ପାରିବାରିକ କଳହରୁ ବଢୁଛି ବିବାହ ବିଚ୍ଛେଦ

ଭୁବନେଶ୍ୱର : ରାଜଧାନୀରେ ଉଦ୍‍ବେଗଜନକ ଭାବେ ବଢ଼଼ୁଛି ପାରିବାରିକ କଳହ। ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ଧନୀ ପରିବାରରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ବିବାହ ପୂର୍ବରୁ ପତୀ, ପତ୍ନୀଙ୍କ ମଧ୍ୟରେ ଯେଭଳି ବୁଝାମଣା ରହୁଥିଲା, ବିବାହ ପରେ ତାହା ସୁଦୃଢ଼ ହୋଇପାରୁନାହିଁ। ଯେଉଁଥି ପାଇଁ ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଦେଖାଯାଉଛି। ପରକୀୟା ପ୍ରୀତି ପାଇଁ ଏକାଧିକ ଘର ଉଜୁଡ଼ି ଯାଉଛି। ବିଶେଷ କରି ପ୍ରେମ ବିବାହ କରିଥିବା ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ବିଗତ କିଛି ବର୍ଷ ହେବ ଭୁବନେଶ୍ୱର ଫ୍ୟାମିଲ୍‍ କୋର୍ଟ ଏବଂ ଡିସିପି ଅଫିସରେ ଥିବା ‘ମାଧ୍ୟମ’ରେ ବିବାହ ବିଚ୍ଛେଦ ବଢ଼଼ିବାରେ ଲାଗିଛି।

୧୯୫୫ ଆକ୍ଟ ସେକ୍ସନ ୧୩ ଅନୁସାରେ ଜଣେ ବ୍ୟକ୍ତି ବିବାହ ବିଚ୍ଛେଦ(ଡିଭସ୍‍) ପାଇଁ ଫ୍ୟାମିଲ କୋର୍ଟରେ ଆବେଦନ କରିପାରିବେ। ଉଭୟ ପତି, ପତ୍ନୀ ସ୍ୱଇଚ୍ଛାରେ ବିବାହ ବିଚ୍ଛେଦ ପାଇଁ ଆବଦେନ କରିଲେ ତାହା ଶୀଘ୍ର ହୋଇଥାଏ। ଯଦି ଦମ୍ପିତିଙ୍କ ମଧ୍ୟରୁ ଜଣେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରନ୍ତି, ତେବେ କୋର୍ଟ ଅନ୍ୟ ପକ୍ଷକୁ ନୋଟିସ୍‍ କରିଥାଏ। ପ୍ରଥମେ ଉଭୟଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରାଯାଇଥାଏ। ଉଭୟ ପକ୍ଷ କୋର୍ଟରେ ନିଜର ପକ୍ଷ ରଖିବା ପରେ କୋର୍ଟ ବିଚ୍ଛେଦ ପାଇଁ ଅନୁମତି ଦେଇଥାନ୍ତି। ବିଚ୍ଛେଦ ପୂର୍ବରୁ ଏବେ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ, ପରିବାର ଅଦାଲତରୁ ଯାଉଥିବା ମାମଲାକୁ କାଉନ୍‍ସେଲିଂ କଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ।

‘ମାଧ୍ୟମ’କୁ ଆସିଛି ଅଢ଼େଇ ହଜାର ମାମଲା

ବିଭିନ୍ନ ଥାନାକୁ ଆସିଥିବା ପାରିବାରିକ କଳହ ମାମଲା ପୁଲିସ ‘ମାଧ୍ୟମ’କୁ ପଠାଇ ଦେଇଛନ୍ତି। ସେମାନେ ଦମ୍ପତିଙ୍କ ମଧ୍ୟରେ ପ୍ରଥମେ କାଉନସିଲିଂ କରି ଆପୋସ ବୁଝାମଣା କରିଥାନ୍ତି। ଯଦି ସେଠାରେ କୌଣସି ବୁଝାମଣା ହୁଏନାହିଁ ତେବେ ସେମାନେ ଡିଭସ୍‍ ପାଇଁ କୋର୍ଟକୁ ପଠାଇ ଦେଇଥାନ୍ତି। ୨୦୧୪ରେ ୧୨୭ଟି ମାମଲା ଆସିଥିବା ବେଳେ ୨୦୧୫ରେ ୩୦୧ଟି ମାମଲା ଆସିଛି। ସେହିଭଳି ୨୦୧୬ରେ ୨୭୪, ୨୦୧୭ରେ ୩୩୪ଟି ମାମଲା ଆସିଛି। ସେହିପରି ୨୦୧୮ରେ ୩୩୯, ୨୦୧୯ରେ ୨୬୫ଟି ମାମଲା ଆସିଥିବା ବେଳେ ୨୦୨୦ରେ ୨୬୬ ଏବଂ ୨୦୨୧ରେ ୩ଶହ ଏବଂ ୨୦୨୨ରେ ମେ’ ୨୦ ସୁଦ୍ଧା ୧୫୦ ମାମଲା ପାର୍‍ କଲାଣି।

