ସେ ଦିନର ଜାତୀୟ କ୍ରିଡାବିତ, ଆଜିର ଗାଈ ଚରାଳି

ନୂଆପଡା : ନୂଆପଡା ସଦର ବ୍ଲକ ମାଗୁରପାଣି ଗାଁର ଝିଅ ଧରିତ୍ରୀ ରାଉତ। ତାଇକୋଣ୍ଡୋରେ ଜାତୀୟ ସ୍ତରରେ ୩ଥର ସିଲଭର ମେଡାଲ ପାଇଥିବାବେଳେ ସଟାକେନ କରାଟେରେ ଜମ୍ମୁ- କାଶ୍ମୀରରେ ସଫଳ ଭାବେ ଖେଳି ରାଜ୍ୟପାଇଁ ନାଁ ରଖିଛନ୍ତି। ଘରେ ମାଳମାଳ ସାର୍ଟିଫିକେଟ ଏବଂ ମେଡାଲକୁ ଖତ ଖାଉଛି । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଧରିତ୍ରୀ ଏବେ ଗାଈ ଚରାଉଛନ୍ତି।

ସରକାର କ୍ରୀଡା ଏବଂ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବାକୁ ନାନାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବିଭାଗୀୟ କତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଆଜିବି ବହୁ ରାଜ୍ୟ ଏବଂ ଜାତୀୟ ସ୍ତରର ଖେଳାଳୀମାନେ ଅବହେଳିତ ହୋଇ ରହିଛନ୍ତି । ଏପରିକି ରାଜ୍ୟ ତଥା ଜାତୀୟ ସ୍ତରରେ କୃତୀତ୍ୱ ହାସଲ କରିଥିବା ଖେଳାଳୀ ବର୍ତମାନ ଘରେ ଛେଳି, ଗାଈ ଚରାଇ ଗୁଜୁରାଣ ମେଣ୍ଟାଉଛନ୍ତି ।ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ସଦର ବ୍ଲକ ମାଗୁରପାଣି ଗାଁରେ । ବାପା ଛବି ରାଉତ ଏବଂ ମା ନର୍ମଦା ରାଉତଙ୍କର ଗୋଟିଏ ବୋଲି ଝିଅ ଧରିତ୍ରୀ। ଗରିବ ଘର, ଆର୍ଥିକ ସ୍ଥିତି ବହୁ ସଙ୍ଗୀନ । ଗାଁ ହାଇସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ ପଢି ଆର୍ଥିକ ସ୍ଥିତି ଯୋଗୁଁ ବର୍ତମାନ ପାଠପଢା ଛାଡି ଦେଇଛନ୍ତି । ବାପା ପର ଘରେ ମୂଲ ଲାଗୁଥିବାବେଳେ ଧରିତ୍ରୀ ବାଧ୍ୟ ହୋଇ ଗାଈ ଚରାଉଛନ୍ତି ।

ଜଣେ ସଫଳ କ୍ରିଡାବିତ ଭାବେ ଧରିତ୍ରୀଙ୍କର ନାଁ ରହିଛି। ଏକଦା ତାଇକୋଣ୍ଡୋରେ ଜାତୀୟ ସ୍ତରରେ ୩ଥର ସିଲଭର ମେଡାଲ ପାଇଥିବାବେଳେ ସଟାକେନ କରାଟେରେ ଜମ୍ମୁ- କାଶ୍ମୀରରେ ସଫଳ ଭାବେ ଖେଳି ରାଜ୍ୟପାଇଁ ନାଁ ରଖିଛନ୍ତି। ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପାଠ ପଢାରେ ଧରିତ୍ରୀଙ୍କୁ ଡୋରି ବାନ୍ଧିବାକୁ ପଡିଛି। ଧରିତ୍ରୀଙ୍କ ଛବି ରାଉତ ଏନେଇ କୁହନ୍ତି ଯେ ତାଙ୍କ ଝିଅ ଜାତୀୟ ସ୍ତରରେ ଖେଳିଥିଲେ ମଧ୍ୟ ତାଙ୍କୁ କୌଣସି ସରକାରୀ ସାହାର୍ଯ୍ୟ ମିଳିନାହିଁ। ପରଘରେ ମୁଲ ଲାଗି ଝିଅଙ୍କୁ ଖେଳିବାକୁ ପଠାଉଛି। ଗରିବି ଯୋଗୁଁ ଝିଅର ପାଠ ପଢାରେ ଡୋରି ବନ୍ଧା ହୋଇଛି। ଏଥିପ୍ରତି ସରକାର ଦୃଷ୍ଟି ଦେଲେ ଝିଅ ରାଜ୍ୟ ତଥା ଦେଶ ପାଇଁ ଏକ ସମ୍ପତି ହୋଇ ପାରିବ ବୋଲି ଧରିତ୍ରୀଙ୍କ ବାପା ଛବି କୋହ ଭରା କଣ୍ଠରେ କହନ୍ତି ।

Leave a comment