ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ପୂର୍ବତନ ଆଇଏସ ଅଧିକାରୀ ଲିଭନସ କିଣ୍ଡୋଙ୍କ ପୁଅ ଗିରଫ

ଭୁବନେଶ୍ବର : ୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋଙ୍କୁ ଗିରଫ କରାଯାଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ବର୍ଗତ ଲିଭନସ କିଣ୍ଡୋଙ୍କ ପୁଅ ଦୀପକ କିଣ୍ଡୋଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଲୁଲୁଡ଼ିହାରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ଦୀର୍ଘ ଦିନ ଧରି ସେ ଫେରାର ଥିଲା। ତା ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା ପୁଲିସ।ପୂର୍ବରୁ ଦୀପକଙ୍କ ପତ୍ନୀ ଅମୃତା କିଣ୍ଡୋଙ୍କୁ ଗିରଫ କରାଯାଇଥିଲା। ଦୀପକଙ୍କର ୪୭ଟି ସ୍ଥାନରେ ୬୧ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ସେ ବିଭିନ୍ନ ବ୍ୟାଙ୍କରୁ ଜାଲ କାଗଜପତ୍ର ଦେଇ ଶହେ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରଥିବା ଅଭିଯୋଗ ହୋଇଥିଲା।ବର୍ତ୍ତମାନ ସୁଦ୍ଧା ଜଣାପଡିଛି ଏହା ୩୮୯ କୋଟିର ସ୍କାମ। ହେଲେ ଏଯାଏଁ ୧୦୯ କୋଟି ଟଙ୍କାର ରେଜିଷ୍ଟ୍ରେସନ ହୋଇଥିବା ଜଣାଯାଇଛି।ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ଲିଖିତ ଆଧାରରେ ଉପରୋକ୍ତ ମାମଲା ଉକ୍ତ ମାମଲା ପଞ୍ଜିକୃତ ହୋଇଛି।

ସୂଚନାଯୋଗ୍ୟ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍‍ ଲିମିଟେଡ୍‍ ନାମକ ଏକ ସଂସ୍ଥା ଚନ୍ଦ୍ରଶେଖରପୁର, ସାଇବର ସିଟିରେ ଅଫିସ୍‍ ଖୋଲିଥିଲା। ଏହି ଅଫିସ୍‍ର ଅନ୍ୟଏକ ବ୍ରାଞ୍ଚ ଅଫିସ୍‍ ରାଉରକେଲାରେ ମଧ୍ୟ ଖୋଲିଥିଲା। ଉକ୍ତ ସଂସ୍ଥା ବିଭିନ୍ନ ମହିଳା ସଂଗଠନ(ଏସ୍‍ଏଚ୍‍ଜି)କୁ ଋଣ ପ୍ରଦାନ କରୁଥିଲା। ଖଣ୍ଡଗିରି ବାରୀ ପ୍ଲଟ୍‍ ନଂ-୧୨୧୫/୧୪୧୦ରେ ଅନ୍ୟ ଏକ ଅର୍ଥଲଗାଣକାରୀ ସଂସ୍ଥା ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାର ଅଫିସ ରହିଛି। ଏହି ସଂସ୍ଥା ମଧ୍ୟ ଅନ୍ୟମାନଙ୍କୁ ଋଣ ପ୍ରଦାନ କରେ। ୨୦୨୦ ମସିହାରେ ସମ୍ବନ୍ଧ ଫିନସର୍ଭ ଫାଇନାନ୍ସ ସଂସ୍ଥା ଲୋନ୍‍ ନେବା ପାଇଁ ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାରେ ଆବେଦନ କଲେ। ଏହି ଲୋନ୍‍ ନେଇ ସମ୍ବନ୍ଧ ଫିନ୍‍ସର୍ଫ ସଂସ୍ଥା ମହିଳା ଏଏଚ୍‍ଜି ଗ୍ରୁପ୍‍କୁ ଦେବ ବୋଲି କାଗଜପତ୍ରରେ ଦେଖାଇଥିଲା। ୧୨ମାସରେ ୧୫.୫୦ ପ୍ରତିଶତ ସୁଧ ଦେବାକୁ ମଧ୍ୟ ଚୁକ୍ତି ହୋଇଥିଲା।

