ସାବଧାନ ଗାଡି ଚାଳକ : ରଙ୍ଗ୍‍ରୁଟ୍‌ରେ ଗାଡି ଚଳାଇଲେ ଏଣିକି ଜରିମାନା ସହ ଜବତ ହେବ ଗାଡ଼ି

ଭୁବନେଶ୍ୱର : ରାଜଧାନୀରେ ଦୁର୍ଘଟଣା ହ୍ରାସ କରିବା ସହ ଗାଡ଼ି ଚଳାଚଳରେ ସୁଧାର ଆଣିବାକୁ ଅଣ୍ଟାଭିଡ଼ିଛି ଟ୍ରାଫିକ୍‍ ପୁଲିସ। ଏଥର ସହରରେ ରଙ୍ଗ୍‍ରୁଟ୍‍ (ବିପରୀତ ଦିଗ) ଗାଡ଼ି ଚାଳନା ରୋକିବା ଲାଗି ଏକ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯାଇଛି। ରଙ୍ଗ୍‍ରୁଟ୍‍ରେ ଗାଡ଼ି ଚଳାଇ ଧରାପଡ଼ିଲେ ଜରିମାନା ସହ ଗାଡ଼ିକୁ ଜବତ କରିବ ଟ୍ରାଫିକ ପୁଲିସ। ପରେ ଗାଡ଼ିର କାଗଜପତ୍ର ଦେଖାଇ କୋର୍ଟରୁ ମୁକୁଳାଇବେ ଗାଡ଼ି ମାଲିକ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି କମିସନରେଟ୍‍ ପୁଲିସ ପକ୍ଷରୁ ସୂଚନା ମିଳିଛି।

ରାଜଧାନୀର ରଙ୍ଗ୍‍ରୁଟ୍‍ରେ ଗାଡ଼ି ଚାଳନା ହେତୁ ଦୁର୍ଘଟଣା ବଢ଼଼ିବା ସହ ଅକାଳରେ ଜୀବନ ଚାଲିଯାଉଛି। ରଙ୍ଗ୍‍ରୁଟ୍‌ରେ ଗାଡ଼ି ଚଳାଇବା ଯୋଗୁଁ ଭୁବନେଶ୍ୱରରେ ପ୍ରତିବର୍ଷ ୪୦ରୁ ୫୦ଜଣଙ୍କ ମୃତ୍ୟୁ ହେଉଛି। ଏଣୁ ରଙ୍ଗ୍‍ରୁଟ୍‍ ଚାଳନାରେ ପ୍ରତିବନ୍ଧକ ଲଗାଇବା ସହ ଦୁର୍ଘଟଣା ହ୍ରାସ ଲାଗି ପଦକ୍ଷେପ ନେଇଛି ଟ୍ରାଫିକ୍‍ ପୁଲିସ। ସହରର ରାଜମହଲ, ବାଣୀବିହାର, କଳ୍ପନା, ରସୁଲଗଡ଼, ଚନ୍ଦ୍ରଶେଖରପୁର ଭଳି ୨୦ରୁ ଊର୍ଦ୍ଧ୍ବ ଛକରେ ଯାଞ୍ଚ କରାଯାଇଥିଲା। ଆଉ ଭୁଲ୍‍ ରାସ୍ତାରେ ଗାଡ଼ି ଚଳାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା।

ପୂର୍ବରୁ ସହରର ରଙ୍ଗ୍‍ରୁଟ୍‍ ଚାଳନାରେ ଅଙ୍କୁଶ ଲଗାଇବା ପାଇଁ ବିଭିନ୍ନ ଛକରେ ସଚେତନତାର ଫଳକ ଲଗାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଏଣୁ ପୁନର୍ବାର ଚିହ୍ନଟ କରାଯାଇଥିବା ସ୍ଥାନଗୁଡ଼ିକରେ ସଚେତନତନା ଫଳକ ଲଗାଯିବ ବୋଲି ଟ୍ରାଫିକ୍‍ ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ଏବେ ସଚେତନତା କରିବା ସହ ଗାଡ଼ି ଚାଳକଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଆଗାମୀ ଦିନରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଗାଡ଼ିଗୁଡିକ ଜବତ କରାଯିବ ବୋଲି ଟ୍ରାଫିକ୍‍ ପୁଲିସ ପକ୍ଷରୁ କୁହାଯାଇଛି।

Leave a comment