ପ୍ରେମ ପାଇଁ ରାଜଧାନୀରେ ଗଡୁଛି ମୁଣ୍ଡ, ୫ବର୍ଷରେ ଯାଇଛି ୩୫ ଜୀବନ

ଭୁବନେଶ୍ୱର: ପ୍ରେମ ସତ୍ୟ, ଶାସ୍ୱତ ଓ ଚିରନ୍ତନ। ହେଲେ ଏବେ ଏହି ପ୍ରେମର ଭାଷା ଯୁବପିଢ଼ିଙ୍କ ପାଇଁ ବଦଳି ଯାଇଛି। ମୋର ହେଲୁନି ତ, ଆଉ କାହାର ହେଲୁନି ନୀତି ଆପଣାଉଛନ୍ତି ସେମାନେ। କେଉଁଠି ପ୍ରେମିକ ହତାଶ ହୋଇ ପ୍ରେମିକାର ଜୀବନ ନେଉଛି ତ, ଆଉ କେଉଁଠି କିଏ ପ୍ରେମ ପାଇଁ ଟ୍ରେନ୍‍ ଲାଇନ୍‍ ଆଗକୁ ଡେଉଁ ଆତ୍ମହତ୍ୟା କରୁଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ମାନସିକତା ପାଇଁ ଅନେକ ଘର ଉଜୁଡ଼ି ଯାଉଛି। କିଏ ରୋଜଗାରିଆ ପୁଅକୁ ହରାଉଛି ତ ଆଉ କିଏ ଉଚ୍ଚଶିକ୍ଷିତ ଝିଅକୁ ହରାଉଛି। ପ୍ରେମ ପାଇଁ ଏବେ ରାଜଧାନୀରେ ହତ୍ୟା, ଆତ୍ମହତ୍ୟା ଭଲି ସଙ୍ଗିନ ଅପରାଧ ଗତ କିଛି ବର୍ଷ ହେବ ଦେଖିବାକୁ ମିଳୁଛି। ଗତ ୫ ବର୍ଷରେ ରାଜଧାନୀରେ ପ୍ରେମ ପାଇଁ ୩୫ ଜଣଙ୍କ ମୁଣ୍ଡ ଗଡ଼ିଛି।

ପାହାଡ଼ ଉପରେ ପୋଡ଼ି ମାରିଦେଲେ

ଗତ ବୁଧବାର ରାତିରେ ଶିଖରଚଣ୍ଡୀ ପାହାଡ଼ ଉପରେ ଅବିନାଶ ପ୍ରଧାନ ନାମକ ଯୁବକଙ୍କୁ ହତ୍ୟା କରି ପୋଡ଼ି ଦେଲେ। ଏହି ହତ୍ୟା ପଛରେ ପ୍ରେମ ଆଙ୍ଗେଲ ରହିଛି। କାରଣ ଅବିନାଶଙ୍କ ଘର ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମରେ। ସେ ନିଜ ଗ୍ରାମର ଜଣେ ଝିଅକୁ ଭଲ ପାଉଥିଲେ। କିନ୍ତୁ ଝିଅର ପରିବାର ଲୋକେ ଜାଣିବା ପରେ ତାଙ୍କୁ ଧମକ ଚମକ ଦେବା ସହ ନ ମିଶିବା ପାଇଁ କହିଥିଲେ। କିନ୍ତୁ ଅବିନାଶ ଯୁବତୀଙ୍କୁ ସବୁଦିନେ ଶିଖରଚଣ୍ଡୀ ପାହାଡ଼ ଉପରେ ଦେଖା କରୁଥିଲେ। ଯେଉଁଥି ପାଇଁ ପ୍ରେମିକାର ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅବିନାଶଙ୍କ ବାପା।

