ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲକ୍ଷ୍ୟଭେଦୀ କ୍ରୀଡ଼ା ବିକାଶ; ଓଡିଶାରେ କ୍ରୀଡ଼ାର ଉନ୍ନତି ଅନ୍ୟ ରାଜ୍ୟ ସରକାରଙ୍କ ଲାଗି ପାଲଟିଛି ଉଦାହରଣ

କ୍ରୀଡ଼ାର ଉନ୍ନତି ଲାଗି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଯାହା କରିଛନ୍ତି, ତାହା ଭାରତରେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଲାଗି ଉଦାହରଣ ସୃଷ୍ଟି କରିଛି। ନବୀନ ସରକାରଙ୍କ ଚତୁର୍ଥ ପାଳିରେ କ୍ରୀଡ଼ାକୁ ଖୁବ୍ ଗୁରତ୍ୱ ଦିଆଯାଇଥିଲା। କଳିଙ୍ଗ ଷ୍ଟାଡିୟମ୍ରେ ଅତ୍ୟାଧୁନିକ ହକି କମ୍ପ୍ଲେକସ୍ ନିର୍ମାଣ କରାଯିବା ସହ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରି ସମଗ୍ର ବିଶ୍ୱରେ ପ୍ରଶଂସା ସାଉଣ୍ଟିବାରେ ଓଡ଼ିଶା ସମର୍ଥ ହୋଇଥିଲା। ୨୦୧୭ରେ ଏସିଆନ୍ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ ଆୟୋଜନ ମଧ୍ୟ ଏକ ମାଇଲଖୁଣ୍ଟ ହୋଇରହିଛି। ଶେଷ ଭାଗରେ ଭାରତୀୟ ହକି ଦଳର ପ୍ରାୟୋଜକ ହେବା ଏବଂ ଏହି ଦଳ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାରେ ଓଡ଼ିଶା ସରକାରଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା। ମୋଟାମୋଟି ଭାବେ ହକିର ପୁନରୁଦ୍ଧାର ଲାଗି ଓଡ଼ିଶା ସରକାରଙ୍କ ଉଦ୍ୟମକୁ କେବଳ ଭାରତରେ ନୁହେଁ; ଭାରତ ବାହାରେ ମଧ୍ୟ ଭୂୟସୀ ପ୍ରଶଂସା କରାଯାଇଛି।

