ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋକେନ୍‍ ଜବତ ପରେ ତନାଘନା, ଏସ୍‍ଟିଏଫ୍‍ ସ୍କାନରରେ ଦିଲ୍ଲୀର ମାଷ୍ଟରମାଇଣ୍ଡ୍‍

ଭୁବନେଶ୍ୱର : ଓଡ଼ିଶା ଏବେ ବ୍ରାଉନସୁଗର କାରବାରର ଅନ୍ତୁଡ଼ିଶାଳ। କିନ୍ତୁ ଓଡ଼ିଶା ବଜାରକୁ ଆସିଛି ସମ୍ଭ୍ର୍ରାନ୍ତଶ୍ରେଣୀର ବ୍ୟକ୍ତିବିଶେଷ ସେବନ କରୁଥିବା ବ୍ରାଜିଲର ‘କୋକେନ୍‍’। ମେଟ୍ରୋସିଟିଗୁଡ଼ିକରେ ବହୁଳ ଭାବେ କାରବାର କରାଯାଉଥିବା ଏହି କୋକେନ୍‍କୁ ଭୁବନେଶ୍ୱରରୁ ଠାବ କରିଛି କ୍ରାଇମ୍‍ବ୍ରାଞ୍ଚ୍‍ର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‍ଟିଏଫ୍‍)। ଆଉ ଦୁଇ ଅନ୍ତଃରାଷ୍ଟ୍ରୀୟ ନିଶା ମାଫିଆ ରବି ସିଂ ଓ ସନ୍ନି କୁମାରକୁ ଜେରା କରିବା ପରେ କୋକେନ୍‍ କାରବାରର ମାଷ୍ଟରମାଇଣ୍ଡ୍‍ ବିଷୟରେ ତଦନ୍ତକାରୀ ସଂସ୍ଥା ସୁରାକ୍‍ ପାଇଛି। ସେ ଦିଲ୍ଲୀରେ ରହୁଥିବାରୁ ସେଠାକୁ ଏସ୍‍ଟିଏଫ୍‍ର ଏକ ଟିମ୍‍ ଯାଇଛି।

ସେଥିସହିତ ଦିଲ୍ଲୀ ପୁଲିସକୁ ବି ଅବଗତ କରିଛି ତଦନ୍ତକାରୀ ସଂସ୍ଥା। ସେହିପର ନିଶା କାରବାରର ଗୁମର ଖୋଲିବା ଲାଗି ରବି ଓ ସନ୍ନିଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ଲାଗି କୋର୍ଟ ଆବେଦନ କରାଯାଇଛି। କୋର୍ଟର ଅନୁମତିକ୍ରମେ ଦୁଇ ନିଶା ମାଫିଆଙ୍କୁ ମାରାଥନ୍‍ ଜେରା କରାଯିବ। ପରେ ସେମାନେ ଓଡ଼ିଶାରେ କାହାକୁ ଦେବାକୁ ଆଣିଥିଲେ ତାହା ସ୍ପଷ୍ଟ ହେବ ବୋଲି ଏସ୍‍ଟିଏଫ୍‍ ପକ୍ଷରୁ କୁହାଯାଉଛି। ସେପଟେ ଦୁଇ ଅଭିଯୁକ୍ତଙ୍କୁ ଜେରା ପରେ ସେମାନେ ପ୍ରଥମଥର ଲାଗି ଓଡ଼ିଶାକୁ ‘କୋକେନ୍‍’ ଆଣି ଧରାପଡ଼ିଥିବା କଥା ଗିରଫ ଦୁଇ ନିଶା ମାଫିଆ ପୁଲିସ ଆଗରେ ସ୍ୱୀକାର କରିଛନ୍ତି। କିନ୍ତୁ ସେମାନେ ପୂର୍ବରୁ ଭୁବନେଶ୍ୱରକୁ ‘କୋକେନ୍‍’ ଆଣି ଯୋଗାଇ ଥାଇପାରନ୍ତି ବୋଲି ଏସ୍‍ଟିଏଫ୍‍ ସନ୍ଦେହ କରୁଛି। ତେଣୁ ସାଲିଆସାହି ତାରିଣୀବସ୍ତିରେ ରହୁଥିବା ସନ୍ନିର ଭଡାଘରେ ଚଢ଼ଉ କରିଛି ତଦନ୍ତକାରୀ ସଂସ୍ଥା। ସେଭଳି ରବିର ରାଜସ୍ଥାନର ଥିବା ହୋଟେଲ ଏବଂ ଘରେ ଚଢ଼ଉ କରିବା ଲାଗି ସେଠାକାର ପୁଲିସକୁ ଯୋଗାଯୋଗ ମଧ୍ୟ କରାଯାଇଛି।