ବିବାହ ବିଚ୍ଛେଦ ପ୍ରମୁଖ କାରଣ

କୋର୍ଟ ଏବଂ ମାଧ୍ୟମକୁ ଆସୁଥିବା ଏକାଧିକ ମାମଲା ପରକୀୟା ପ୍ରୀତି ବୋଲି ଜଣାପଡ଼ିଛି। ଅନୈତିକ ସମ୍ପର୍କ ସନ୍ଦେହରେ ପତି,ପତ୍ନୀଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥାଏ। କୋର୍ଟକୁ ଆସୁଥିବା ମାମଲା ମଧ୍ୟରୁ ୪୦ ପ୍ରତିଶତ ମାମଲା ଅନୈତିକ ସମ୍ପର୍କରୁ ହିଁ ଘଟୁଛି। ସେହିପରି ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ଆଉ ଏକ କାରଣ ହେଲା ଅନେକ ନବ ବିବାହିତ ମହିଳା ଯୌଥ ପରିବାରରେ ରହିବାକୁ ଇଚ୍ଛା କରୁନାହାନ୍ତି।

ସେମାନେ ସ୍ୱାମୀଙ୍କ ସହ ସହରରେ ରହିବାକୁ ଚାହୁଁଛନ୍ତି। ଯେଉଁଥି ପାଇଁ ଶାଶୂ, ଶଶୁରଙ୍କ ସାମାନ୍ୟ କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇ ବିବାହ ବିଚ୍ଛେଦର କାରଣ ସାଜୁଛି। ଅନ୍ୟଏକ ବଡ଼ କାରଣ ହେଲା ପରିବାର ଲୋକଙ୍କ ବିନା ସମ୍ମତିରେ ବିବାହ କରିବା। ଅନେକ ପ୍ରେମୀଯୁଗଳ ପ୍ରେମ ବିବାହ କରି ଘର ଠାରୁ ଦୂରେଇ ରହୁଛନ୍ତି। କିଛି ମାସ ଏକାଠି ରହିବା ପରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଦେଖାଦେଉଛି।

କୋର୍ଟରେ ୮ ହଜାର ପାଖାପାଖି ମାମଲା

ଅଭିନେତା ଅନୁଭବ ଏବଂ ବର୍ଷା, ଡିମ୍ପଲ ଏବଂ ସୁମିତଙ୍କ ଭଳି ଏବେ ଭୁବନେଶ୍ୱର କୋର୍ଟରେ ପାଖାପାଖି ୮ ହଜାର ବିବାହ ବିଚ୍ଛେଦ ମାମଲା ଗଡ଼ୁଛି। ଯାହାକି ଏବେ ବି ବିଚାରଧୀନ ରହିଛି। ଭୁବନେଶ୍ୱର ଫ୍ୟାମିଲ୍‍ କୋର୍ଟରେ ୨୦୧୫ରେ ୬୫୦ଟି ବିବାହ ବିଚ୍ଛେଦ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ଏହା ପରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା। ୨୦୧୬ରେ ୮୬୦ଟି ଆବେଦନ କରାଯାଇଥିବା ବେଳେ ୨୦୧୭ରେ ୮୭୦ଟି ଆବେଦନ ହୋଇଥିଲା। ୨୦୧୮ରେ ୯୮୦ଟି ଆବେଦନ କରାଯାଇଥିଲା।

ସେହିପରି ୨୦୧୯ରେ ୧୦୯୫ଟି ବିବାହ ବିଚ୍ଛେଦ ଆବେଦନ କରାଯାଇଥିଲା। କିନ୍ତୁ କୋଭିଡ୍‍ ପାଇଁ ୨୦୨୦ରେ ଏହା କମି ୯୨୦ ଏବଂ ୨୦୨୧ରେ ୧ହଜାର ମାମଲା ହୋଇଥିଲା। ସେହିପରି ୨୦୨୨ରେ ବର୍ତ୍ତମାନ ସୁଦ୍ଧା ୧୩ ଶହ ଆବେଦନ ହୋଇଛି। ଭୁବନେଶ୍ୱର କୋର୍ଟରେ ଯଦି ଏତିକି ବିବାହ ବିଚ୍ଛେଦ ମାମଲା ହେଉଛି ତେବେ ସାରା ଓଡ଼ିଶାରେ କେତେ ଯେ ମାମଲା ହେଉଥିବା ଏଥିରୁ ତାହା ସ୍ପଷ୍ଟ ଅନୁମେୟ।

Leave a comment