ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ଯୋଡୋ ଯାତ୍ରା ଜାରି ରହିଲେ କିଛି ଲୋକଙ୍କ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନ ଭାଙ୍ଗିଯିବ: ବାବା ରାମଦେବ

ନୂଆଦିଲ୍ଲୀ : କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ ମତରେ ପରିବର୍ତ୍ତନ ହେବାରେ ଲାଗିଛି। ବାବା ରାମଦେବ ଏବେ କଂଗ୍ରେସକୁ ପ୍ରଶଂସା କରୁଥିବା ଦେଖାଯାଉଛି। ଗତକିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କୁ ଭୁରି ଭୁରି ପ୍ରଶଂସା ପରୁଥିବା ବାବା ରାମଦେବ କଥାଛଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତେର୍ଛା ବାଣ ମାରିଛନ୍ତି।

କଂଗ୍ରେସର ଜାତୀୟ ସଂଯୋଜକ, ନୀତୀନ ଅଗ୍ରୱାଲ ତାଙ୍କ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିବା ପରେ ଯୋଗ ଗୁରୁ ରାମଦେବଙ୍କ ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାକୁ ଆରମ୍ଭ କରିଛି। ୨୪ ସେକେଣ୍ଡର ଏହି ଭିଡିଓରେ ପତଞ୍ଜଳିର ପ୍ରତିଷ୍ଠାତା ବାବା ରାମଦେବ ଏକ ଟିଭି ନ୍ୟୁଜଚ୍ୟାନେଲ ସହିତ କଥା ହେଉଥିବାର ନଜର ଆସୁଛନ୍ତି। ଏହି ଭିଡ଼ିଓରେ ରାମଦେବ କହିଛନ୍ତି ଯେ, ଗଣତନ୍ତ୍ରର ଶାସନରେ ଉଭୟ ଶାସକ ଏବଂ ବିରୋଧୀ ଜୀବିତ ରହିବା ଉଚିତ। ତାହେଲେ ହିଁ ରାଷ୍ଟ୍ର ଏବଂ ଏହାର ଏଜେଣ୍ଡା ଜୀବିତ ରହିବ। ଭାରତ ଯୋଡୋ ଯାତ୍ରା ବିଷୟରେ ବାବା ରାମଦେବ କହଛନ୍ତି ଯେ କଂଗ୍ରେସ ଏବେ ଦେଶର ଯୁବକମାନଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ଜୋଡ଼ୁଛି। ଆଉ ଯଦି ସେମାନେ ଏହା ଜାରି ରଖନ୍ତି, ତେବେ ଯେଉଁମାନେ କଂଗ୍ରେସ ମୁକ୍ତ ଭାରତ ପାଇଁ ସ୍ୱପ୍ନ ଦେଖୁଥିଲେ ସେମାନଙ୍କ ସ୍ୱପ୍ନ ନିଶ୍ଚୟ ଭାଙ୍ଗିଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସମୟରେ କଂଗ୍ରେସ ମୁକ୍ତ ଭାରତର ସ୍ଲୋଗାନ ଦେଉଥିଲେ। ବିଜେପି ପକ୍ଷରୁ ମଧ୍ୟ ଏହି ସ୍ଲୋଗାନକୁ ଜୋରଦାର ପ୍ରଚାର କରାଯାଉଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ବାବା ରାମଦେବ କଂଗ୍ରେସକୁ ପ୍ରଶଂସା କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଯୋଗ ଗୁରୁ ରାମଦେବ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଥିବା ଏବଂ ଯୋଗ ଅଭ୍ୟାସ କରିବା ଫଳରେ ସେ ପାଇଥିବା ଲାଭ ବିଷୟରେ କହୁଥିବା ଦେଖିବାକୁ ମିଳିଥିଲା।

ସେ କହିଥିଲେ ଯେ ନେହେରୁ ଜୀ ଯୋଗ କରୁଥିଲେ, ଇନ୍ଦିରା ଜୀ ଯୋଗ କରୁଥିଲେ, ସୋନିଆ ଜୀ ଯୋଗ କରନ୍ତି ଏବଂ ଆମର ରାହୁଲ ଭାଇ ବି ଯୋଗ କରନ୍ତି । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ମଧ୍ୟ ସାମ୍ନାକୁ ଆସୁଛି । ଭାରତ ଯୋଡ଼ ଯାତ୍ରାରେ ଚାଲୁଛନ୍ତି । କେତେବେଳେ ଟି-ଶାର୍ଟରେ ତ କେତେବେଳେ କୁର୍ତ୍ତା ପାଇଜାମାରେ… ପ୍ରତିଦିନ ତାଙ୍କର ଚର୍ଚ୍ଚା ହେଉଛି । ପ୍ରତିଦିନ ଖବରରେ ହେଡଲାଇନ୍ ସୃଷ୍ଟି କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କୁ ଜାତୀୟ ଗଣମାଧ୍ୟମରେ ବହୁତ କମ୍ ସ୍ଥାନ ମିଳୁଥିଲା, ବର୍ତ୍ତମାନ ତାଙ୍କ ନାମର ଚର୍ଚ୍ଚା ହେଉଛି। ଏହା ହେଉଛି ତାଙ୍କର ବିଜୟ ଯାତ୍ରା ।”ବୋଲି ପତଞ୍ଜଳି ପ୍ରତିଷ୍ଠାତା ବାବା ରାମଦେବ କହିଥିଲେ।

Leave A Reply

Your email address will not be published.