ବଢୁଛି ଭିନ୍ନକ୍ଷମ ଶିଶୁ ଜନ୍ମହାର: ବିଳମ୍ବିତ ଗର୍ଭଧାରଣ, ଅନିୟନ୍ତ୍ରିତ ଜୀବନଶୈଳୀ ମୁଖ୍ୟ କାରଣ

ଗବେଷଣାର ଅଭାବକୁ ଦାୟୀ କଲେ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ବଢ଼଼ୁଛି ଶାରୀରିକ ଓ ମାନସିକ ଅକ୍ଷମତା ହାର। ପ୍ରଥମ ଥର ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜନ୍ମରୁ ୫ ବର୍ଷ ମଧ୍ୟରେ ଭିନ୍ନକ୍ଷମ ପିଲାଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦୁଇ ମାସ ଭିତରେ ୨୫,୨୫୨ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ କରାଯାଇଛି। ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ବିଭାଗ ଅନୁମାନ କରିବା ସହ ପୁନର୍ବାର ବ୍ଲକସ୍ତରରେ ଭିନ୍ନକ୍ଷମ ପିଲାଙ୍କ ଚିହ୍ନଟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛି। ଏହି ତଥ୍ୟ ବର୍ଣ୍ଣନା କରୁଛି ଯେ ପରିସ୍ଥିତି କେତେ ଗୁରୁତର ହେଲାଣି। ମାନସିକ ଓ ଶାରୀରିକ ଅକ୍ଷମତା ସହ ଜନ୍ମ ନେଉଥିବା ଶିଶୁ, ଏହାର ନିରାକରଣ ପାଇଁ ଉଚ୍ଚତର ଗବେଷଣାର ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଅଭିଯୋଗ କରିଛନ୍ତି। ବିଳମ୍ବରେ ବିବାହ, ବିଳମ୍ବିତ ଗର୍ଭଧାରଣ, ଅନିୟନ୍ତ୍ରିତ ଜୀବନ ଶୈଳୀ, ବ୍ୟାପକ ଗର୍ଭନିରୋଧକ ଔଷଧ ସେବନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ରାଜ୍ୟରେ ବଢ଼଼ି ଚାଲିଛି ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିନକୁ ଦିନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବଢ଼଼ୁଥିବା ବେଳେ ଏବେବି ପ୍ରତି ୧ହଜାର ଶିଶୁଙ୍କ ମଧ୍ୟରେ ୫ରୁ ୬ ପ୍ରତିଶତ ଶିଶୁ ଦିବ୍ୟାଙ୍ଗ ହୋଇ ଜନ୍ମ ନେଉଛନ୍ତି। ଆଉ ଏହି ସଂଖ୍ୟା ନିୟମିତ ଭାବେ ବୃଦ୍ଧି ପାଉଛି। ପୂର୍ବରୁ ଦିବ୍ୟାଙ୍ଗ ଶିଶୁଙ୍କ ଚିହ୍ନଟ ପ୍ରକ୍ରିୟା ନଥିବାରୁ ସେମାନଙ୍କର ପ୍ରକୃତ ସଂଖ୍ୟା ଜଣାନାହିଁ।

