ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜକଙ୍କ ସହ କଳାକାରଙ୍କୁ ଯୋଡ଼ିବ ସ୍ୱତନ୍ତ୍ର ପୋର୍ଟାଲ : ସମସ୍ତଙ୍କୁ ମିଳିବ ସମାନ ସୁଯୋଗ, ୪ ସପ୍ତାହ ମଧ୍ୟରେ ମିଳିବ ପ୍ରାପ୍ୟ

ଭୁବନେଶ୍ୱର : ଏବେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜକମାନେ ପହଞ୍ଚିବେ କଳାକାରମାନଙ୍କ ପାଖରେ। କେହି କଳାକାର କାମ ନ ପାଇ ଘରେ ବସିବେନାହିଁ। ‘୫-ଟି’ ଉପକ୍ରମ ଅଧୀନରେ ଏକ ସ୍ୱତନ୍ତ୍ର କମ୍ପ୍ୟୁଟରୀକୃତ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଥିରେ ସମସ୍ତଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ତଥ୍ୟ ଉପଲବ୍ଧ ରହିବ। ଗତକାଲି ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ୍‍ ୧୫ ସୁଦ୍ଧା କଳାକାର ଓ କଳାକାର ଦଳଗୁଡ଼ିକର ପଞ୍ଜୀକରଣ ଶେଷ ହେବ। ରଥଯାତ୍ରା ପରେ ଏହି ପୋର୍ଟାଲରୁ ହିଁ ସବୁ ପରିଚାଳିତ ହେବ। କାର୍ଯ୍ୟକ୍ରମ ସରିବାର ୪ ସପ୍ତାହ ମଧ୍ୟରେ କଳାକାରଙ୍କୁ ପ୍ରାପ୍ୟ ମିଳିଯିବ ବୋଲି ପୋର୍ଟାଲ ଶୁଭାରମ୍ଭ ଅବସରରେ ସୂଚନା ମିଳିଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନରେ ଏହି ଉଦ୍‍ଘାଟନୀ ସଭାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ କହିଲେ, ପ୍ରଯୁକ୍ତି ବିଦ୍ୟା ପ୍ରସ୍ତୁତ ଏହି ବ୍ୟବସ୍ଥା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସାଂସ୍କୃତିକ ଦଳମାନଙ୍କର ବିବିଧ କାର୍ଯ୍ୟଗୁଡିକୁ ସହଜ ଓ ସୁବିଧାରେ କରିବା ପାଇଁ ସିଟିଏମ୍‍ଏସ୍‍ ଆପ୍ଲିକେସନ୍‍କୁ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଶେଷ ସମୟରେ ଉପୁଜୁଥିବା ଅସୁବିଧାଗୁଡିକୁ ଏଡାଇ ଦିଆଯିବା ସହିତ ସମସ୍ତଙ୍କୁ କଳା ପରିବେଷଣ କରିବାକୁ ସମାନ ସୁଯୋଗ ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ। ଏହା ଦ୍ୱାରା କଳା ସଂସ୍କୃତି କୋଣ ଅନୁକୋଣରେ ପହଞ୍ଚିବ।