ସେହିପରି ସେମାନେ ଭୁବନେଶ୍ୱରରେ ବିକ୍ରି କରିବା ଲାଗି କୋକେନ୍‍କୁ ଦିଲ୍ଲୀରୁ ଆଣିଥିଲେ। ତେବେ ଦିଲ୍ଲୀକୁ ଆସିଥିଲା ବ୍ରାଜିଲର ପ୍ରସ୍ତୁତ କୋକେନ୍‍। ବ୍ରାଜିଲରୁ କୋକେନ୍‍ ଆଣି ନିଶା ମାଫିଆ ସାଉଥ୍‍ ଆରବ, ଦୁବାଇ ଦେଇ ଭାରତକୁ ପ୍ରବେଶ କରିଥାଏ। ଆଉ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତା ଭଳି ମୋଟ୍ରାସିଟିକୁ ଆସିଥାଏ। ସେଠାରୁ ବିଦେଶୀ ପର୍ଯ୍ୟଟକ ଗୋଆ, ଭାଇଜାଗ୍‍, ହିମାଚଳପ୍ରଦେଶ ଭଳି ରାଜ୍ୟକୁ ଚାଲାଣ କରିଥାଏ। ଏସବୁ ରାଜ୍ୟରେ ବହୁଳ ଭାବେ କାରବାର କରିଥାନ୍ତି ନିଶା ମାଫିଆ। ତେବେ ଓଡ଼ିଶାରେ ମଧ୍ୟ କୋକେନ୍‍ର ଚାହିଦାଥିବାରୁ ଭୁବନେଶ୍ୱରକୁ କୋକେନ୍‍ ଆଣିଥିଲା ନିଶା ମାଫିଆ ରବି। ତେଣୁ ରାଜଧାନୀରେ ବି କୋକେନ୍‍ର ସେବନ କରିବା ଲାଗି ସମ୍ଭ୍ରାନ୍ତଶ୍ରେଣୀର ବ୍ୟକ୍ତିମାନେ ଇଚ୍ଛା ପ୍ରକାଶ କରିବା ସହ ଏହି ନିଶାକୁ ସେବନ କରୁଛନ୍ତି। ତେବେ ଓଡ଼ିଶାରେ ବ୍ୟବସାୟ ପଛରେ ଦିଲ୍ଲୀର ବଡ଼ ନିଶା ମାଫିଆର ହାତ ଥିବା ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମଥର ପାଇଁ କୋକେନ ଜବତ ହୋଇଥିବା ବେଳେ ତଥ୍ୟ କହୁଛି, ୨୦୨୦ ତୁଳନାରେ ୨୦୨୧ରେ ରାଜ୍ୟରେ ବ୍ରାଉନସୁଗର କାରବାର ୨୧୯ ପ୍ରତିଶତ ବୃଦ୍ଧି ହୋଇଛି। ସେଭଳି ଅନ୍ୟ ମାଦକ ଦ୍ରବ୍ୟ ଭିତରେ ସବୁଠି ଅଧିକ ଅଫିମ କାରବାର ୯୨୭ପ୍ରତିଶତ ବଢ଼଼ିଛି। ଆଉ ବ୍ରାଉନସୁଗର କୋଲକାତା ଦେଇ ଓଡ଼ିଶା ବଜାରୁ ଆସୁଥିବା ବେଳେ ଓଡ଼ିଶା ବଜାରରେ କୋକେନର ପ୍ରବେଶ କରିବା ଅବକାରୀ ବିଭାଗ, ଏନ୍‍ସିବି, ଏସଟିଏଫ୍‍ ଏବଂ ଓଡ଼ିଶା ପୁଲିସ ଲାଗି ଆହ୍ୱାନ ହୋଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଜାଭିୟର ଛକରେ ରାଜସ୍ଥାନର ରବି ସିଂ ଓ ସନ୍ନି କୁମାରଙ୍କୁ ଗିରଫ କରିବା ସହ ୨୦୩ ଗ୍ରାମର କୋକେନ୍‍ ଜବତ କରାଯାଇଥିଲା।

ତଦନ୍ତ କରିପାରେ ଏନ୍‍ସିବି

ଓଡ଼ିଶାରୁ ପ୍ରଥମଥର ଲାଗି ‘କୋକେନ୍‍’ ଠାବ ହୋଇଛି। ଏହି ଘଟଣାରେ ୨ ନିଶା ମାଫିଆଙ୍କ ସହ କୋକେନ୍‍କୁ ଜବତ କରାଯାଇଥିଲା। ରାଜଧାନୀରୁ କୋକେନ୍‍ ଠାବ ହେବା ପରେ ଓଡ଼ିଶା ପୁଲିସ ଆଲର୍ଟ ହୋଇଯାଇଛି। ଏପରିକି ଧରାପଡ଼ିଥିବା ନିଶା ମାଫିଆ ରବି ଓ ସନ୍ନିକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‍ସିବି) ପଚରାଉଚରା କରିବା ଲାଗି ଯୋଜନା କରିଛି। ତେଣୁ ଏନ୍‍ସିବି ପକ୍ଷରୁ ଏସ୍‍ଟିଏଫ୍‍କୁ ଯୋଗାଯୋଗ କରାଯାଇଛି। ଆଉ ଏନ୍‍ସିବିର ଗୋଟିଏ ଟିମ୍‍ ଦୁଇ ନିଶା ମାଫିଆଙ୍କୁ ଜେରା କରିବ ବୋଲି ବିଶେଷସୁତ୍ରରୁ ସୂଚନା ମିଳିଛି। ଅନ୍ତରାଷ୍ଟ୍ରୀୟ ନିଶାମାଫିଆ ରବି ଦିଲ୍ଲୀରେ କୋକେନ୍‍ କାରବାର କରୁଥିବାରୁ ତଦନ୍ତକାରୀ ସଂସ୍ଥା ଏନ୍‍ସିବିର ମୋଷ୍ଟୱାଣ୍ଟେଡ୍‍ ତାଲିକାର ରହିଛି। ସେ ୧୨ ବର୍ଷ ଧରି କଳାସାମ୍ରାଜ୍ୟ ଗଢ଼ି ଦେଶ ଓ ବିଦେଶରେ କୋକେନ୍‍ ଆଣି ସମ୍ଭ୍ରାନ୍ତଶ୍ରେଣୀର ଲୋକଙ୍କୁ ଯୋଗାଇଥାଏ। କିନ୍ତୁ କେବେ ବି ପୁଲିସ କିମ୍ବା ନିଶା ବେପାରୀଙ୍କ ଠାବ କରୁଥିବା ଏକାଧିକ ତଦନ୍ତକାରୀ ସଂସ୍ଥା ହାତରେ ଧରାପଡ଼ି ନ ଥିଲା।

Leave A Reply

Your email address will not be published.