ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ୩ ଘଣ୍ଟା ଅନୁମତି

ପୁରୀ: ଆସନ୍ତା ୧୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ପରେ ପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ରହିଛି । ଦୁଇବର୍ଷ ପରେ ମହାପ୍ରଭୁଙ୍କର ଏହି ବିଶେଷ ଯାନିଯାତ୍ରାରେ ଏଥର ସାମିଲ ହେବେ ଭକ୍ତ । ତେଣୁ ଏହାକୁ କିପରି ଶୃଙ୍ଖଳିତ କରାଯିବ ଏବଂ ଏଥିଲାଗି ପ୍ରସ୍ତୁତ ନୀତିକାନ୍ତି କିପରି ନିର୍ଘଣ୍ଟ ସମୟରେ ହେବ ସେଥିନେଇ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ବିଶେଷ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଏଥିରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରସ୍ତୁତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଥିବା ବେଳେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ମଧ୍ୟ ଗୃହୀତ ହୋଇଛି । ତେବେ ସ୍ନାନପୂର୍ଣ୍ଣିମା ଦିନ ପ୍ରାୟ ୩ ଘଣ୍ଟା ଶ୍ରଦ୍ଧାଳୁଙ୍କୁ ସ୍ନାନମଣ୍ଡପକୁ ଦର୍ଶନ ପାଇଁ ଛଡାଯିବ। ହେଲେ ଏହି ସମୟରେ କେହି ବି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।

ଆସନ୍ତା ୧୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢେ ୩ଟାରେ ମଙ୍ଗଳାର୍ପଣ ସରି ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ । ସକାଳ ୬ଟାରେ ପହଣ୍ଡି ସରି ସାଢେ ୬ଟାରେ ମଙ୍ଗଳ ଆଳତି ହେବ । ସକାଳ ସାଢେ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ । ମଧ୍ୟାହ୍ନ ୧୨ଟା ୧୫ରେ ଛେରାପହଁରା ପରେ ମଧ୍ୟାହ୍ନ ସାଢେ ୧୨ରୁ ଅପରାହ୍ନ ସାଢେ ୩ଟା ଠାକୁରଙ୍କ ହାତୀବେଶ କରାଯିବ । କିନ୍ତୁ ମଙ୍ଗଳ ଆଳତି ସରିବା ପରଠାରୁ ନିରବଚ୍ଛିନ୍ନ ଭାବେ ସ୍ନାନବେଦୀ ସମ୍ମୁଖ ତଳ ର୍ୟାମ୍ପରେ ଭକ୍ତମାନେ ଦର୍ଶନ କରିପାରିବେ । ସନ୍ଧ୍ୟା ୬ରୁ ରାତି ସାଢେ ୯ ଅର୍ଥାତ୍ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି । ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ ।

ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ୧୦ରୁ ଆରମ୍ଭ ହୋଇ ରାତି ୧ଟାରେ ଶେଷ ହେବ। ସେହିପରି ଜୁଲାଇ ୧ରେ ଶ୍ରୀଗୁଣ୍ଡିଚା ଯାତ୍ରା । ସେହିଦିନ ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ । ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି । ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ । ଚିତା ଲାଗି ପରେ ବେଶ ଶେଷ ହେବ । ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ । ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ସେହିପରି ଜୁଲାଇ ୯ ତାରିଖ ବାହୁଡ଼ା ଯାତ୍ରା ଦିନ ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ଶେଷ ହେବ । ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ । ୧୦ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ । ୧୧ ତାରିଖରେ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ । ଜୁଲାଇ ୧୨ ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।

Leave A Reply

Your email address will not be published.