ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ୟାସ୍ଥିତି ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ: କ୍ଷୟକ୍ଷତି ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ଖୋର୍ଦ୍ଧା: ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ବଢି ପାଣି କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ଥିବା ଲୋକ ମାନଙ୍କୁ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ ଅବ୍ୟାହତ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଜଳ ଛାଡିବା ପରେ ପାନୀୟ ଜଳ, ସ୍ବାସ୍ଥ୍ୟ, ସଡକ ପଥ, ବିଦ୍ୟୁତ ସଂଯୋଗ ପୁନଃ କାର୍ଯ୍ୟକ୍ଷମ କରିବା ସହ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଜଳଉତ୍ସ ଏବଂ ନଳକୂପ ବିଶୋଧନ, ଜନସ୍ବାସ୍ଥ୍ୟ, ପଶୁସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି ।

ସେହିଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସନ୍ତା ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତି କ୍ଷତିପୂରଣ ପାଇବା ତାଲିକାଭୁକ୍ତ ନହେବାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି । କୃଷି, ଉଦ୍ୟାନ କୃଷି, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ବାସଗୃହ,ପ୍ରାଣୀଧନ,ମତ୍ସ, ସଡକ ସମେତ ବିଭିନ୍ନ ବିଭାଗୀୟ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆକଳନ ନିମନ୍ତେ ପ୍ରତି ବ୍ଲକସ୍ତରରେ ଟିମ ମାନ ଗଠନ କରାଯିବ । ଉକ୍ତଟିମରେ ପଞ୍ଚାୟତିରାଜ, ରାଜସ୍ବ ଏବଂ ସଂପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ରହିବେ । ଏହିଟିମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଆକଳନ ବେଳେ ସଂପୃକ୍ତ ହିତାଧିକାରୀଙ୍କ କ୍ଷୟକ୍ଷତି ସ୍ଥାନର ଫଟୋ ଜିଓଟ୍ୟାଗିଂ କରିବେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମିଶ୍ର, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ଲକରେ ସଂପୃକ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.