୨୦୧୭ରେ ଏସିଆନ୍ ଆଥ୍ଲେଟିକ୍ସ ଓ ୨୦୧୮ରେ ପୁରୁଷ ହକି ବିଶ୍ୱକପ୍ର ସଫଳ ଆୟୋଜନ ପରେ ଓଡ଼ିଶା ସରକାର କ୍ରୀଡ଼ାର ଉନ୍ନତି ଲାଗି ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି। ଆନୁଷଙ୍ଗିକ କାର୍ଯ୍ୟରୁ କିଛି ସମ୍ପନ୍ନ କରିବା ପରେ ବିଭିନ୍ନ ଖେଳରେ ପାରଦର୍ଶିତା ହାସଲ କରିବା ଲାଗି ହାଇପରଫର୍ମାନ୍ସ ସେଣ୍ଟର (ଏଚ୍ପିସି) ପ୍ରତିଷ୍ଠା କରିଛନ୍ତି। ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ, ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ, ଜେଏସ୍ଡବ୍ଲ୍ୟୁ ସୁଇମିଂ ଏଚ୍ପିସି, ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସିଲେନ୍ସି ଫର ଆଥ୍ଲେଟିକ୍ସ, ହକି ଓ ୱେଟ୍ଲିଫ୍ଟିଙ୍ଗ୍, କେଜେଏସ୍ ଆହୁଲୱାଲିଆ ଓ ଟେନ୍ଭିକ୍ ସ୍ପୋର୍ଟ୍ସ ଫର ୱେଟ୍ଲିଫ୍ଟିଙ୍ଗ୍, ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି, ଓଡ଼ିଶା ଆଦିତ୍ୟ ବିର୍ଲା ଓ ଗଗନ ନାରଙ୍ଗ ସୁଟିଂ ଏଚ୍ପିସି, ରିଲାଏନ୍ସ ଫାଉଣ୍ଡେସନ୍ ଓଡ଼ିଶା ଆଥ୍ଲେଟିକ୍ସ, ସାଇ ରିଜିଓନାଲ ବ୍ୟାଡମିଣ୍ଟନ ସେଣ୍ଟର ଓ ଏଆଇଏଫଏଫ୍ ଏଚ୍ପିସି ପ୍ରତିଷ୍ଠା କରାଯାଇଛି। ନିକଟରେ କେତେକ ଜିଲ୍ଲାରେ ସନ୍ତରଣାଗାର ପ୍ରତିଷ୍ଠା ହୋଇଥିଲାବେଳେ ଅନ୍ୟ କେତେକ ଉଦ୍ଘାଟନ ଅପେକ୍ଷାରେ ରହିଛି। ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅତ୍ୟାଧୁନିକ ହକି ପଡ଼ିଆ ନିର୍ମାଣ କରାଯାଇଛି। ଏହା ମଧ୍ୟରେ ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଲାଗି କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପେ୍ଲକ୍ସରେ ନୂଆ ଟର୍ପ ବିଛାଯିବା ସହ ଆଧୁନିକୀକରଣ କରାଯାଇଛି। ୩୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲାରେ ବିଶ୍ୱର ସର୍ବବୃହତ୍ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାମ ଚାଲିଛି। କଳିଙ୍ଗ ଷ୍ଟାଡିୟମ୍ରେ ଭାରତର ପ୍ରଥମ ଇନ୍ଡୋର୍ ଆଥ୍ଲେଟିକ ଷ୍ଟାଡିୟମ୍, ଆକ୍ୱାଟିକ୍ ସେଣ୍ଟର, ଅତ୍ୟାଧୁନିକ ଅଲିମ୍ପିକ୍ ସୁଇମିଂ ପୁଲ୍, ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଲାଗି ଷ୍ଟାଡିୟମ୍ ଓ ଟ୍ରେନିଂ ସେଣ୍ଟର, ଅର୍ନ୍ତଜାତୀୟ ଟେନିସ କୋର୍ଟ, ସ୍ପୋର୍ଟ୍ସ କ୍ଲାଇମ୍ବିଂ ୱାଲ୍ ନିର୍ମାଣ ହୋଇଛି। ଏହା ବ୍ୟତୀତ ଆହୁରି ଅନେକ ଷ୍ଟାଡିୟମ୍ ଓ ସେଣ୍ଟର ନିର୍ମାଣ କାମ ଚାଲିଛି।

କେବଳ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେଲେ ଖେଳ କିମ୍ବା ଖେଳର ଉନ୍ନତି ହେବ ନାହିଁ। ଏଥିଲାଗି ଉଚ୍ଚକୋଟୀର ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ସହଭାଗିତାରେ ନିର୍ମିତ ୧୦ଟି ଏଚ୍ପିସି ସେଣ୍ଟରରେ ବିଦେଶୀ ଏବଂ ଅଭିଜ୍ଞ କୋଚ୍ ପ୍ରଶିକ୍ଷଣ ଦେଉଛନ୍ତି। ସମସ୍ତ ସେଣ୍ଟରରେ ଜଣେ କିମ୍ବା ଦୁଇ ଜଣ ବିଦେଶୀ କୋଚ୍ ରହିଛନ୍ତି। ନିକଟରେ ହକି ଲାଗି ଏଡଗାର ମାସ୍କରହନ୍ସ ଓ ସନ୍ତରଣ ଲାଗି ଦକ୍ଷିଣ ଆଫ୍ରିକାର ଡଗଲାସ୍ ଇଗର ଓ ସନ୍ଦୀପ ସେଜ୍ୱାଲଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକ ବିଭାଗରେ ଦକ୍ଷ କୋଚ୍ ଥିବାରୁ ଏଠିକାର ଏଚ୍ପିସିରୁ ରେକର୍ଡଧାରୀ ପ୍ରତିଯୋଗୀ ସୃଷ୍ଟି ହେବା ଆରମ୍ଭ ହୋଇଛି। ଆଥ୍ଲେଟିକ୍ସରେ ରିଲାଏନ୍ସ ଫାଉଣ୍ଡେସନର ଜ୍ୟୋତି ୟାରାଜୀ ଓଡ଼ିଶାର ଅନୁରାଧା ବିଶ୍ୱାଳଙ୍କ ନାମରେ ଥିବା ୨୦ ବର୍ଷର ମହିଳା ହର୍ଡଲ୍ସ ରେକର୍ଡ ଭାଙ୍ଗିଦେଇଛନ୍ତି। ଆଇଏସ୍ଏଲ୍ ଫୁଟବଲ ଟିମ୍ ଓଡ଼ିଶା ଫୁଟ୍ବଲ କ୍ଲବ୍ ରାଜ୍ୟ ଫୁଟବଲର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛି।

