ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅମର୍ଦ୍ଦା ଏୟାରଷ୍ଟ୍ରିପ ଉନ୍ନତିକରଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି  

ବାରିପଦା : ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପର ଉନ୍ନତିକରଣ ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଡିଆରଡିଓକୁ ଦେଇଥିବା ଚିଠି ଅନୁଯାୟୀ ୧୬୦.୩୫ଏକର ଜମିରେ ଏୟାରଷ୍ଟ୍ରିପ ଉନ୍ନତିକରଣ ପାଇଁ ଓଡିଶା ସରକାରଙ୍କୁ ୨୬.୦୩କୋଟି କ୍ଷତିପୂରଣ ବାବଦକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ୟ୍ୟାଦେଶ କାର୍ୟ୍ୟକାରୀ ପୂର୍ବରୁ ସିଏଫଆଇ ପାଣ୍ଠିରୁ ଏହି ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜଣେ ବୋର୍ଡ ଅଫ୍ ଅଫିସର ପରିଷଦ ଗଠନ କରି  ଉନ୍ନତିକରଣ ହେବାକୁ ଥିବା ଏୟାରଷ୍ଟ୍ରିପ ଜମିର ସ୍ଥିତାବସ୍ଥା, ଜମି ଚିହ୍ନଟ,ମୂଲ୍ୟାୟନ, ସରକାରୀ ବେସରକାରୀ ସମ୍ପତିର ଆକଳନ ସାଙ୍ଗକୁ ସୁରକ୍ଷା ଓ ନିରାପତା ଆଦି ବ୍ୟବସ୍ଥା ସମ୍ବନ୍ଧୀୟ କାର୍ଯ୍ୟ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ କୁହାଯାଇଛି ।  ସୂଚନା ଥାଉକି, ଡିଆରଡିଓ ଅଧିନରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ ଉଡାନ ଯୋଜନାରେ ସାମିଲ ହୋଇଥିଲା ।

ତେବେ ଗତ ଫେବୃଆରୀ ମାସରେ ରାଜ୍ୟ ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରତିରକ୍ଷା ବିଭାଗ ସଚିବ ଅଜୟ କୁମାରକୁ  ବ୍ୟବସାୟ ଭିତ୍ତିକ ବିମାନ ଚଳାଚଳ ନିମନ୍ତେ ଏନଓସି ପ୍ରଦାନ ପାଇଁ ପତ୍ର ଲେଖିଥିଲେ । ଏପ୍ରିଲ ମାସରେ ଉନ୍ନତିକରଣ କାର୍ଯ୍ୟ ପାଇଁ ଡିଆରଡିଓ ଅନୁମତି ଦେଇଥିଲା ।

ସୂଚନା ଥାଉକି, ଦ୍ବିତୀୟ ବିଶ୍ୱ ଯୁଦ୍ଧ(୧୯୩୯-୪୫) ସମୟରେ ଏହି ଏୟାରଷ୍ଟ୍ରିପ ଯୁଦ୍ଧ ପାଇଁ ବ୍ୟବହୃତ ହୋଇଥିଲା । ଏସିଆ ମହାଦେଶର ସର୍ବବୃହତ ରନୱେ ୩.୫କିମି ରହିଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ରେ ରହିଛି ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ । ଏହାକୁ ୬୦୦ ଏକର ଜମିରେ ୩କୋଟି ଟଙ୍କାରେ ଇଂରେଜମାନେ ନିର୍ମାଣ କରିଥିଲେ । ଏୟାରଷ୍ଟ୍ରିପରେ ଏକାଥରେ ପାଖାପାଖି ୩୦୦ ଯୁଦ୍ଧବିମାନ ରହିବାର ବ୍ୟବସ୍ଥା ଥିବା କୁହାଯାଏ ।ଭୌଗୋଳିକ ଦୃଷ୍ଟିରୁ ଏହା ଏକ ଷ୍ଟ୍ରାଟେଜିକ୍‌ ପଏଣ୍ଟ ।ସମଗ୍ର ଦେଶରେ ଏଭଳି ସାମରିକ ଭିତ୍ତିଭୂମି ନାହିଁ। ଏହି ଏୟାରଷ୍ଟ୍ରିପ ଇତିହାସର ଗାଥାକୁ ବହନ କରୁଛି। ଏକକାଳୀନ ୨ଟି ବଡ ଯୁଦ୍ଧ ବିମାନ ଅବତରଣ କରିବାର କ୍ଷମତା ରଖିଛି ଏହି ଏୟାରଷ୍ଟ୍ରିପ୍ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଭାଙ୍ଗିରୁଜି ଯିବାକୁ ବସିଛି।

ସ୍ୱାଧୀନତା ପରେ ଏହି ଏୟାରଷ୍ଟ୍ରିପ ଭାରତ ସରକାରଙ୍କ ଡିଆରଡିଓ ଅଧୀନରେ ରହିଛି। ହେଲେ କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଏହାର ପୁନର୍ଦ୍ଧାର ସମ୍ଭବ ହୋଇପାରିନଥିଲା।  ତେବେ ଖୁବ୍‌କମ୍‌ ଖର୍ଚ୍ଚରେ ଏହାର ପୁନର୍ଦ୍ଧାର କରାଯାଇ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି ଗବେଷକମାନେ ମତ ଦିଅନ୍ତି । ଏହାର ପୁନର୍ଦ୍ଧାର କରିବା ସହ ଏୟାରଫୋର୍ସର ଟ୍ରେନିଂ ସେଣ୍ଟର କିମ୍ବା ଏୟାରପୋର୍ଟ ଭାବେ ବ୍ୟବହୃତ କରିହେବ ବୋଲି ଉଭୟ ବିଶେଷଜ୍ଞ ସହ ଅବସରପ୍ରାପ୍ତ ବାୟୁସେନାର ଅଧିକାରୀ ମତ ପ୍ରକାଶ କରିଛନ୍ତି । ତେବେ ସାରା ଭାରତ ବର୍ଷରେ ଏତେ ବଡ ଏୟାରଷ୍ଟ୍ରିପ ନଥିବାବେଳେ ବର୍ତ୍ତମାନର ଚୀନ-ଭାରତ ମୁହାଁମୁହିଁ ପରିସ୍ଥିତିରେ ଏହି ଏୟାରଷ୍ଟ୍ରିପର ପୁନର୍ଦ୍ଧାର ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ସେହିପରି ଅବହେଳିତ ଅବସ୍ଥାରେ ପଡି ରହିଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ ପୁନଃର୍ଜିବିତ କରାଗଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ରୋଜଗାର ସୃଷ୍ଟିର ସୁଯୋଗ ଏକ ନିଶ୍ଚିତ ମାଧ୍ୟମ ପାଲଟିବ। ଯାହା ସରକାରଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟିର ପ୍ରତିଶୃତିକୁ ଅନେକାଂଶରେ ପୂରଣ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏହାକୁ ଦୃଷ୍ଟିରେ ରଖି ଅନେକ ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଅମର୍ଦ୍ଦା ଏୟାରଷ୍ଟ୍ରିପ ପୁନର୍ଦ୍ଧାର ପାଇଁ ଦାବି କରୁଥିଲେ। ତେବେ ଅମର୍ଦ୍ଦା ଏୟାରଷ୍ଟ୍ରିପ ଉନ୍ନତିକରଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି ଖବର ଜଣାପଡିବା ପରେ ମୟୂରଭଞ୍ଜ ସମେତ ଉତ୍ତର ଓଡିଶାରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.