ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ : ମହାମାରୀ କାଳରେ ଓଡ଼ିଶା ଠାରୁ ଶିଖ ଅକ୍ସିଜେନ ପରିଚାଳନା

ଭୁବନେଶ୍ୱର : ଅକ୍ସିଜେନ୍ ଅଭାବ ଦିଲ୍ଲୀ ଓ ମୁମ୍ବାଇରେ କୋଭିଡ଼ ପରିସ୍ଥିତିକୁ ଉଦବେଗଜନକ କରିଛି । ବିିଭିନ୍ନ ଡ଼ାକ୍ତରଖାନାରେ ଯେତିକି ଅକ୍ସିଜେନ ଗଚ୍ଛିତ ରହିଛି, ତାହା ଅତିବେଶୀରେ ୧୦ ଘଣ୍ଟା ଯାଏ ଚାଲି ପାରିବ । ଏହାପରେ ରୋଗୀମାନଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେବ ନାହିଁ । ଦିଲ୍ଲୀକୁ ଅକ୍ସିଜେନ କୋଟା ବୃଦ୍ଧି ନିମନ୍ତେ ବାରମ୍ବାର ଦାବି ସତ୍ୱେ କେନ୍ଦ୍ର ସରକାର ଏହାପ୍ରତି ଗୁରୁତ୍ୱ ଦେଉ ନ ଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସମାନ ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହି ସ୍ଥିତିରେ ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ୍ ଯୋଗାଣ ଉପରେ ହସ୍ତକ୍ଷେପ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି ।

ହାଇକୋର୍ଟ କହିଛନ୍ତି ଯେ ଏପ୍ରିଲ ୨୨ ତାରିଖରୁ ଅକ୍ସଜେନ ଯୋଗାଣ ବନ୍ଦ କରିବାକୁ ଦିଆଯାଇଥିବା ନିର୍ଦେଶ ଆଜିଠାରୁ କାହିଁକି କାର୍ଯ୍ୟକାରୀ ହୋଇ ପାରିବ ନାହିଁ? ମଣିଷ ଜୀବନଠାରୁ ଶିଳ୍ପ କ’ଣ ଅଧିକ ଗୁରୁତ୍ୱପୂର୍ଣର୍ । ପେଟ୍ରୋଲିୟମ ଓ ଇସ୍ପାତ ଶିଳ୍ପଗୁଡ଼ିକ ବିପୁଳ ପରିମାଣରେ ଅକ୍ସିଜେନ୍ ବ୍ୟବହାର କରୁଛନ୍ତି । ଯେତେବେଳେ ଦେଶ ଭୟଙ୍କର ବିପର୍ଯ୍ୟୟ ଦିଗକୁ ଗତି କରୁଛି ସେତେବେଳେ ଶିଳ୍ପ ଦରଦ କେଉଁ ଦୃଷ୍ଟିରୁ ଗ୍ରହଣୀୟ ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଇସ୍ପାତ ଓ ପେଟ୍ରୋଲିୟମ ଶିଳ୍ପ କ୍ଷେତ୍ରର ପ୍ରଭାବଶାଳୀ ଲବି ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ ଯୋଗାଣରେ ବାଧକ ସାଜିଛି ବୋଲି ଉଲ୍ଲେଖ କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଅକ୍ସିଜେନ ପରିଚାଳନାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଲୋକଙ୍କ ସ୍ୱାସ୍ଥ୍ୟ ଓ ଶିଳ୍ପ ମଧ୍ୟରେ ଭାରସାମ୍ୟ ରଖି କିପରି ଅକ୍ସିଜେନ ପରିଚାଳନା କରାଯାଇଥାଏ ତାହା ଅନ୍ୟ ରାଜ୍ୟମାନେ ଓଡ଼ିଶାଠାରୁ ଶିଖନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି ।

Leave A Reply

Your email address will not be published.