ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଡିଜେ ଆଜେକ୍ସ’ଙ୍କ ଆତ୍ମହତ୍ୟା ମାମଲା : ପୋଷ୍ଟମର୍ଟମ ରିପୋର୍ଟରେ ମିଳିଲା ମୃତ୍ୟୁର କାରଣ, ବାନ୍ଧବୀଙ୍କୁ ଜେରା କରୁଛି ସ୍ପେଶାଲ ଟିମ୍

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣା ଆତ୍ମହତ୍ୟା ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ନାହିଁ ଚିହ୍ନ । ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ତେବେ ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମକାହାଣୀ ଓ ବ୍ଲାକମେଲ୍‌‌ର ଅଭିଯୋଗ ରହିଥିବାରୁ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଇ ତଦନ୍ତ କରାଯାଉଛି। ଆଜେକ୍ସ ଆତ୍ମହତ୍ୟା ପଛରେ ବାନ୍ଧବୀଙ୍କ ହାତ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଆଇପିସି ଦଫା ୩୦୬ରେ ମାମଲା ରୁଜୁ କରିବା ସହ ଆଜି ହାଜର ଥାନାରେ ହାଜର ହେବା ପାଇଁ ନୋଟିସ କରିଥିଲା। ମିଳିଥିବା ସୂଚନା ଅନୁସାରେ ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ଜେରା କରୁଛି ଖାରବେଳ ନଗର ପୁଲିସ । ଯାଆଁଳାଠାରେ ସ୍ପେଶାଲ ଟିମ୍ ଜେରା କରୁଥିବା ସୂଚନା ମିଳିଛି। ୧୬୧ ଧାରାରେ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଛି। ବାନ୍ଧବୀଙ୍କ ସହ କେବେଠାରୁ ଦେଖା, ଶେଷ ଥର କଲ କାହିଁକି କରିଥିଲେ? ଭିଡିଓ କଲରେ କଣ କଥା ହୋଇଥିଲେ ? ଏ ବାବଦରେ ପଚରା ଉଚରା କରିଛି ପୁଲିସ ।

ଅନ୍ୟପଟେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ମଗାଯାଇଛି। ଆଜେକ୍ସଙ୍କ ସିଡିଆର୍‌‌ ନେଇ ମଧ୍ୟ ଯାଞ୍ଚ ଚାଲିଛି। ଆଉ କଲ୍‌‌ ରେକର୍ଡରୁ ପ୍ରମାଣ ମିଳିପାରେ ବୋଲି ପୁଲିସ ଆଶା କରିଛି। ସେଭଳି ବ୍ୟାଙ୍କ ସହ ପୁଲିସ ଯୋଗାଯୋଗ କରିଛି। ପ୍ରେମିକାଙ୍କ ଆକାଉଣ୍ଟ କାରବାର ନେଇ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି। ବିଭିନ୍ନ ସମୟରେ ପ୍ରେମିକାଙ୍କ ଜମାଖାତାକୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଡିଜେ ଆଜେକ୍ସ ଦେଇଥିବା କୁହାଯାଉଛି।

ସେପଟେ ମୃତ୍ୟୁ ପୂର୍ବ ଦିନ ଅର୍ଥାତ୍‌‌ ଶୁକ୍ରବାର ରାତିରେ ଆଜେକ୍ସଙ୍କୁ ପ୍ରେମିକା ମାଡ଼ ମାରିଥିବା ଆଜେକ୍ସଙ୍କ ସାଙ୍ଗ ଆଣିଛନ୍ତି ସାଂଘାତିକ ଅଭିଯୋଗ। କେବଳ ମାଡ଼ ମାରି ନ ଥିଲେ ଦୂରେଇ ଯିବାକୁ ଆଜେକ୍ସକୁ କହିଥିଲେ। ନଚେତ୍‌‌ ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଭାଇରଲ୍‌‌ କରିବାକୁ ଧମକ ଦେଇଥିଲେ। ଏଥିସହ ତାଙ୍କ ବାପା ତମାଣ୍ଡୋର ଜଣେ ବଡ଼ ଗୁଣ୍ଡା କହି ଆଜେକ୍ସଙ୍କୁ ଧମକାଇଥିଲେ ପ୍ରେମିକା। ଆଜେକ୍ସଙ୍କୁ ସେ ସାଇଡ୍‌‌ ହୋଇଯିବା ପାଇଁ କହିଥିଲେ। ମାତ୍ର ଆଜେକ୍ସ ଏହାକୁ ଗ୍ରହଣ ନ କରିପାରି ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି। ସେଭଳି ଆଜେକ୍ସଙ୍କ କିଛି ଫଟୋ ଓ ଭିଡିଓ ଭାଇରାଲ୍‌‌ କରିଦେବେ ବୋଲି ସେମାନେ ଧମକ ଦେଇ ବ୍ଲାକ୍‌‌ମେଲ କରୁଥିଲେ। ଆଜେକ୍ସଙ୍କ ମୋବାଇଲ ଫୋନ୍‌‌ରେ ସବୁ ତଥ୍ୟ ରହିଛି। ଏସବୁ ଦିଗକୁ ନେଇ ତଦନ୍ତ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ବନ୍ଧୁମାନେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏକ ମାତ୍ର ପୁଅକୁ ହରାଇବା ପରେ ମା ଆଖିରୁ ଲୁହ ଶୁଖୁନି। ଡିଜେ ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମହାରଣା କହିଛନ୍ତି, ମୋ ପୁଅ ସହ ସେହି ଝିଅର ସମ୍ପର୍କ ବିଷୟରେ ମୁଁ ବର୍ଷେ ହେଲା ଜାଣିଥିଲି। ଗତ କାର୍ତ୍ତିକ ପୂର୍ଣ୍ଣିମାରେ ସେ ଝିଅ ସହିତ ମୋ ପୁଅ ମୋତେ ଦେଖାକରି ଦେଇଥିଲା। ସମାନ ଜାତି ଥିବାରୁ ମୁଁ ସେ ଝିଅକୁ ବୋହୂ କରିବି ବୋଲି ରାଜି ହୋଇଥିଲି। ମାତ୍ର ଝିଅ ମୋ ପୁଅକୁ ବରବାଦ କରିଦେଲା। ମୋ ପୁଅକୁ ଫସାଇ ମାରିଦେଲା। ମୋ ପୁଅ ପାଖରୁ ସେ ଝିଅ ପଇସାପତ୍ର ନିଏ। ବଡ଼ବଡ଼ ହୋଟେଲକୁ ସେ ଝିଅକୁ ମୋ ପୁଅ ନେଇ କି ଯାଏ। ସେ ଝିଅ ମୋ ପୁଅକୁ ବ୍ଲାକମେଲ କରୁଥିଲା। ମୋ ପୁଅ ସେତିକି କଷ୍ଟ ପାଇଛି ବୋଲି ସେ ଆତ୍ମହତ୍ୟା କରିଛି। ମୋ ପୁଅକୁ ନ୍ୟାୟ ଦରକାର। ସେ ଝିଅକୁ ଦଣ୍ଡ ମିଳୁ ବୋଲି ଅକ୍ଷୟଙ୍କ ମା’ କହିଛନ୍ତି।

Leave A Reply

Your email address will not be published.