‘ମହାମାରୀ’ ପରିଚାଳନାରେ ଅଦ୍ୱିତୀୟ: ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ସହ ଅନ୍ୟ ରାଜ୍ୟକୁ ଯୋଗାଇ ଦେଇଥିଲେ ଜୀବନରକ୍ଷାକାରୀ ଅକ୍ସିଜେନ୍

ବିପର୍ଯ୍ୟୟ ପରିଚାଳନାରେ ସାରା ଦେଶରେ ଅପ୍ରତିଦ୍ୱନ୍ଦ୍ୱୀ ପାଲଟିଥିବା ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷ ଶାସନ ମଧ୍ୟରେ ସବୁଠୁ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା ମହାମାରୀ। ୫ମ ପାଳି ଆରମ୍ଭର କିଛି ମାସ ମଧ୍ୟରେ ସମଗ୍ର ବିଶ୍ୱକୁ ଗ୍ରାସ କରିଥିଲା କୋଭିଡ୍-୧୯। ତେବେ ଓଡ଼ିଶା ସରକାର ମହାମାରୀର ସଫଳ ମୁକାବିଲା କରି ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ସହ ଅନ୍ୟ ରାଜ୍ୟର ଜନସାଧାରଣଙ୍କ ପାଇଁ ଯୋଗାଇ ଦେଇଥିଲେ ଜୀବନରକ୍ଷାକାରୀ ଅକ୍ସିଜେନ୍। ଦେଶର ପ୍ରଥମ ରାଜ୍ୟଭାବେ ସଂକ୍ରମଣରୁ ସୁରକ୍ଷା ଲାଗି ରାଜ୍ୟ ସରକାର ପ୍ରଥମେ ଲକ୍ଡାଉନ୍ ଘୋଷଣା କରିଥିଲେ। ମହାମାରୀ ସମୟରେ ଓଡ଼ିଶା ସୀମା ଦେଇ ଯାଉଥିବା ହଜାର ହଜାର ଶ୍ରମିକଙ୍କ ସହାୟତା ଲାଗି ମଧ୍ୟ ସରକାର ହାତ ବଢ଼ାଇ ଥିଲେ। ସେମାନଙ୍କର ସୁଗମ ପରିବହନ, ଖାଦ୍ୟପେୟ, ଚିକିତ୍ସା ସୁବିଧା କରିଥିଲେ। ଅନ୍ୟ ରାଜ୍ୟରେ ଯେତେବେଳେ ପ୍ରବାସୀ ଶ୍ରମିକ ରାସ୍ତାରେ ପଡ଼ି ପ୍ରାଣ ହରାଉଥିଲେ ଓଡ଼ିଶାରେ ସେତେବେଳେ ପ୍ରବାସୀ ଶ୍ରମିକ ପାଇଥିଲା ଆତିଥେୟତା। କେବଳ ଓଡ଼ିଶାକୁ ୧୨ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ। ଅନ୍ୟ ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ଦୁଆର ବନ୍ଦ କରି ଦେଇଥିବା ବେଳେ ଓଡ଼ିଶା କିନ୍ତୁ ସମସ୍ତଙ୍କୁ ସ୍ୱାଗତ କରିଥିଲା। ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପ୍ରବାସୀଙ୍କୁ ନିଜ ଜନ୍ମଭୂଇଁକୁ ଫେରାଇ ଆଣିଥିଲେ ନବୀନ। ପ୍ରଥମ ରାଜ୍ୟ ଭାବେ ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲେ। ସେହିପରି ଅନ୍ୟ ରାଜ୍ୟର ଅମ୍ଳଜାନ ଅଭାବକୁ ମଧ୍ୟ ଓଡ଼ିଶା ଦୂର କରିଥିଲା। ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନ ସହାୟତାରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ମେଡିକାଲ ଅମ୍ଳଜାନ୍ ଉତ୍ପାଦନ କରି ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ପ୍ରେରଣ କରିବା ବ୍ୟବସ୍ଥା କରିଥିଲେ। ଅପରପକ୍ଷେ ତ୍ୱରିତ କୋଭିଡ୍ ମେଡିକାଲ ପ୍ରସ୍ତୁତି, ଘରୋଇ ସଂସ୍ଥାଙ୍କ ସହଭାଗିତା ହାସଲ କରିବା, ଜୀବନ ରକ୍ଷାକାରୀ ଔଷଧ ମହଜୁଦ କରିବା, ଗ୍ରାମାଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିବାରେ ଓଡ଼ିଶା ଅଗ୍ରଣୀ ରହିଥିଲା। ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇ କୋଭିଡ୍ ପରିଚାଳନାକୁ ଅଧିକ କ୍ରୀୟାଶୀଳ କରିଥିଲେ ମୁଖ୍ୟମନ୍ତ୍ରୀ।

