ଗାଡ଼ିରେ ପ୍ରସୂତି କରିଥିବା ମହିଳାକୁ ଛୁଇଁଲେନି ଡାକ୍ତର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଣ୍ଟା ଘଣ୍ଟା ଧରି ଗେଟ୍‌ ଆଗରେ ପଡ଼ି ରହିଲେ ମା’ ଓ ନବଜାତ ଶିଶୁ

ନୀଳଗିରି:  ଆଜିର ସମାଜରେ ଡାକ୍ତରଙ୍କୁ ଭଗବାନ ବୋଲି ମାନିଥାନ୍ତି । ଡାକ୍ତରଙ୍କ ହାତର ସ୍ପର୍ଶ ରୋଗୀ ଦେହରେ ବାଜିଲେ କିଛି ମାତ୍ରାରେ ରୋଗ ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାତ୍ର ନୀଳଗିରି ଡାକ୍ତରଖାନାରେ ଅଜି ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ତଥା ସମ୍ବେଦନଶୀଳ ଘଟଣା ସମସ୍ତଙ୍କୁ ଚକିତ କରିଛି। ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣା ହେବାରୁ ବେସରକାରୀ ଆମ୍ବୁଲାନ୍‌ସରେ ନୀଳଗିରି ମେଡିକାଲ ଆସୁଥିବା ବେଳେ ହଠାତ୍‌ ବାଟରେ ଆମ୍ବୁଲାନ୍‌ସ ଭିତରେ ପିଲା ଜନ୍ମ ହୋଇଗଲା । ସଂଗରେ ଆଶା ଦିଦି ମଧ୍ୟ ଥିଲେ। ପିଲାଟିର ନାଡ଼ି କାଟିବା ପାଇଁ ନୀଳଗିରି ମେଡିକାଲର ପ୍ରସୂତୀ ବିଭାଗର ଡାକ୍ତର ପହଞ୍ଚିଥିଲେ । ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଆଶାଦିଦି ଜଣକ ସମସ୍ତ ଘଟଣା ବିଷୟରେ କହିବା ସହ ତୁରନ୍ତ ଚିକିତ୍ସା ସହ ପିଲାଟିର ନାଡ଼ି କାଟିବା ପାଇଁ କାକୁତିମିନତି ହୋଇଥିଲା । ମାତ୍ର ଡା. ତ୍ରିନାଥ ପାଲ ରୋଗୀର ସମସ୍ତ ରିପୋର୍ଟ ମାଗିବା ସହ ରୋଗୀକୁ ବାହାରେ ରଖ ବୋଲି ରୋକଠୋକ କହିବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନବଜାତ ଶିଶୁ ଓ ତାର ମାଆ ଗେଟ୍‌ ଆଗରେ ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ।

ଏପରି ଏକ ସମ୍ବେଦନଶୀଳ ଘଟଣା ନୀଳଗିରି ଥାନା ଅଧିନସ୍ଥ ବେଗୁନିଆ ଗ୍ରାମର ରାମଚନ୍ଦ୍ର ପଲେଇଙ୍କ ସ୍ତ୍ରୀ ମିନତୀ ପଲେଇଙ୍କ ସହ ଘଟିଛି। ତାଙ୍କର ସ୍ୱାମୀ ଗୁଜୁରାଟରେ ରହୁଥିବା ବେଳେ ଡେଲିଭରି ପାଇଁ ୨ଦିନ ପୂର୍ବରୁ ଗ୍ରାମକୁ ଆସିଥିଲେ । ଆଜି ଯନ୍ତ୍ରଣା ହେବାରୁ  ଆମ୍ବୁଲାନ୍‌ସରେ ଆଶାଦିଦି ମହିଳାଙ୍କୁ ଧରି ନୀଳଗିରି ମେଡିକାଲ ଆସୁଥିବା ବେଳେ ଧୋବଶିଳା ଠାରେ ହଠାତ୍‌ ପ୍ରସବ ହେବାରୁ ମାଆ ଓ ଛୁଆଙ୍କୁତୁରନ୍ତ ମେଡିକାଲ ଆଣିଥିଲେ । ଡାକ୍ତର ତ୍ରିନାଥ ପାଲ ମଣିଷପଣିଆକୁ ଭୁଲିଯାଇ ବିରକ୍ତି ଭାବ ପ୍ରକାଶ କରି ଗେଟ୍‌ ପାଖରେ ମାଆ ଓ ଛୁଆକୁ ରଖ, ମୁଁ ସମସ୍ତ ରିପୋର୍ଟ ଦେଖିଲା ପରେ ରୋଗୀକୁ ଛୁଇଁବି ବୋଲି କହିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ମେଡିକାଲ ପରିସରରେ ଉେତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ବହୁ ସମୟ ଅପେକ୍ଷା ପରେ ପିଲାର ନାଡ଼ି କଟାଯିବା ସହ ମାଆକୁ ଚିକିତ୍ସା କରାଯାଇଥିଲା । ଯଦି ଡା. ପାଲ ରୋଗୀଙ୍କୁ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କରାଇଥାନ୍ତେ, ତେବେ ଏପରି ଘଟଣା ଘଟି ନ ଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a comment