ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଡେଲ୍‌ଟାକ୍ରନ’ ରୂପନେଲା କରୋନା, ୨୫ ରୋଗୀ ଚିହ୍ନଟ

ନିକୋସିଆ: ବିଶ୍ବରେ କରୋନା ମହାମାରୀ କାୟା ମେଲାଇ ଚାଲିଛି। ମହାମାରୀ ନିପାତ ହେବା ପରିବର୍ତ୍ତେ ଦିନକୁ ଦିନ ଏହାର ନୂଆ ରୂପ ସାମ୍‌ନାକୁ ଆସିବାରେ ଲାଗିଛି। ଏଥିସହିତ କରୋନା ଅଧିକ ବିପଜ୍ଜନକ ହେବାର ଆଶଙ୍କା ବୃଦ୍ଧି ପାଉଛି। ଡେଲ୍‌ଟା ଏବଂ ଓମିକ୍ରନ ସଂକ୍ରମଣ ବିଶ୍ବରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଥିବାବେଳେ ଏବେ ପୁଣି ଏକ ଚିନ୍ତାଜନକ ଖବର ଆସିଛି। ଏହା ବିଶ୍ବବାସୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି। ସାଇପ୍ରସରୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ଡେଲ୍‌ଟା ଏବଂ ଓମିକ୍ରନ ମିଶି ସୃଷ୍ଟି ହୋଇଥିବା ନୂଆ ଭାରିଆଣ୍ଟକୁ ବୈଜ୍ଞାନିକ ଚିହ୍ନଟ କରିଛନ୍ତି। ଏ ପର୍ଯ୍ୟନ୍ତ ଓମିକ୍ରନକୁ ଦ୍ରୁତଗତିରେ ବ୍ୟାପୁଥିବା ଭାରିଆଣ୍ଟ କୁହାଯାଉଛି। କିନ୍ତୁ ଗତ ବର୍ଷ ଡେଲ୍‌ଟା ଭାରିଆଣ୍ଟ ଅନେକ ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ଏଭଳି ସ୍ଥିତିରେ ସେମାନଙ୍କ ମିଳିତ ରୂପ କେଉଁ ବିପଦ ସୃଷ୍ଟି କରିବ ତାହା ଆକଳନ କରାଯାଇପାରେ।

ରିପୋର୍ଟ ଅନୁଯାୟୀ, ସାଇପ୍ରସର ଗବେଷକମାନେ ଏହି ନୂଆ ଷ୍ଟ୍ରେନକୁ ଚିହ୍ନଟ କରିଛନ୍ତି। ଏହା ଡେଲ୍‌ଟା ଏବଂ ଓମିକ୍ରନର ମିଳିତ ରୂପ ବୋଲି ଦାବି କରାଯାଉଛି। ସାଇପ୍ରସ ୟୁନିଭର୍ସିଟିର ଜୀବ ବିଜ୍ଞାନ ପ୍ରଫେଶର ଲିଓନଡିଓସ କୋସଟ୍ରିକ୍ସ କହିଛନ୍ତି ଯେ ଏହି ଭାରିଆଣ୍ଟକୁ ଡେଲ୍‌ଟାକ୍ରନ ନାମ ଦିଆଯାଇଛି। କାରଣ ଏଥିରେ ଓମିକ୍ରନର ବଂଶାନୁକ୍ରମିକ ଲକ୍ଷଣ ଏବଂ ଡେଲ୍‌ଟା ଭଳି ଜିନୋମ ରହିଛି। ସାଇପ୍ରସରେ ଏ ପର୍ଯ୍ୟନ୍ତ ଏହି ଭାରିଆଣ୍ଟର ୨୫ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଭାରିଆଣ୍ଟର ପ୍ରଭାବ କିପରି ରହିବ ତାହା ଏବେ କହିହେବ ନାହିଁ। ଏହି ଷ୍ଟ୍ରେନ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ହେବ କି ନାହିଁ ତାହା ଯାଞ୍ଚ କରାଯିବ। ଏକ ସକ୍ଷାତକାରରେ କୋସଟ୍ରିକ୍ସ କହିଥିଲେ ଯେ ଡେଲ୍‌ଟାକ୍ରନ ଅପେକ୍ଷା ଓମିକ୍ରନ ଅଧିକ ସଂକ୍ରାମକ ଜଣାପଡୁଛି। ଏହି ଗବେଷକମାନେ ଅଧ୍ୟୟନର ଫଳାଫଳକୁ ସଂକ୍ରମଣ ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଜିଆଇଏସଆଇଡି’କୁ ପଠାଇଛନ୍ତି।

Leave A Reply

Your email address will not be published.