ସାଧାରଣତଃ ଶାରିରୀକ ଓ ମାନସିକସ୍ତରରେ ଭିନ୍ନକ୍ଷମ ହୋଇ ଜନ୍ମ ହେଉଥିବା ଶିଶୁଙ୍କ ସୁରକ୍ଷା ଦିଗରେ ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି ପରିସି୍ଥତି ଉପୁଜୁଥିବା ବିଶେଷଜ୍ଞମାନେ କହିଛନ୍ତି। ସେଥିମଧ୍ୟରୁ ମହିଳାମାନେ ଅଧିକ ବୟସରେ ବିବାହ କରିବା ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଚିକିତ୍ସା ବିଜ୍ଞାନୀଙ୍କ ମତରେ ସାଧାରଣତଃ ମହିଳାମାନେ ୨୫ରୁ ୩୦ ବର୍ଷ ମଧ୍ୟରେ ସନ୍ତାନ ଜନ୍ମ କରିବା ଉଚିତ୍‍; କିନ୍ତୁ ବର୍ତ୍ତମାନ ମହିଳାମାନଙ୍କ ବିବାହ ସମୟ ୩୦ବର୍ଷ ଟପିଯାଉଥିବା ଦେଖିବାକୁ ମିଳୁଛି। ସେହିପରି କେତେକ ମହିଳା ନିୟମିତ ଗର୍ଭନିରୋଧକ ବଟିକା ବ୍ୟବହାର କରୁଥିବାରୁ ଦିବ୍ୟାଙ୍ଗ ଶିଶୁ ଜନ୍ମ ହେବା ମଧ୍ୟ ଆଉ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି କହିଛନ୍ତି, ମାନସିକ ଓ ଶାରୀରିକ ସ୍ତରରେ ଭିନ୍ନକ୍ଷମ ପିଲା ଜନ୍ମ ହେବା ପଛରେ ଏକାଧିକ କାରଣ ରହିଛି। ମୁଖ୍ୟ କାରଣ ହେଉଛି ୩୦ ବର୍ଷ ପରେ ଗର୍ଭଧାରଣ କଲେ ଶିଶୁଙ୍କର ବିଭିନ୍ନ ପ୍ରକାର ଜେନେଟିକ୍‍ ବ୍ୟତିକ୍ରମ ଦେଖା ଦେଉଛି। ବିଳମ୍ବରେ ଗର୍ଭଧାରଣ କରୁଥିବା ମହିଳାଙ୍କର ସାଧାରଣତଃ ଅସ୍ତ୍ରୋପଚାର କରାଯାଉଛି। ଜନ୍ମ ସମୟରେ ବିଶେଷକରି ଗ୍ରାମାଞ୍ଚଳରେ ଶିଶୁ ପ୍ରସବ ସମୟରେ ଶିଶୁ ରୋଗ ବିଶେଷଜ୍ଞ ଉପସ୍ଥିତ ରହୁ ନଥିବା ବଡ଼ ସମସ୍ୟା। ଜନ୍ମ ସମୟରେ ଶିଶୁ ଠିକ୍‍ ଭାବେ ଅମ୍ଳଜାନ୍‍ ନେଇପାରୁ ନାହିଁ ଫଳରେ ତାଙ୍କର ସେରେବ୍ରାଲପାଲ୍ସି, ଅଟିଜିମ୍‍ ଭଳି ରୋଗରେ ପୀଡ଼ିତ ହେଉଛନ୍ତି। ଜନ୍ମ ପରେ ପିଲାଙ୍କୁ ତୁରନ୍ତ ନିଓନାଟାଲ ଆଇସିୟୁରେ ଭର୍ତ୍ତି କରାଯାଉଥିବାରୁ ଏହାର କୁପ୍ରଭାବ ପିଲା ଉପରେ ପଡ଼ୁଛି। ଆଇସିୟୁରେ ପିଲା ବଞ୍ଚି ଯାଉଛି ସତ କିନ୍ତୁ ତା’ର ମାନସିକ ବିକୃତି ଦେଖା ଦେଉଛି। କର୍ମଜୀବୀ ମହିଳା ଗର୍ଭାବସ୍ଥାରେ ଠିକ୍‍ ଭାବେ ନିଜର ଯତ୍ନ ନେଉ ନଥିବାରୁ ପିଲାଙ୍କର ଅକ୍ଷମତା ସୃଷ୍ଟି ହେଉଛି। ସେହିପରି ବ୍ୟାପକ ଗର୍ଭନିରୋଧ ସେବନ ଆଉ ଏକ ପ୍ରମୁଖ କାରଣ। ଏବେ କୋଭିଡ୍‍ ସଂକ୍ରମିତ ମହିଳା ବହୁତ ଅଧିକ ପ୍ରଭାବ ଥିବା ଔଷଧ ସେବନ କରିବା ମଧ୍ୟ ଅତ୍ୟନ୍ତ କ୍ଷତିକାରକ। ଶାରୀରିକ ଓ ମାନସିକ ଅକ୍ଷମତା ସମ୍ପର୍କରେ ସୂଚନା ମିଳୁନଥିବାରୁ ଠିକ୍‍ ସମୟରେ ପିଲାଙ୍କ ଚିକିତ୍ସା ହୋଇପାରୁ ନାହିଁ ବୋଲି ଡା ମହାନ୍ତି କହିଛନ୍ତି। ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ପବ୍ଲିକ୍‍ ହେଲଥ୍‍ର ନିର୍ଦ୍ଦେଶକ ଡାକ୍ତର ସତ୍ୟ ମହାପାତ୍ର କହିଛନ୍ତି, ଭିନ୍ନକ୍ଷମ ପିଲା କାହିଁକି ଜନ୍ମ ହେଉଛନ୍ତି, ଏହାର ନିରାକରଣ ପନ୍ଥା କ’ଣ ସେ ସମ୍ପର୍କରେ କେହି ବି ଗବେଷଣା କରୁ ନାହାନ୍ତି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ସୁଦ୍ଧା ଏଥିପ୍ରତି ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ହେଉ ନାହିଁ। ସ୍ନାୟୁ ଜନିତ ରୋଗ ବଢ଼଼ୁଛି। ଶିଶୁଙ୍କ କ୍ଷେତ୍ରରେ ଅକ୍ଷମତା ୧୨ ପ୍ରତିଶତରେ ପହଞ୍ଚିଲାଣି। ସେଥିରୁ ଅଟିଜିମ୍‍ ରୋଗୀଙ୍କ ସଂଖ୍ୟା ୩ ପ୍ରତିଶତ ହେବ। ଏଥିପାଇଁ ବିଧିବଦ୍ଧ ନୀତି ଆସିବା ଦରକାର ବୋଲି ଡା ମହାପାତ୍ର କହିଛନ୍ତି।

ବର୍ତ୍ତମାନ ମହିଳାମାନେ କର୍ମକ୍ଷେତ୍ରରେ ନିୟୋଜିତ ହୋଇ ବିଳମ୍ବରେ ବିବାହ କରିବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ସବୁଠୁ ବଡ଼ କଥା ହେଉଛି ଶିଶୁଟି ଜନ୍ମ ହେବା ପରେ ଦିବ୍ୟାଙ୍ଗ କି ନୁହେଁ ତାହା ଜଣାପଡ଼ିବା କଷ୍ଟକର। ଶିଶୁଟିକୁ ୨ବର୍ଷ ବୟସ ପରେ ହିଁ ତା’ର ବ୍ୟବହାରରେ ପରିବର୍ତ୍ତନ ଦେଖାଦେଲେ ଡାକ୍ତରଙ୍କ ଅନୁଧ୍ୟାନ ପରେ ଏହା ସ୍ପଷ୍ଟ ହୋଇପାରୁଛି। ଗର୍ଭବତୀ ମହିଳାମାନେ ଶିଶୁ ଜନ୍ମ ହେବା ଯାଏ କିଭଳି ଜୀବନଶୈଳୀ ଅବଲମ୍ବନ କରିବା ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ।
ଗତ ଏପ୍ରିଲ ମାସରେ ଶାରୀରିକ ଓ ମାନସିକସ୍ତରରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ପ୍ରକ୍ରିିୟା ଆରମ୍ଭ ହୋଇଥିଲା। ଆଶା, ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଏହି ଚିହ୍ନଟ କରାଯାଉଥିବା ବେଳେ କିଛି ବ୍ଳକରେ ଆଦୌ ଭିନ୍ନକ୍ଷମ ଶିଶୁ ଚିହ୍ନଟ ହୋଇ ନାହାନ୍ତି। ତେବେ ସମାନ ଭାବେ ପ୍ରତି ଜିଲ୍ଲାସ୍ତରରେ ଗର୍ଭବତୀ ମହିଳାମାନଙ୍କ ମଧ୍ୟ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯିବା ଉଚିତ୍‍। ଯଦି ଭିନ୍ନକ୍ଷମ ଶିଶୁ ଜନ୍ମ ହେବାର ଆଶଙ୍କା ରହିଥାଏ ତେବେ ଏଥିପାଇଁ ଆବଶ୍ୟକୀୟ ଚିକିତ୍ସା ମଧ୍ୟ କରାଯିବାର ବ୍ୟବସ୍ଥା କରାଯିବା ଉଚିତ୍‍।

Leave a comment