back home in covid

ଜୀବନ ରକ୍ଷାକାରୀ ବିଏସ୍କେୱାଇ
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। କର୍କଟ, ହୃଦ୍ରୋଗ, କିଡ୍ନୀ ଭଳି ବ୍ୟୟବହୁଳ ବ୍ୟାଧିର ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିଛି ବିଏସ୍କେୱାଇ। ଯଦିଓ ତିନି ବର୍ଷ ପୂର୍ବରୁ ବିଏସ୍କେୱାଇ ଆରମ୍ଭ ହୋଇଥିଲା, ତେବେ ଶାସନର ପଞ୍ଚମ ପାଳିରେ ଏହି ଯୋଜନାର ନବକଳେବର ହୋଇଛି। ଏହି କାର୍ଡର ପ୍ରଚଳନ ପରେ ହିତାଧିକାରୀଙ୍କ ସଂଖ୍ୟା ଦୁଇ ଗୁଣା ଓ ବ୍ୟୟଭାର ପ୍ରାୟ ଚାରି ଗୁଣା ବୃଦ୍ଧି ପାଇଛି। ଏବେ ମାଗଣା ଚିକିତ୍ସା ବାବଦରେ ରାଜ୍ୟ ସରକାର ଦୈନିକ ୩ କୋଟିରୁ ଅଧିକ ଟଙ୍କା ବ୍ୟୟ କରୁଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ଓଡ଼ିଶା ସରକାର ହିତାଧିକାରୀଙ୍କର ମାଗଣା ଚିକିତ୍ସା ପାଇଁ ଦୈନିକ ୧.୬ କୋଟି ଟଙ୍କା ବ୍ୟୟ କରୁଥିଲେ। ତେବେ ଏପ୍ରିଲ ମାସରେ ଦୈନିକ ଖର୍ଚ୍ଚ ୩.୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ଦୈନିକ ଖର୍ଚ୍ଚ ଯଥାକ୍ରମେ ୨ କୋଟି ଏବଂ ୩ କୋଟି ଟଙ୍କା ରହିଥିଲା। ସେହିପରି ଜାନୁଆରୀ ମାସରେ ରାଜ୍ୟ ସରକାର ବିଏସ୍କେୱାଇରେ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୪୭.୦୨ କୋଟି ଟଙ୍କା ଘରୋଇ ଡାକ୍ତରଖାନାକୁ ଦେଇଥିଲେ। ସେହିପରି ଫେବ୍ରୁଆରୀ ମାସରେ ୬୦.୦୨ କୋଟି, ମାର୍ଚ୍ଚ ମାସରେ ୮୯.୨୭ କୋଟି ଏବଂ ଏପ୍ରିଲ ମାସରେ ୯୩.୮୬ କୋଟି ଟଙ୍କା ବ୍ୟୟ କରାଯାଇଛି। ବିଏସ୍କେୱାର ସଫଳତାକୁ ଦୃଷ୍ଟିରେ ରଖି ନିକଟରେ ରାଜସ୍ଥାନ ସରକାର ଅନୁରୂପ ଯୋଜନା ଆରମ୍ଭ କରିଛନ୍ତି। କିଡ୍ନୀ, କର୍କଟ, ହୃଦରୋଗ, ଟ୍ୟୁମର୍ ଭଳି ଜଟିଳ ରୋଗର ଚିକିତ୍ସା କରାଯାଉଛି। ସମସ୍ତ ସରକାରୀ ଡାକ୍ତରଖାନା ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୨୫୦ରୁ ଅଧିକ ପ୍ରମୁଖ ଘରୋଇ ଡାକ୍ତରଖାନାକୁ ଏହି ସେବା ସହିତ ଯୋଡ଼ାଯାଇଛି। ନିକଟରେ ରାଜ୍ୟ ବାହାରେ ଥିବା ୫୦ଟି ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇଛି। ଆଗକୁ ଆହୁରି କିଛି ପ୍ରମୁଖ ଡାକ୍ତରଖାନାକୁ ବିଏସ୍କେୱାଇରେ ସାମିଲ କରିବା ପାଇଁ ଯୋଜନା ହୋଇଛି। ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ବ୍ୟବସ୍ଥା କରାଯାଇଛି।

