ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କ୍ରୀଡା ଦିବସ ଅବସରରେ ବିଜୁ କ୍ରୀଡା ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି ।

‘‘ଖେଳ ହେଉଛି ବ୍ୟାୟାମର ପ୍ରକୃଷ୍ଟ ମାଧ୍ୟମ । ଆଗାମୀ ଦିନରେ ଓଡ଼ିଶା ଖେଳ ଡେଷ୍ଟିନେସନ ହେବାକୁ ଯାଉଛି । କ୍ରୀଡା ଦିବସ ଅବସରରେ ସମସ୍ତ ଖେଳାଳୀ ଓ କ୍ରୀଡାବିତ୍‌ଙ୍କୁ ଅଭିନନ୍ଦନ ଜଣାଉଛି । ବିଭିନ୍ନ କ୍ଷେତ୍ରରରେ ଓଡ଼ିଶା ପାଇଁ ଗର୍ବ ଆଣିଥିବାରୁ ସଭିଙ୍କୁ ଅଭିନନ୍ଦନ । ରାଜ୍ୟ ସରକାର ସବୁବେଳେ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଇଛନ୍ତି’’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ବର ଲୋକସେବା ଭବନରେ ଏକ ବର୍ଣ୍ଣାଢ୍ୟ କାର୍ୟ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳିଙ୍କୁ ନିଯୁକ୍ତିପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଛି ।

ରାଜ୍ୟ ପାଇଁ ଗୌରବ ଆଣିଥିବା ବଡି ବିଲ୍‌ଡର ଚନ୍ଦନ କୁମାର ସାହୁ, ପାରା -ଆଥଲେଟ୍ ଜୟନ୍ତୀ ବେହେରା, ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା, ପାରା-ଆଥଲେଟ୍ ସୁନୀଲ ପ୍ରଧାନ, ରଗବୀ ଖେଳାଳି ମୁନା ମୁର୍ମୁ ଓ ହକି ପାଇଁ ଜାହ୍ନବୀ ପ୍ରଧାନ ପ୍ରମୁଖଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏହାସହ ଚେସ୍ ପାଇଁ ସାଇନା ସାଲୋନିକାଙ୍କୁ ଦେଢ଼ ଲକ୍ଷ ଟଙ୍କା, ଫୁଟବଲ ଖେଳାଳି ଟଙ୍କଧର ବାଗଙ୍କୁ ୨ ଲକ୍ଷ, ସୌନ୍ଦର୍ଯ୍ଯ ପ୍ରଧାନଙ୍କୁ ୨ ଲକ୍ଷ, ପାରା -ଫେନିସିଂ ପାଇଁ ରମେଶ ରାଓ ୨ ଲକ୍ଷ, ରାଖାଲ ସେଠୀଙ୍କୁ ୨ ଲକ୍ଷ ଓ ମାଳତୀ ପନଓ୍ବାରୀଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ଧାବିକା ଶ୍ରାବଣୀ ନନ୍ଦ ଓ ଦୂତୀ ଚାନ୍ଦଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ମାଓଣ୍ଟେନିୟର ସିଦ୍ଧାର୍ଥ ରାଉତରାୟଙ୍କୁ ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସିଦ୍ଧାର୍ଥ ଅନୁପସ୍ଥିତ ଥିବାରୁ ବାପା ବିଧାୟକ ସୁରେଶ ରାଉତରାୟ ଓ ତାଙ୍କ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କା ଓ ଅମିତ ରୋହିଦାସଙ୍କୁ ୭୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିବାବେଳେ କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚ ଭାବେ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯାଇ ଥିବାବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ଦିଆଯାଇଛି । ତେବେ ପାଞ୍ଚ ବର୍ଷ ପରେ ଜଣେ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି । ୨୦୧୭ ରୁ ୨୦୨୧ ପର୍ୟ୍ୟନ୍ତ କୌଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ନ ଥିଲା ।

ଏହାପୂର୍ବରୁ ୧୯ ଜଣ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇସାରିଛନ୍ତି । ଆଜି କ୍ରୀଡା ଦିବସ ପାଳିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିଛନ୍ତି । ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଥିଲେ ।

Leave A Reply

Your email address will not be published.