ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ଦେବ ଦୀପାବଳୀ; ଶ୍ରୀମନ୍ଦିରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ: ମାର୍ଗଶୀର କୃଷ୍ଣ ଚତୁର୍ଦଶୀ। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଆମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ , ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି। ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷଦୀପାବଳି ଉତ୍ସବ ଶ୍ରୀମନ୍ଦିରରେ ପାଳନ କରାଯାଏ ।

ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ । ନିର୍ବଂଶ ହୋଇଯିବା ପାଇଁ ବରମାଗି- ଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଜଗନ୍ନାଥ ନିଜେ ଶ୍ରାଦ୍ଧ ଦେଉଥିବା ମତ ରହିଛି। ଏହି ବେଶରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇଥାନ୍ତି । ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ ।

ଏଥିରେ ଠାକୁରମାନେ ଧଳା ବସ୍ତ୍ର ପରିଧାନ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଠାକୁରଙ୍କ ଧଡ଼ି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ । ଶ୍ରୀଜଗନ୍ନାଥ : ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲମ୍ବା ୧୬ ହାତ କିମ୍ବା ୧୮ ହାତ, ଧଡ଼ି ଓସାର ଏକ ଫୁଟ ଅଟେ । ଉକ୍ତ ବସ୍ତ୍ରରେ କୁମ୍ଭ ଥାଇ ଧଡ଼ିର ବର୍ଣ୍ଣ ହେଉଛି ନାଲି । ଶ୍ରୀବଳଭଦ୍ର: ଲମ୍ବା ୧୪ ହାତ , ଓସାର ୪ ହାତ ,ଧଡ଼ି ଓସାର ୧ ଫୁଟ ,ଉକ୍ତ ବସ୍ତ୍ରର ଧଡ଼ି ବର୍ଣ୍ଣ ହେଉଛି କଳା । ଶ୍ରୀସୁଭଦ୍ରା :ଲମ୍ବା ୧୨ ହାତ , ଓସାର ସାଢେ ୩ ଫୁଟ,ଧଡ଼ି ଓସାର ଏକ ଫୁଟ, ଉକ୍ତ ବସ୍ତ୍ର ଧଡ଼ି ବର୍ଣ୍ଣ ହେଉଛି ହଳଦିଆ ।

ଏତଦବ୍ୟତିତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ । ଶିର ଦେଶରେ ଶ୍ରୀକାପଡା ବସ୍ତ୍ର (ସୂତା ବସ୍ତ୍ର)ରେ ଆବୃତ କରାଯାଏ । ଚାଦରିଟି ଶ୍ରୀଭୁଜରେ ପ୍ରସରି ଥାଏ । ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତ୍ରକୁ କାଈ ଧଡ଼ିଆ (ନାଗପୁରୀ) ଲୁଗା କୁହାଯାଏ । ଶ୍ରାଦ୍ଧବେଶରେ ଠାକୁରମାନଙ୍କୁ ଲାଗି କରାଯାଉ ଥିବା ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ତଡ଼ଗୀ, ନଳିଭୁଜ, ଚନ୍ଦ୍ର, ସୂର୍ୟ୍ୟ, କୁଣ୍ଡଳ, ଆଡ଼କାନି, ହରିଡା ମାଳି, ଅଣ୍ଟାକମରପଟୃଇ ପ୍ରଭୂତି ଅନ୍ୟତମ ।

Leave A Reply

Your email address will not be published.