BSKY

ଜନକୈନ୍ଦ୍ରିକ ଶାସନ
ପଞ୍ଚାୟତରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ, ଜନ୍ମମୃତ୍ୟୁ ପଞ୍ଜୀକରଣଠାରୁ ନେଇ ହଜାର ହଜାର କୋଟି ଟଙ୍କା ମୂଲ୍ୟର ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା, ସବୁଠି ରହିଛି ‘୫-ଟି’ର ସ୍ୱାକ୍ଷର। ପୂର୍ବରୁ ରହିଥିବା ‘୩-ଟି’ ଉପକ୍ରମ (ଟିମ୍ ୱାର୍କ, ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି) କିନ୍ତୁ ପଞ୍ଚମ ପାଳିରେ ଏହା ଆହୁରି ସଶକ୍ତ ହୋଇଛି। ଏଥିରେ ଯୋଡ଼ି ହୋଇଛି ଆଉ ଦୁଇଟି ‘ଟି’ (ଟାଇମ୍ଲାଇନ୍ ଓ ଟ୍ରାନ୍ସଫର୍ମେସନ୍)। ୫-ଟି ସହିତ ମୋ ସରକାର ଭଳି ଅଭିନବ ପଦକ୍ଷେପ ଆଜି ଜୀବନ ଧାରଣ ମାନରେ ଗୁଣାତ୍ମକ ପରିବର୍ତ୍ତନକୁ ସୁନିଶ୍ଚିତ କରିଛି। ଜନକୈନ୍ଦ୍ରିକ କାର୍ଯ୍ୟକ୍ରମ ପ୍ରବର୍ତ୍ତନର ଏହା ହେଉଛି ମୂଳ ଆଧାର। ଆଉ ଏହାର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ସୁଯୋଗ, ଆଇନ ଶୃଙ୍ଖଳା, କ୍ରୀଡ଼ା, ପ୍ରଯୁକ୍ତି ବିଦ୍ୟା, ସବୁଠି ୫-ଟି ଆଣିଛି ପରିବର୍ତ୍ତନ। ଶିଳ୍ପ ଅନୁକୂଳ ବାତାବରଣ ହେତୁ ଓଡ଼ିଶା ଆଜି ପୂର୍ବ ଭାରତର ଉତ୍ପାଦନ କେନ୍ଦ୍ର ଭାବେ ପରିଚୟ ପାଇବାକୁ ଯାଉଛି। କେବଳ କରୋନା ମହାମାରୀ ସମୟରେ ଓଡ଼ିଶା ୨ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଆଜି ଲୋକଙ୍କ ଦୁଆରେ ବିଭିନ୍ନ ସରକାରୀ ସେବା ପହଞ୍ଚାଯାଇ ପାରିଛି। ଏହା ଦ୍ୱାରା ନା କେବଳ ତ୍ୱରିତ୍ ସେବା ସୁନିଶ୍ଚିତ କରାଯାଉଛି ବରଂ ସରକାରୀ କାର୍ଯ୍ୟାଳୟରେ ଲୋକ ଭିଡ଼ ଓ କାର୍ଯ୍ୟଭାରକୁ ଅନେକାଂଶରେ ହ୍ରାସ କରାଯାଇ ପାରିଛି। ବଡ଼ କଥା ହେଉଛି, ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏହା ଦୂରତା ହ୍ରାସ କରିଛି। ସେହିପରି ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ ପଲିସି, ଓଡ଼ିଶା ଡାଟା ସେଣ୍ଟର ପଲିସୀ, ଓଡ଼ିଶା ବିପିଓ ପଲିସି ରାଜ୍ୟରେ ଆଇଟି ଭବିଷ୍ୟତକୁ ଏକ ନୂଆ ଦିଗନ୍ତ ପ୍ରଦାନ କରିଛି। ଓଡ଼ିଶାର ଆଇଟି ରପ୍ତାନୀ ୪୦୦୦ କୋଟିରେ ପହଞ୍ଚିପାରିଛି।

Leave a comment