୨୦୨୦ ସେପ୍ଟେମ୍ବର ୨୮ ତାରିଖରେ ପ୍ରଥମେ ୨କୋଟିର ଲୋନ୍‍ ନେଇଥିବା ବେଳେ। ପରେ ପୁଣି ଆଉ ୩କୋଟିର ଲୋନ୍‍ ମିଳିଥିଲା। ଏହିଭଳି ସମ୍ବନ୍ଧ ଫିନସର୍ଭ ଅର୍ଥଲଗାଣକାରୀ ସଂସ୍ଥା ୫କୋଟି ଟଙ୍କା ଲୋନ୍‍ ନେଇଥିଲା। ସମ୍ବନ୍ଧ ଫିନସର୍ଭ ସଂସ୍ଥା ଲୋକଙ୍କୁ ଠକିଥିବା ପରେ ବିଭିନ୍ନ ଗଣମାଧ୍ୟମର ଖବରରୁ ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାର ଏମ୍‍ଡି ଜାଣିବାକୁ ପାଇଥିଲେ। ତେଣୁ ଲୋନ୍‍ ସୁଝିବାକୁ ସମ୍ବନ୍ଧ ଫିନସର୍ଭ ସଂସ୍ଥାକୁ କହିଥିଲେ। ଉକ୍ତ ସଂସ୍ଥା ପ୍ରଥମେ ୫୦ଲକ୍ଷ ଟଙ୍କା ଫେରାଇଥିବା ବେଳେ ବାକି ଟଙ୍କା ଫେରାଇନଥିଲା। ଶେଷରେ ଅନ୍ନପୂର୍ଣ୍ଣା ସଂସ୍ଥା ଲୋନ୍‍ ନେଇଥିବା ଅର୍ଥଲଗାଣକାରୀ ସଂସ୍ଥାର ସମସ୍ତ କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ବ୍ୟାଙ୍କ୍‍ ଷ୍ଟେଟ୍‍ମେଣ୍ଟ ମଧ୍ୟ ନକଲି ଦେଇଛନ୍ତି। କାରଣ ସମ୍ବଦ୍ଧ ଫିନ୍‍ସର୍ଫ ସଂସ୍ଥାର ଆକାଉଣ୍ଟରେ ୧୭ କୋଟି ଥିବା ଦର୍ଶାଯାଇଥିଲା। କିନ୍ତୁ ଯାଞ୍ଚ ପରେ ଜଣାପଡ଼ିଥିଲା ଆକାଉଣ୍ଟରେ କେବଳ ମାତ୍ର ୧୫ଲକ୍ଷ ଟଙ୍କା ରହିଥିଲା।

ଶେଷରେ ଟଙ୍କା ଫେରାଇବା ପାଇଁ ଅନ୍ନପୂର୍ଣ୍ଣ ଫାଇନାନ୍ସ ସଂସ୍ଥା ବାରମ୍ବାର ନୋଟିସ୍‍ କରିବା ପରେ ମଧ୍ୟ ସେମାନେ ଧରାଛୁଅାଁ ଦେଇନଥିଲେ। ଶେଷରେ ଅନ୍ନପୂର୍ଣ୍ଣ ଫାଇନାନ୍ସ ସଂସ୍ଥା ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।ହାଇଦ୍ରାବାଦରେ ମଧ୍ୟ ସମ୍ବନ୍ଧ ଫିନ୍‍ସର୍ଫ ଫାଇନାନ୍ସ ସଂସ୍ଥା ନାମରେ ୨କୋଟି ଠକେଇ ଅଭିଯୋଗ ହୋଇଥିଲା।  ଏହି ଠକେଇର ଚେର ଓଡ଼ିଶାରୁ ହାଇଦ୍ରାବାଦକୁ ଲମ୍ବିଛି। ରାଉରକେଲା, ଭୁବନେଶ୍ୱର ଏବଂ କଟକରେ ଏହି ସଂସ୍ଥା ଠକେଇ କରିଥିବା ପୂର୍ବରୁ ଅଭିଯୋଗ ହୋଇଛି।

Leave A Reply

Your email address will not be published.