ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦୋଳ ଉତ୍ସବ : ହୋଲି ଖେଳିବା ସହ ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଆଜି ଦୋଳ ପୂର୍ଣ୍ଣିମା। ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଆଜି ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ।ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳା ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ ।
ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ଆସିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଫଗୁ ଖେଳିବେ । ତେବେ ପରମ୍ପରା ଅନୁସାରେ ଆଜି ଶ୍ରୀଜିଉ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ।ମହାଜନେ ଦୋଳିରେ ଦୋଳଠାକୁରଙ୍କୁ ବିଜେ କରିବା ପରେ ସର୍ବସାଧାରଣ ଦର୍ଶନ ହେବ । ନୀତି ସରିବା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡିବେ । ପରେ ସୁନାବେଶ କରାଯାଇ ମହାସ୍ନାନ ବଢିବ । ରାତି ସାଢେ ୧୦ଟା ପର୍ଯ୍ୟନ୍ତ ଠାକୁର ରାଜାଧିରାଜ ବେଶରେ ରହିବେ। ସୁନାବେଶରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଧ୍ୟାନ ଦେଇଛି ପ୍ରଶାସନ ।