ଆଉ ୨ ଦିନ ପରେ ଅନ୍ଧାର ହୋଇଯିବ ଦିଲ୍ଲୀ, ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତର ଘୋର ସଙ୍କଟ। ଏପରି ଅବସ୍ଥା ହୋଇଛି ଯେ ଆଉ ଦୁଇ ଦିନ ମଧ୍ୟରେ ଦିଲ୍ଲୀ ଅନ୍ଧାର ହୋଇଯିବ। ଏହାର ମୁଖ୍ୟକାରଣ ହେଉଛି ଦିଲ୍ଲୀରେ କୋଇଲା ଅଭାବ ଦେଖାଯାଇଛି। ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ଆବଶ୍ୟକୀୟ କୋଇଲା ନମିଳିଲେ ତେବେ ପରିସ୍ଥିତି ସଙ୍ଗୀନ ହୋଇପାରେ ଅର୍ଥାତ୍ ସମ୍ପୁର୍ଣ୍ଣ ଦିଲ୍ଲୀ ବିଦ୍ୟୁତ ବିନା ଅନ୍ଧାର ହୋଇଯାଇପାରେ। ଜାତୀୟ ରାଜଧାନୀରେ ଏପରି ସଙ୍କଟ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଣ କରୁଥିବା ଉତ୍ପାଦନ କାରଖାନାକୁ କୋଇଲା ଏବଂ ଗ୍ୟାସର ପର୍ଯ୍ୟାପ୍ତ ଯୋଗାଣ ବ୍ୟବସ୍ଥା କରିବାରେ ହସ୍ତକ୍ଷେପ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।
Delhi could face a power crisis. I am personally keeping a close watch over the situation. We are trying our best to avoid it. In the meanwhile, I wrote a letter to Hon’ble PM seeking his personal intervention. pic.twitter.com/v6Xm5aCUbm
— Arvind Kejriwal (@ArvindKejriwal) October 9, 2021
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘ଜାତୀୟ ରାଜଧାନୀ ଆଗାମୀ ଦୁଇଦିନ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହୋଇପାରେ ଏବଂ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ତାଙ୍କ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି ଏକ ଚିଠି ଲେଖିଛି ଯଦି ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ ନକରନ୍ତି ତେବେ ଦିଲ୍ଲୀ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇପାରେ ଏବଂ ଆଗାମୀ ୨ଦିନ ମଧ୍ୟରେ ସମଗ୍ର ଦିଲ୍ଲୀ ‘ବ୍ଲାକ୍ଆଉଟ’ ହୋଇଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି କେଜ୍ରିୱାଲ କହିଛନ୍ତି।
ଅନ୍ୟପଟେ ଦିଲ୍ଲୀରେ ବିଦ୍ୟୁତ ସଙ୍କଟ ମଧ୍ୟରେ ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଦ୍ୟୁତ୍ ଯୋଗାଉଥିବା ଟା ପାୱାର ସେହି ଅଞ୍ଚଳର ଗ୍ରାହକମାନଙ୍କୁ ଏକ ମେସେଜ୍ ଦେଇଛି। ଯେଉଁଥିରେ ଟାଟା ପାୱାର କହିଛି ଯେ ’ସମଗ୍ର ଉତ୍ତର ଭାରତରେ କୋଇଲା ଖୁବ୍ ସୀମିତ ଷ୍ଟକ୍ ରହିଥିବାରୁ ଅପରାହ୍ନ ୨ ଟାରୁ ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣରେ ସମସ୍ୟା ହୋଇପାରେ। ଦୟାକରି ଯତ୍ନର ସହ ବିଜୁଳି ବ୍ୟବହାର କରନ୍ତୁ । ଜଣେ ଦାୟିତ୍ବବାନ ନାଗରିକ ହୁଅନ୍ତୁ । ଅସୁବିଧା ପାଇଁ ଆମେ ଦୁଃଖିତ ।
ଟିପିଡିଡିଏଲ୍ ର ସିଇଓ ଗଣେଶ ଶ୍ରୀନିବାସନ୍ ସୂଚନା ଦେଇଛନ୍ତି ଯେ ଟାଟା ପାୱାର କୋଇଲାରୁ ଉତ୍ପାଦିତ ବିଦ୍ୟୁତ୍ ଯୋଗାଏ ଏବଂ ବର୍ତ୍ତମାନ ଟାଟା ପାଖରେ କେବଳ ଦୁଇ ଦିନର ଷ୍ଟକ ବାକି ଅଛି । କମ୍ କୋଇଲା ଷ୍ଟକ୍ ଯୋଗୁଁ ଦିଲ୍ଲୀ ବିଦ୍ୟୁତ୍ କାଟର ଭାରୀ ସମ୍ମୁଖୀନ ହୋଇପାରେ। ତେବେ ଦିଲ୍ଲୀ ଏବଂ କେନ୍ଦ୍ର ଉଭୟ ସରକାର ଗ୍ରହଣ କରୁଥିବା ପଦକ୍ଷେପରୁ ମୁକ୍ତି ପାଇବାକୁ ସମ୍ପୂର୍ଣ୍ଣ ଆଶା ରହିଛି।