ପ୍ରତିଭା ଅନ୍ୱେଷଣ ଓ ପରେ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପରେ ପ୍ରତିଯୋଗୀମାନେ କେତେ ଦକ୍ଷ ଓ ମ୍ୟାଚ୍ ଫିଟ୍, ତାହା ଜାଣିବା ଲାଗି ଉଚ୍ଚସ୍ତରର ପ୍ରତିଯୋଗିତାର ଆବଶ୍ୟକତା ରହିଛି। ଏଥିରେ ସରକାର ଅନେକ କିଛି କାମ କରିଛନ୍ତି। ହକିରେ ୨୦୧୪ ଚାମ୍ପିଅନ୍ସ ଟ୍ରଫି, ୨୦୧୮ରେ ପୁରୁଷ ହକି ବିଶ୍ୱକପ୍, ୨୦୨୧ରେ ଜୁନିଅର ହକି ବିଶ୍ୱକପ୍, ଅଲିମ୍ପିକ୍ କ୍ୱାଲିଫିକେସନ, ପ୍ରୋ-ଲିଗ୍ ପରି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ୨୦୧୭ରେ ଏସିଆନ୍ ଆଥ୍ଲେଟିକ୍ ମିଟ୍, ଏସିଆନ୍ ରଗ୍ବୀ, କମନୱେଲଥ ଟେବୁଲ ଟେନିସ, ୨୦୧୯ରେ ମହିଳା ଗୋଲ୍ଡ କପ୍, ୨୦୧୮ରେ ଇଣ୍ଡିଆ ଏଫ୍-୧ ଫ୍ୟୁଚର୍ସ ଟେନିସ, ଓଡ଼ିଶା କପ୍ ବ୍ୟାଡମିଣ୍ଟନ ପରି ଅନ୍ତର୍ଜାତୀୟ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ସହ ଡଜନେରୁ ଅଧିକ ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ନିଜ ରାଜ୍ୟର କ୍ରୀଡ଼ାବିତ୍ଙ୍କ ଲାଗି ଅନେକ ଅଭିଜ୍ଞତା ଦେବାରେ ସମର୍ଥ ହୋଇଛି। ଶୀର୍ଷ ଖେଳାଳିଙ୍କୁ ବିଦେଶରେ ପ୍ରଶିକ୍ଷଣ ଦେବା ଓ କୃତୀ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଭାରତରେ ଆଗୁଆ ରାଜ୍ୟ ଭାବେ ବିବେଚିତ। ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା ଦୂତୀଙ୍କୁ ୩ କୋଟି ଟଙ୍କାର ପୁରସ୍କାର, ୨୦୩୨ ଯାଏ ଭାରତୀୟ ହକି ଦଳର ଓ ୨୦୨୩ ଯାଏଁ ରଗ୍ବୀ ଟିମ୍ର ପ୍ରାୟୋଜକ ହେବା ସରକାର କ୍ରୀଡ଼ା ପ୍ରତି ଥିବା ଆନ୍ତରିକତାକୁ ସୂଚାଉଛି।

ଏହି ପରିପ୍ରେକ୍ଷୀରେ ଅଲିମ୍ପିକ୍ସ ପଦକ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟର ବିଭିନ୍ନ ସ୍କୁଲସ୍ତରରୁ ଆରମ୍ଭ ହୋଇଛି ନୂଆ କାର୍ଯ୍ୟକ୍ରମ। ପିଲାଙ୍କ ମନରେ ଅଲିମ୍ପିକ୍ସ ବିଜୟର କ୍ଷୁଧା ସୃଷ୍ଟି କରିବା ଓ ପଦକ ବିଜୟ ସ୍ୱପ୍ନକୁ ସାକାର କରିବା ନିମନ୍ତେ ପ୍ରଶିକ୍ଷଣ ଦେବା ପାଇଁ ସାରା ଦେଶରେ ପ୍ରଥମ ରାଜ୍ୟ ଭାବରେ ପଦକ୍ଷେପ ନେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ସପ୍ତାହରେ ଏହାକୁ ଉଦ୍ଘାଟନ କରିଛନ୍ତି।

Leave A Reply

Your email address will not be published.