ସ୍ବପ୍ନର ବେପାର କରୁଥିବା ଲୋକ କେବେ ଗୁଜୁରାଟରେ ସଫଳ ହେବେ ନାହିଁ : ଅମିତ ଶାହା

ନୂଆଦିଲ୍ଲୀ : ଗୁଜୁରାଟ ନିର୍ବାଚନକୁ ଲକ୍ଷ୍ୟରେ ରଖି ବର୍ତ୍ତମାନ ଗୁଜୁରାଟ ଗସ୍ତରେ ଅଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଗସ୍ତ ଅବସରରେ ସେ ଲଗାତାର ବିଜେପି ଉପରେ ଟାର୍ଗେଟ କରି ବୟାନ ଦେବା ସହ ବିଜୟ ପାଇଁ ଗୁଜରାଟ ବାସୀଙ୍କୁ ବିଭିନ୍ନ ପ୍ରତିଶୃତି ମାନ ଦେଉଛନ୍ତି କେଜ୍ରିୱାଲ।

ଏହାରି ମଧ୍ୟରେ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା । ଆଜି ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସ ମାମଧ୍ୟରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ କିଛି ପ୍ରକଳ୍ପକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ଶାହ କହିଥିଲେ, ଯେଉଁମାନେ ସ୍ୱପ୍ନର ବ୍ୟବସାୟ କରୁଛନ୍ତି, ସେମାନେ ଗୁଜରାଟରେ କେବେ ସଫଳ ହୋଇପାରିବେ ନାହିଁ। ମୁଁ ଗୁଜରାଟବାସୀଙ୍କୁ ଭଲ ଭାବେ ଚିହ୍ନିଛି। ଯେଉଁମାନେ କାମ କରନ୍ତି କେବଳ ସେମାନଙ୍କୁ ଗୁଜରାଟବାସୀ ସ୍ୱୀକୃତି ଦିଅନ୍ତି। ଯିଏ ବାସ୍ତବରେ କାମ କରୁଛି, ସିଏ ହେଉଛି ବିଜେପି। ବିଜେପି ପୁଣି ଗୁଜରାଟରେ କ୍ଷମତାକୁ ଫେରିବ। ଦଳ ବଡ଼ ବିଜୟ ହାସଲ କରି ପୁଣି ସରକାର ଗଠନ କରିବ। ଏଥି ସହିତ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଦୁଇ ତୃତୀୟାଂଶ ଆସନରେ ବିଜୟ ହାସଲ କରି ସରକାର ଗଢିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, ବିଜେପି ସରକାର ଅମଳରେ ଗୁଜୁରାଟରେ ବିକାଶ ହୋଇଛି । କଂଗ୍ରେସ ସରକାରଙ୍କ ଅମଳରେ ବୋମା ବିସ୍ଫୋରଣ, ସାଂପ୍ରଦାୟିକ ଦଙ୍ଗା ନିୟମିତ ଭାବେ ହେଉଥିଲା । ଏହି କାରଣରୁ ରାଜ୍ୟରେ ବିକାଶ ହୋଇପାରୁନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗୁଜୁରାଟ ଗତ ୨୦ ବର୍ଷରେ ବିକାଶର ରେକର୍ଡ କରିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅମଳରେ ଏହି ବିକାଶ ଯାତ୍ରାରେ ଏକ ନୂଆ ଶକ୍ତି ସଂଚାରିତ ହୋଇଛି ବୋଲି ଅମିତ ଶାହା କହିଛନ୍ତି ।

କିଏ ସ୍ବପ୍ନ ଦେଖାଏ ଲୋକ ଜାଣିଛନ୍ତି : ଅରବିନ୍ଦ କେଜ୍ରିୱାଲ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ହଁ, ଅମିତ ଶାହ ଠିକ୍ କହିଛନ୍ତି। ଯେଉଁମାନେ ବିଦେଶରୁ କଳାଧନ ଫେରାଇ ଆଣି ଦେଶର ପ୍ରତ୍ୟେକ ନାଗରିକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରି ଦେବାକୁ କହିଥିଲେ, ସେମାନଙ୍କୁ କଦାପି ବିଶ୍ୱାସ କରିବା ଉଚିତ୍ ନୁହେଁ। କେଜ୍ରିୱାଲ କହିଛନ୍ତି, ଯେଉଁମାନେ ମିଛ ସ୍ୱପ୍ନ ଦେଖାନ୍ତି, ଲୋକେ ସେମାନଙ୍କ କଥାରେ ଭାସିଯିବା ଉଚିତ୍ ନୁହେଁ। ଯେଉଁମାନେ ଦିଲ୍ଲୀ ଓ ପଞ୍ଜାବରେ ବିଦ୍ୟୁତ୍ ବ୍ୟବହାରକୁ ଦେୟମୁକ୍ତ କରି ଦେଇଛନ୍ତି, କେବଳ ସେମାନଙ୍କୁ ଲୋକେ ବିଶ୍ୱାସ କରିବା ଉଚିତ୍। ସେମାନେ (ଆପ୍) ଗୁଜରାଟରେ ମଧ୍ୟ ବିଦ୍ୟୁତ୍‌ ବ୍ୟବହାରକୁ ଦେୟମୁକ୍ତ କରିଦେବେ।

ସେ କହିଛନ୍ତି, ବିଜେପି ନିଜେ ସ୍ୱପ୍ନ ଦେଖୁଛି ଓ ଲୋକଙ୍କୁ ସ୍ୱପ୍ନ ଦେଖାଉଛି। ମୁଁ ଆଶ୍ଚର୍ଯ୍ୟ ଅମିତ ଶାହ କେମିତି ନିଜ ଦଳ ବିରୋଧରେ ଯାଇ ବୟାନବାଜି କରୁଛନ୍ତି। ସେ କହିଛନ୍ତି ସ୍ୱପ୍ନର ସୌଦାଗରମାନଙ୍କୁ ବିଶ୍ୱାସ କର ନାହିଁ।

Leave a comment