ଅନୁଷ୍ଠାନମାନଙ୍କ ଅନୁରୋଧ ଆଧାରରେ ବିଭିନ୍ନ ପର୍ବୋତ୍ସବମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରେରଣ କରାଯାଇଥାଏ। ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଅନୁଷ୍ଠାନମାନେ ଆସନ୍ତା ଜୁନ୍‍ ୧୫ ସୁଦ୍ଧା ଆବଶ୍ୟକୀୟ ସୂଚନା ସହ ସିଟିଏମ୍‍ଏସ୍‍-ଓଏଲ୍‍ଏଲ୍‍ସି ଡଟ୍‍ ଇନ୍‍ ମାଧ୍ୟମରେ ନିଜକୁ ପଞ୍ଜୀକୃତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଥିଲେ। ପ୍ରଥମେ ସାଂସ୍କୃତିକ ଦଳମାନଙ୍କୁ ଏଥିରେ ସାମିଲ କରାଯିବାପରେ ପରବର୍ତ୍ତୀ ସମୟରେ ଅନୁଷ୍ଠାନଙ୍କୁ ସାମିଲ କରାଯିବ। ଫଳରେ ସାଂସ୍କୃତିକ ଦଳ ଓ ଅନୁଷ୍ଠାନମାନଙ୍କ ମଧ୍ୟରେ ସିଧାସଳଖ ଭାବର ଆଦାନପ୍ରଦାନ କରିପାରିବେ। ପ୍ରତ୍ୟେକ ୧୫ଦିନରେ ଥରେ ପଞ୍ଜିକରଣ ପାଇଁ ଏହି ୱେବ୍‍ସାଇଟ୍‍ ଖୋଲାଯିବ। ଏଥିରେ ସାଂସ୍କୃତିକ ଦଳମାନେ ସେମାନଙ୍କ ଦ୍ୱାରା ପରିବେଷିତ କାର୍ଯ୍ୟକ୍ରମର ଭିଡ଼ିଓ, ଫଟୋ କିମ୍ବା ଲାଇଭ୍‍ ପରିବେଷଣକୁ ଅପ୍‍ଲୋଡ଼୍‍ କରିବାର ସୁଯୋଗ ମଧ୍ୟ ରହିଛି।

ସେହିପରି କୋଣ ଅନୁକୋଣରେ ଥିବା ସାଂସ୍କୃତିକ ଦଳମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବାର ସୁଯୋଗ ମିଳିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଥିଲେ। ଏହାସହିତ ଜିଲ୍ଲାସ୍ତରରେ ଏଥିପାଇଁ ବ୍ୟବସ୍ଥା କରାଯାଇ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନେଇ ଟେକ୍ନିକାଲ୍‍ ଟିମ୍‍ କରାଯାଇଛି। ଏହି ୱେବ୍‍ସାଇଟ୍‍ ମାଧ୍ୟମରେ ସାଂସ୍କୃତିକ ଦଳ ଓ ଅନୁଷ୍ଠାନମାନଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗର ସୁବିଧା ଦିଆଯାଇଛି। ଏହାସହିତ ଏହା ମାଧ୍ୟମରେ ସାଂସ୍କୃତିକ ଦଳମାନଙ୍କୁ ତାଙ୍କର ପ୍ରାପ୍ୟ କଳା ପରିବେଷଣ କରିବାର ୪ସପ୍ତାହ ମଧ୍ୟରେ ଦିଆଯାଇପାରିବ। ସିଟିଏମ୍‍ଏସ୍‍ ଦ୍ୱାରା ସାଂସ୍କୃତିକ ଦଳ ପ୍ରେରଣ ପ୍ରକ୍ରିୟାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ଦାସ କହିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଆହୁରି ତ୍ୱରାନ୍ୱିତ କରାଯିବ। ଉପାନ୍ତ ଅଞ୍ଚଳ ତଥା ଗାଁ ଗହଳିରେ ଥିବା ସାଂସ୍କୃତିକ ଦଳମାନେ ଆଉ ଦୁରଦୂରାନ୍ତରୁ ନ ଆସି ମୋବାଇଲ ବା କମ୍ପ୍ୟୁଟରମାଧ୍ୟମରେ ପଞ୍ଜିକୃତ ହୋଇପାରିବେ। ବିଭାଗ ମଧ୍ୟ ରାଜ୍ୟର କୋଣ ଅନୁକୋଣରେ ଥିବା ଦଳମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିପାରିବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପରାମର୍ଶଦାତା ଡ. ଫନୀନ୍ଦ୍ରଭୂଷଣ ନନ୍ଦ, ଲୁମିନସ୍‍ ଇନ୍‍ଫୋୱେଜ୍‍ର ମୁଖ୍ୟ ତନ୍ମୟ ମହାନ୍ତି ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.