ରାଜ୍ୟ ଉପରେ ବିକାଶର ଚାପ: କମୁଛି କେନ୍ଦ୍ରୀୟ ଅନୁଦାନ

ବନ୍ଦ ହୋଇଥିବା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା
-ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି (ବିଆର୍ଜିଏଫ୍)
-କେବିକେ ଅଞ୍ଚଳ ନିମନ୍ତେ ସ୍ୱତନ୍ତ୍ର ସହାୟତା (ଏସସିଏ ଫର କେବିକେ)
-ସମନ୍ୱିତ କାର୍ଯ୍ୟ ଅନୁଦାନ ଯୋଜନା (ଆଇଏପି)
-ଜାତୀୟ ଇ-ଗଭର୍ଣ୍ଣାନ୍ସ ଆକ୍ସ ପ୍ଲାନ୍ ( ଏନ୍ଇଜିଏପି)
-ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତୀକରଣ ଅଭିଯାନ (ଆରଜିପିଏସଏ)
-ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଣ୍ଠି (ଟିଆଇ)
-ପୁଲିସ ବାହିନୀର ଆଧୁନିକୀକରଣ (ଏମ୍ପିଏଫ୍)
-ନେସନାଲ ମିଶନ ଫର୍ ଫୁଡ୍ ପ୍ରସେସିଂ ସ୍କିମ୍ (ଏନ୍ଏମ୍ଏଫ୍ପିଏସ୍)
-ପ୍ରତ୍ୟେକ ବ୍ଲକରେ ମଡେଲ ସ୍କୁଲ ସ୍ଥାପନ ଅନୁଦାନ
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ବିକାଶର ଧାରା ଜାରି ରହିଛି। ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମିଠାରୁ ଆରମ୍ଭ କରି ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସମେତ ସାମାଜିକ କ୍ଷେତ୍ରରେ ଉନ୍ନତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଆସିଛନ୍ତି। ସଙ୍ଘୀୟ ବ୍ୟବସ୍ଥା ମଧ୍ୟରେ ବିକାଶର ଧାରାକୁ ଅବ୍ୟାହତ ରଖିବା ପାଇଁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ସହାୟତାର ଆବଶ୍ୟକତା ରହିଛି। ମାତ୍ର ୨୦୧୪ ପରଠାରୁ ଏନ୍ଡିଏ ସରକାର ରାଜ୍ୟରେ କେନ୍ଦ୍ରୀୟ ଯୋଜନାକୁ ଗୋଟିଏ ପରେ ଗୋଟିଏ ବନ୍ଦ କରିବା ସହ ଅନୁଦାନ ରାଶିକୁ ମଧ୍ୟ ହ୍ରାସ କରିଛନ୍ତି। ଇତିମଧ୍ୟରେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ୮ଟି ଯୋଜନାର ଅନୁଦାନ ବନ୍ଦ ହୋଇଥିବାବେଳେ ଅନ୍ୟ ଯୋଜନାର କେନ୍ଦ୍ରୀୟ ଅନୁଦାନ ଅଂଶ ହ୍ରାସ ପାଇଛି। ପୂର୍ବରୁ ବିଭିନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶ ୯୦:୧୦ ଏବଂ ୭୫:୨୫ ଥିବାବେଳେ ଅଧିକାଂଶ କ୍ଷେତ୍ରରେ ତାହା ୬୦:୪୦କୁ ହ୍ରାସ ପାଇଛି। କିଛି ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ ୫୦:୫୦ରେ ପହଞ୍ଚିଲାଣି। ଏହି ସମୟରେ ଆଦିବାସୀ କଲ୍ୟାଣ ନିମନ୍ତେ କେନ୍ଦ୍ରୀୟ ଅନୁଦାନ ଗତ ୩ ବର୍ଷ ହେଲା କ୍ରମାଗତ ହ୍ରାସ ରାଜ୍ୟ ରାଜକୋଷ ଉପରେ କେବଳ ଚାପ ବଢ଼ାଇ ନାହିଁ; କେନ୍ଦ୍ର ସରକାରଙ୍କ ଆଦିବାସୀମାରଣ ନୀତିକୁ ପ୍ରତର୍ଶିତ କରିଛି।
ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ଇ-ଗଭର୍ଣ୍ଣାନ୍ସ ଆକ୍ସନ ପ୍ଲାନ, ପଛୁଆ ଅଞ୍ଚଳ ଅନୁଦାନ, ରାଜ୍ୟ ପୁଲିସ ବାହିନୀର ଆଧୁନିକୀକରଣ, ମଡେଲ ସ୍କୁଲ ଅନୁଦାନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍ଡିଆର୍ଏଫ୍) ଅନୁଦାନକୁ ୯୦:୧୦ ଅନୁପାତ ହ୍ରାସ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ସାଧନରୁ ବିଭିନ୍ନ ସମାନ୍ତରାଳ ଯୋଜନା ସୃଷ୍ଟି କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ମାତ୍ର ପ୍ରଚଳିତ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ପ୍ରଦାନ ନ କରିବା ସମ୍ପ୍ରତି ରାଜ୍ୟର ଅର୍ଥ ବ୍ୟବସ୍ଥା ଉପରେ କେବଳ ବୋଝ ହୋଇନାହିଁ; କେନ୍ଦ୍ର ସରକାରଙ୍କ ବିକାଶର ମିଛ ପ୍ରତିଶ୍ରୁତିକୁ ବି ପଦାରେ ପକାଇଛି।
ରାଜ୍ୟର ଲୋକସଂଖ୍ୟାର ୨୨% ହେଉଛନ୍ତି ଅନୁସୂଚୀତ ଜନଜାତି ବର୍ଗର। ଏହି ବର୍ଗର ସାମାଜିକ, ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ। ସଂଘୀୟ ବ୍ୟବସ୍ଥାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ମିଳିତ ଦାୟିତ୍ୱ ରହିଛି। ତୃଣମୂଳରେ ବିଭିନ୍ନ ଯୋଜନା ରାଜ୍ୟ ଲାଗୁ କରିଥାଏ। ନିଜ ରାଜ୍ୟର ସ୍ଥିତିକୁ ଦେଖି ସ୍ୱତନ୍ତ୍ର ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଥାଏ। କେନ୍ଦ୍ର ପ୍ରବର୍ତ୍ତିତ ବିଭିନ୍ନ ଯୋଜନା ମଧ୍ୟ ଲାଗୁ ହୋଇଥାଏ। ଏହି ଯୋଜନାଗୁଡିକରେ ଏବେ ରାଜ୍ୟଗୁଡିକର ପ୍ରାୟତଃ ସମାନ ଭାଗ ମଧ୍ୟ ରହୁଛି। ହେଲେ ନିୟମିତ ଭାବେ କେନ୍ଦ୍ରୀୟ ଅନୁଦାନ ନ ଆସିବା ରାଜ୍ୟ ଉପରେ ଚାପ ବୃଦ୍ଧି କରୁଛି। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ସରିବା ସହ ଜୁଲାଇ ଶେଷରେ ପହଞ୍ଚିଲାଣି। ତଥାପି ପ୍ରାୟ ୫ଟି ଯୋଜନାରେ କେନ୍ଦ୍ର ଟଙ୍କାଟିଏ ଅର୍ଥ ପ୍ରଦାନ କରିନାହାନ୍ତି। ସ୍ୱତନ୍ତ୍ର କେନ୍ଦ୍ରୀୟ ଆର୍ଥିକ ସହାୟତା (ଉପଯୋଜନା), ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ), ପିଭିଟିଜିମାନଙ୍କ ଉନ୍ନତିକରଣ, ଆଦିବାସୀଙ୍କ ଦ୍ୱାରା ଉତ୍ପାଦଗୁଡିକର ବିପଣନ ପାଇଁ ଆନୁଷ୍ଠାନିକ ସହାୟତା ଏବଂ ଆଦିବାସୀ ଗବେଷଣା ସଂସ୍ଥାନକୁ ଅନୁଦାନ। ଅନ୍ୟପକ୍ଷରେ ମେକାନିଜମ୍ ଫର୍ ମାର୍କେଟିଙ୍ଗ୍ ଅଫ୍ ମାଇନର୍ ଫରେଷ୍ଟ ପ୍ରଡକ୍ଟ (ଏମଏଫପି)କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଏବଂ ଏମ୍ଏଫ୍ପି ଭ୍ୟାଲୁ ଚେନ୍କୁ ସହାୟତା ଯୋଜନା ଏବଂ ଏସ୍ଟି/ଏସ୍ସିମାନଙ୍କ ଆର୍ଥିକ ଓ ଉନ୍ନତୀକରଣ ନିଗମକୁ ଅନୁଦାନ ଯୋଜନାରେ ଗତ ଆର୍ଥିର୍କ ବର୍ଷରେ ଟଙ୍କାଟିଏ ବି ଅନୁଦାନ ପ୍ରଦାନ କରାଯାଇନାହିଁ। ଏହି ଯୋଜନାଗୁଡିକ ମିଳିଥିବା ଅନୁଦାନ ସମ୍ପର୍କିତ ବିବରଣୀକୁ ଯଦି ଅନୁଧ୍ୟାନ କରାଯାଏ। ତେବେ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ଗତବର୍ଷ(୨୦୨୦-୨୧)ରେ ମିଳିଥିବା ଅର୍ଥ ରାଶି ହ୍ରାସ ପାଇଥିବା ଜଣାପଡ଼ିଛି।
ସ୍ୱତନ୍ତ୍ର କେନ୍ଦ୍ରୀୟ ଆର୍ଥିକ ସହାୟତା(ଉପଯୋଜନା)ରେ ୨୦୧୮-୧୯ରେ ଓଡ଼ିଶାକୁ ୧୭୫୫୩.୨୨ ଲକ୍ଷ ଟଙ୍କା ଅନୁଦାନ ମିଳିଥିବାବେଳେ ୨୦୨୦-୨୧ରେ ଏହା ୯୦୧୦.୪୨ ଲକ୍ଷ ଟଙ୍କାକୁ ଖସି ଆସିଥିଲା। ସମାନ ସମୟରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ(ଇଏମଆରଏସ)ରେ ୨୧,୪୪୯.୧୫ ଲକ୍ଷ ଟଙ୍କା ମିଳିଥିବା ବେଳେ ଗତବର୍ଷ ୪୭୫୮.୬୭ ଲକ୍ଷ ଟଙ୍କା ମିଳିଛି। ଅନୁରୂପ ଭାବେ ପିଭିଟିଜିମାନଙ୍କ ଉନ୍ନତିକରଣ ପାଇଁ ୨୦୧୮-୧୯ରେ ୩୬୨୬ ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୨୦-୨୧ରେ ୧୨୦୨ ଲକ୍ଷ ଟଙ୍କା ମିଳିଛି। ଆଦିମ ଦ୍ରବ୍ୟ ତଥା ଉତ୍ପାଦଗୁଡିକର ବିପଣନ ପାଇଁ ଆନୁଷ୍ଠାନିକ ସହାୟତା ବାବଦକୁ ଶେଷଥର ପାଇଁ ଓଡ଼ିଶାକୁ ୨୦୧୯-୨୦ରେ ୧୬୦.୫୮ ଲକ୍ଷ ଟଙ୍କା ମିଳିଥିଲା। ଏହାର ପୂର୍ବ ତଥା ପର ଆର୍ଥିକ ବର୍ଷରେ ରାଜ୍ୟକୁ ଟଙ୍କାଟିଏ ଅନୁଦାନ ମିଳି ନାହିଁ। ଏସଟିଏସସିମାନଙ୍କ ଆର୍ଥିକ ଓ ଉନ୍ନତିକରଣ ନିଗମକୁ ଅନୁଦାନ ଯୋଜନା ଆଦିବାସୀ ଗବେଷଣା ସଂସ୍ଥାନକୁ ଅନୁଦାନ ଯୋଜନା ବାବଦରେ ଓଡ଼ିଶାକୁ ୨୦୧୮-୧୯ରେ ୮୧୯.୦୭ ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୨୦-୨୧ରେ ଏହା ୫୦୩ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ଅପେକ୍ଷାକୃତ କମ୍ ସାକ୍ଷର ଥିବା ଏସ୍ଟି ବାଳିକାଙ୍କ ଶିକ୍ଷାଦାନର ଉନ୍ନତିକରଣ ଏବଂ ଆଦିବାସୀମାନଙ୍କ ପାଇଁ ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ଅନୁଦାନ କେନ୍ଦ୍ର ପ୍ରଦାନ କରୁନାହାନ୍ତି। ଯଦି ଚଳିତ ବର୍ଷ ଏଥିପାଇଁ ଅନୁଦାନ ଆସି ନ ଥାଏ ତେବେ ଟଙ୍କାଟିଏ ପାଇ ନ ଥିବା ଯୋଜନାର ତାଲିକା ୭କୁ ବୃଦ୍ଧି ପାଇବ। ଉପରୋକ୍ତ ଯୋଜନାରେ ମଧ୍ୟ ଅନୁଦାନ ହ୍ରାସ ପାଇଛି।