ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‍ : ପ୍ରତିବର୍ଷ ଯାଉଛି ଶତାଧିକ ଜୀବନ

ଭୁବନେଶ୍ୱର : ରାଜ୍ୟରେ ବର୍ଦ୍ଧିତ ସଡ଼କ ଦୁର୍ଘଟଣା ପରିପ୍ରେକ୍ଷୀରେ ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ଲଗାମ କଶିବା ଆହୁରି ଜରୁରୀ ହୋଇଛି। ମଦ୍ୟପ ଗାଡ଼ି ଚାଳନ ନା କେବଳ ନିଜ ନୁହେଁ ଅନ୍ୟ ନିରୀହ ଲୋକଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୨୦୨୦ରେ ୬୪୮ଟି ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣା ଘଟିଛି ଆଉ ସେଥିରେ ୨୯୮ ଜଣ ପ୍ରାଣ ହରାଇଛନ୍ତି। ୨୦୨୧ରେ ମଧ୍ୟ ପ୍ରାୟତଃ ସମାନ ସଂଖ୍ୟକ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣା ଏବଂ ମୃତାହତ ସଂଖ୍ୟା ହ୍ରାସ କରିବା ଦିଗରେ ପରିବହନ ବିଭାଗ ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିଲା ବେଳେ ମଦ୍ୟପ ଗାଡ଼ି ଚାଳକ ଆଉ ଏକ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି।

୨୦୧୯ରେ ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣା ଓ ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୮ରେ ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣାରେ ୫୫୫ ଜଣ ପ୍ରାଣ ହରାଇଥିଲେ। ସେହିବର୍ଷ ରାଜ୍ୟରେ ସମୁଦାୟ ୧୧,୨୩୮ ଟି ସଡ଼କ ଦୁର୍ଘଟଣା ଘଟିଥିଲା ଏବଂ ୨୦୧୭ରେ ଏହି ସଂଖ୍ୟା ୧୦,୮୫୫ରେ ସୀମିତ ରହିଥିଲା। ୯୦ ପ୍ରତିଶତ ସଡ଼କ ଦୁର୍ଘଟଣା ଅବହେଳା ଏବଂ ଅସାବଧାନତା ହେତୁ ଘଟୁଥିବା ବେଳେ ମୃତକଙ୍କ ମଧ୍ୟରେ ୭୫ ପ୍ରତିଶତ ହେଉଛନ୍ତି ଯୁବ ବର୍ଗ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁମତେ ଉଦ୍ୟମ କରାଯାଉଛି। କିନ୍ତୁ ଲୋକଙ୍କ ଖାମଖିଆଲି ନୀତି ଓ ସଚେତନତା ଅଭାବ ପାଇଁ ଗତ ଚାରି ବର୍ଷ ମଧ୍ୟରେ ୧୮ ହଜାର ଲୋକଙ୍କ ପ୍ରାଣ ଯାଇଛି। ମୋଟର ଯାନ ଆଇନର ଧାରା ୧୮୫ ଅନୁସାରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ଚାଳକଙ୍କୁ ଗିରଫ କରିବା ପ୍ରାବଧାନ ରହିଛି। ଗିରଫ ମଦ୍ୟପ ଗାଡ଼ି ଚାଳକଙ୍କୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି। ଦ୍ୱିତୀୟ ବାର ଧରାପଡ଼ିଲେ ଦୁଇ ବର୍ଷ ଜେଲ୍‍ ଏବଂ ୧୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ଅଛି।

ଗତବର୍ଷ ଏପ୍ରିଲ ମାସରୁ ଏହି ନିୟମ ଲାଗୁ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇ ପାରିବ। ପୁଲିସ, ପରିବହନ ବିଭାଗ ପକ୍ଷରୁ ଧରପଗଡ଼଼ କରାଯାଇ ରାଜ୍ୟରେ ଦୈନିକ ଶତାଧିକ ଲୋକଙ୍କୁ ଗିରଫ କରାଯାଉଛି। ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ସଡ଼କ ସୁରକ୍ଷା ପାଣ୍ଠିରୁ ସବୁ ଥାନାକୁ ବ୍ରିଦ ଆନାଲାଇଜର୍‍ ଯୋଗାଇ ଦିଆଯାଇଛି। ୨୦୧୯ରେ ବିଭିନ୍ନ ଜିଲ୍ଲାରୁ ୮୫୮୩ ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିଥିଲେ। ଗତ ଦୁଇ ବର୍ଷ ହେଲା ଏହି ସଂଖ୍ୟା ୧୨ ହଜାରରୁ ଅଧିକ ରହିଛି। ସମୁଦାୟ ଦୁର୍ଘଟଣା ଜନିତ ମୃତ୍ୟୁର ୨୦ ପ୍ରତିଶତ ମଦ୍ୟପାନ ହେତୁ ଘଟୁଛି। ଜାତୀୟ ରାଜପଥରେ ସର୍ବାଧିକ ଦୁର୍ଘଟଣା ଘଟୁଛି। ସହରାଞ୍ଚଳ ମଧ୍ୟରେ ପୁଲିସ ଘନ ଘନ ଯାଞ୍ଚ କରୁଛି, କିନ୍ତୁ ଜାତୀୟ ରାଜପଥ ଉପରେ ନିୟମିତ ଯାଞ୍ଚର ଅଭାବ ରହିଛି। ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସୁପ୍ରିମ୍‍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ରାଜପଥରୁ ସମସ୍ତ ମଦ ଦୋକାନ ଉଛେଦ କରାଯାଇଛି। କିନ୍ତୁ ଏବେ ବି ଜାତୀୟ ରାଜପଥ କଡ଼ରେ ଅତି ସହଜରେ ମଦ ମିଳିଯାଉଛି।

Leave a comment