଁ କଥାଟି ବେଶୀ ଗୁଞ୍ଜରଣ ହେଉଛି, ତାହା ହେଲା ସରକାରଙ୍କୁ ବଦନାମ କରିବା ପାଇଁ କିଏ ଷଡ଼ଯନ୍ତ୍ର କରିଥାଇପାରେ: ଏହି ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ । ଏହି ମହଲର ଯୁକ୍ତି ହେଉଛି, ଗତ କିଛି ଦିନ ଧରି ବିଧାନସଭା ଓ ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ ଯେଭଳି ବଢୁଛି ତାହା ଲକ୍ଷ୍ୟ କରିବା କଥା। ବିଶେଷକରି ପୂର୍ବ ଶୀତ ଅଧିବେଶନରେ ଆଠଗଡର ଚାଷୀ ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାଟି ଏଭଳି ଏକ ସନ୍ଦେହକୁ ବେଶୀ ବଳ ଦେଉଛି। ଏହା ପୂର୍ବରୁ ପରୀ ମାମଲା, ଜଗତସିଂହପୁରର ଅନ୍ୟ ଏକ ଘଟଣାକୁ ବି ଉଦାହରଣ ଭାବେ ନିଆଯାଇପାରେ। ସବୁ ଘଟଣାରେ ଗଣମାଧ୍ୟମ ପାଖରେ ଆଗୁଆ ଖବର ଥିଲା । ସମସ୍ତେ ଏହାକୁ ରେକର୍ଡିଂ କଲେ, ଯାହା ଆଉ ଏକ ଦୁର୍ଭାଗ୍ୟଜନକ ଘଟଣା। ପୁଲିସ ଠିକ୍ ସମୟରେ ଜାଣିପାରିବା କାରଣରୁ ମୃତ୍ୟୁକୁ ଏଡାଯାଇପାରିଥିଲା। ପୂର୍ବ ଘଟଣା ଓ ଦୁଷ୍ମନ୍ତ ମାମଲା ଭିତରେ ଅନ୍ତରଟି ହେଉଛି, ଏହି ଯୁବକ ଆତ୍ମହତ୍ୟା ଉଦ୍ୟମ କରୁ କରୁ ମୃତ୍ୟୁକୁ ସାମ୍ନା କରିଛି।

ଏହି ମହଲର କହିବା କଥା ହେଉଛି, ବିଜେପି କେଉଁ ଦୃଷ୍ଟିକୋଣରୁ ଓ କାହିଁକି ପୁଲିସ ଦ୍ବାରା ଘଟଣାର ନିରପେକ୍ଷ ତଦନ୍ତ ଦାବି ନ କରି ସିବିଆଇ ତଦନ୍ତ ଦାବି କଲା? ତାହା ବି ଦେଖିବା କଥା। ଯେବେ ସେ ବିଜୁ ଜ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ପାଇଛି, ସେବେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ପ୍ରସଙ୍ଗ କାହିଁକି ସେମାନେ ଉଠାଇଲେ? ସର୍ବୋପରି କଟକ ବଡ଼ ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ବେଳେ ଆଦୌ ଥରୁଟିଏ ଦେଖିବାକୁ ଯାଇନଥିବା ବିଜେପି ନେତାମାନେ ହଠାତ୍ ଯେଭଳି ତନାଘନା କରି ଗାଁ ପର୍ଯ୍ୟନ୍ତ ଚାଲିଗଲେ, ତାହା ବି ପ୍ରସଙ୍ଗର ଗମ୍ଭୀରତା ବଢ଼ାଇ ଦେଉଛି। ନିଜେ ଦୁଷ୍ମନ୍ତଙ୍କ ମାଆ ଏହା ଉପରେ ପ୍ରଶ୍ନ କରିବା ସହିତ ବିଜେପି ନେତାଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ, ତାହା ପୂର୍ବରୁ ଦେଖାଯାଇ ନ ଥିଲା |

ସବୁଠାରୁ ବଡ଼ କଥା ହେଲା, ଯଦି କେବଳ ସରକାରକୁ ବଦନାମ କରିବା ଲାଗି ବିଧାନସଭା ବେଳେ ଏମିତି ଘଟଣାକୁ ଗୋଟିଏ ପ୍ରଥା ବା ପରମ୍ପରା ଭଳି କରିଦିଆଯିବ, ତେବେ ତା’ ଠାରୁ  ଜଘନ୍ୟ ବା ସାଂଘାତିକ ଅପରାଧ ଆଉ କିଛି ନାହିଁ । ପୁଲିସ ବିଧାନ ସଭା ପାଖରେ ତିନି ଥାକିଆ ସୁରକ୍ଷା କଥା କହୁଛି, ଏଭଳି ଘଟଣା ଉପରେ ନଜର ରଖୁପାରୁନି କେମିତି? ଏସବୁ ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବା ସହିତ ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିବା ଦରକାର ବୋଲି ମତପ୍ରକାଶ ପାଇଲାଣି।

Leave A Reply

Your email address will not be published.