ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହଜୁଛି ମାନବିକତା: ପୁଣି ୫ କୁକୁରଙ୍କୁ ବିଷଦେଇ ହତ୍ୟା

ବର୍ଷକରେ ୩୦କୁକୁରକୁ ମାରି ୭ ଗିରଫ

ଭୁବନେଶ୍ୱର: କିଏ ଘରେ ରଖି କୁକୁରଙ୍କୁ ଖାଇବାକୁ ଦେଉଛି ତ ଆଉ କିଏ ବୁଲା କୁକୁରଙ୍କୁ ସହର ସାରା ବୁଲାଉଛି। କିନ୍ତୁ କିଛି ଖଳ ପ୍ରକୃତିର ଲୋକେ କୁକୁରଙ୍କ ପ୍ରତି ଅମାନବିକକାଣ୍ଡ ଭିଆଉଛନ୍ତି। ରାଜଧାନୀରୁ ପୁଣି ସାମ୍‍ନାକୁ ଆସିଛି ଲୋମଟାଙ୍କୁରି ଉଠିବା ଭଳି ଦୃଶ୍ୟ। ଖଣ୍ଡଗିରି ଥାନା ଡେଲ୍‍ଟା ଛକ ନିକଟ ବରମୁଣ୍ଡା କଲୋନୀର ୫ଟି କୁକୁରଙ୍କ ବିଷ ଦେଇ ମରାଯାଇଥିବାର ଅଭିଯୋଗ ହୋଇଛି। ଆଜି ୫ଟି କୁକୁର କଲୋନୀର ବିଭିନ୍ନ ସ୍ଥାନରେ ମରି ପଡ଼ିଥିଲେ। ସେଥିରୁ ଗୋଟିଏ ଛୁଆ କୁକୁର ଦରମରା ଅବସ୍ଥାରେ ଛଟ୍‍ପଟ ହେଉଥିବା ବେଳେ ସ୍ଥାନୀୟ କିଛି ଯୁବକ କୁକୁର ଛୁଆକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ସେଠାରେ କୁକୁର ଛୁଆର ଚିକିତ୍ସା ଜାରିରହିଛି। ତେବେ କୁକୁର ଛୁଆକୁ ବିଷ ଦିଆଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସେପଟେ ମରିପଡ଼ିଥିବା ୫ଟି କୁକୁର ପାଟିରୁ ନାଳ ବାହାରୁଛି। ତେଣୁ ସମସ୍ତ କୁକୁରଙ୍କୁ କେହି ମାନବିକତା ହଜିଯାଇଥିବା ମଣିଷ ବିଷ ଦେଇଥିବା ସ୍ଥାନୀୟ ଯୁବକ ଅଭିଯୋଗ କରିଛନ୍ତି।

ସେହିପରି କ୍ୟାପିଟାଲ ଥାନା ଅଧୀନ ସୂର୍ଯ୍ୟନଗରରେ ଏକ କୁକୁର ଛୁଆକୁ କାର୍‍ ଚଢ଼େଇ ଜଣେ ଯୁବକ ମାରିଦେଇଛି। କାର୍‍ ଚାଳକ ଜାଣିଶୁଣି କୁକୁର ଛୁଆକୁ ଗାଡ଼ି ମଡାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ କାର୍‍ ନମ୍ବର ଓ ଚାଳକ ବିରୋଧରେ ସ୍ଥାନୀୟ କିଛି ଯୁବକ କ୍ୟାପିଟାଲ୍‍ ଥାନାରେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଚଳିତବର୍ଷ ରାଜଧାନୀରେ ୩୦ଟି କୁକୁରଙ୍କୁ ହତ୍ୟା କରାଯାଇଛି। ଏହି ଅଭିଯୋଗରେ ୭ଜଣଙ୍କୁ ଗିରଫ କରାଯିବା ସହ ୧୦ରୁ ଊର୍ଦ୍ଧ୍ବ ଗାଡ଼ିକୁ ଜବତ କରାଯାଇଛି। ସେହିପରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ କଲେଜ ସାମ୍ନାରେ କୁକୁରକୁ କୌଣସି ବ୍ୟକ୍ତି ଅତି ଅମାନୁଷିକ ଭାବେ ହତ୍ୟା କରିଛି। ତା’ ଗୋଡ଼କୁ ଏକ କପଡ଼ାରେ ବାନ୍ଧି ମୁଣ୍ଡକୁ ଛେଚି ଅତି ଅମାନବିକ ଭାବେ ହତ୍ୟା କରିଛି। ସେପରି ଚନ୍ଦ୍ରଶେଖରପୁର ପୁଲିସ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ଏଭଳି କରିଥିବା ତଦନ୍ତରେ ଜଣାପଡ଼ିଥିଲା। ହେଲେ ପୁଲିସ ତାଙ୍କୁ ନୋଟିସ୍‍ କରି ଛାଡ଼ିଦେଇଛି। ଏଥିପାଇଁ ପୁଲିସକୁ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ପୂର୍ବରୁ ମଧ୍ୟ ଉକ୍ତ ଥାନା ଅଞ୍ଚଳରେ ଜଣେ କାର୍‍ ଚାଳକ ଗୋଟିଏ ମା’ କୁୁକୁର ସମେତ ୪ଟି ଛୁଆକୁ ମଧ୍ୟ ଗାଡି ଚଢ଼ାଇ ମାରିଦେଇଥିଲା। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିଲା। କୁକୁରକୁ ମାରି ଯୁବକ ଗିରଫ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହିପରି ଖାରବେଳନଗର ଅଞ୍ଚଳରେ ଏକ ପୋଷା ବିଲେଇକୁ ଜଣେ ଯୁବକ ଗୁଳିରେ ମାରିଦେଇଥିଲା। ଏହାପରେ ଉକ୍ତ ଯୁବକକୁ ପୁଲିସ ଥାନାକୁ ନେଇ ନୋଟିସ କରି ଛାଡି ଦେଇଥିଲା। ସେପଟେ ଶ୍ରୀଲିଙ୍କରାଜ ଥାନା ଅଞ୍ଚଳରେ ଗର୍ଭବତୀ କୁକୁରକୁ ପିଟିପିଟି ମାରିଦେବା ଘଟଣା ହେଉ କି ସେହି ଥାନା ଅଞ୍ଚଳରେ ୫ଟି କୁକୁରକୁ ଗାଡ଼ି ମଡ଼ାଇ ମାରଦେବା ଘଟଣା ହେଉ; ଏସବୁ ଘଟଣାରେ ପୁଲିସ ଏଭଳି କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ସେହିପରି ଚନ୍ଦ୍ରଶେଖରପୁର, ସହିଦନଗର ଥାନା ଅଞ୍ଚଳରେ ୩ଟି ଲେଖାଏଁ, କ୍ୟାପିଟାଲ ଥାନା, ଇନ୍‍ଫୋସିଟି ଥାନା ଅଞ୍ଚଳରେ ୨ଟି ଲେଖାଏଁ କୁକୁର ଓ ବଡ଼ଗଡ଼଼, ଲକ୍ଷ୍ମୀସାଗର ଆଦି ଥାନାରେ କୁକୁରଙ୍କୁ ମାରି ଅନେକ ବ୍ୟକ୍ତି କୃରତାକୁ ପ୍ରତିପାଦିତ କରିଛନ୍ତି। କୁକୁରଙ୍କୁ ହତ୍ୟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭିନ୍ନ ସଂଗଠନ ଦାବି କରିଛନ୍ତି।

Leave A Reply

Your email address will not be published.