ପ୍ରେମ ପାଇଁ ଝରିଗଲେ ଝରାଫୁଲ

ରମାଦେବୀ ଛାତ୍ରୀ ଝରାଫୁଲ ପ୍ରେମ ପାଇଁ ଝଡ଼ିଗଲେ। ଟଙ୍କା ପାଇଁ ଅଭିଯୁକ୍ତ ତଥା ପ୍ରେମିକ ରାକେଶ ସ୍ୱାଇଁ ପ୍ରେମିକା ଝରାଫୁଲକୁ ହତ୍ୟା କରିଥିଲେ। ୨୦୨୧ ଏପ୍ରିଲ ମାସରେ ଝରାଫୁଲଙ୍କୁ ଖଣ୍ଡଗିରିସ୍ଥିତ ଏକ ଗେଷ୍ଟ ହାଉସ୍‍ରେ ହତ୍ୟା କରି ଯାଜପୁରରେ ମୃତଦେହ ଫିଙ୍ଗିଥିଲା ରାକେଶ ଏବଂ ତାର ସହଯୋଗୀ ଅମରେଶ ରାଉତ। ଝରାଫୁଲ ଘର ଲୋକଙ୍କୁ ନ ଜଣାଇ ପ୍ରେମିକ ରାକେଶକୁ ୮୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ମାଗିବାରୁ ସେ ହତ୍ୟା ଯୋଜନା କରିଥିଲା।

ପ୍ରିୟଙ୍କାଙ୍କୁ ହତ୍ୟା କଲା ପ୍ରେମିକ

ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀରେ ପ୍ରେମିକ ଜଗନ୍ନାଥ ପ୍ରେମିକା ପ୍ରିୟଙ୍କାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏପରିକି ଜଗନ୍ନାଥ ଗାଁରେ ଦହିବରା ବିକ୍ରି କରିବା ସମୟରୁ ପ୍ରିୟଙ୍କାକୁ ଭଲ ପାଇଥିଲେ। ହେଲେ ପ୍ରିୟଙ୍କା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। କିନ୍ତୁ ଏହାକୁ ସହ୍ୟ କରି ପାରିନଥିଲେ ଜଗନ୍ନାଥ। ସେ ପ୍ରିୟଙ୍କାଙ୍କୁ ସାଥିରେ ଯିବାକୁ କହିଥିଲେ ମଧ୍ୟ ସେ ଯାଇନଥିଲେ। ଯେଉଁଥି ପାଇଁ ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନ ଥିବା ସମୟରେ ପଶି ତାଙ୍କୁ ହତ୍ୟା କରିଥିଲା ଜଗନ୍ନାଥ।

ପ୍ରେମିକାର ଶବକୁ ଦେଇଥିଲେ ଠିକଣା

ଗତ ଜାନୁୟାରୀ ମାସ ୧୦ ତାରିଖରେ ପ୍ରେମ ବ୍ୟାପାରକୁ ନେଇ ପ୍ରେମିକା ସୁରେଖା ପଲେଇଙ୍କ ଶବକୁ ପ୍ରେମିକା ଲୁଚାଇଥିଲେ। ସୁରେଖା ପ୍ରେମିକ ବିଶ୍ୱଜିତ୍‍ ଜେନାକୁ ଭଲ ପାଉଥିଲେ। ଯୁବତୀ ଠାରୁ ବିଶ୍ୱଜିତ୍‍ ସାନ ହୋଇଥିବାରୁ ସେ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥି ପାଇଁ ସୁରେଖା ଆତ୍ମହତ୍ୟା କରିଥିଲେ। ପରେ ଅଭିଯୁକ୍ତ ପ୍ରେମିକ ମୃତଦେହକୁ ସୁରେଖା ରହୁଥିବା ଘରେ ଫିଙ୍ଗି ପଳାଇଥିଲେ।

ପ୍ରେମିକା ପାଇଁ ଆତ୍ମହତ୍ୟା କରିଥିଲେ ସୌମ୍ୟ

ପ୍ରେମିକା ସୋନାଲି ନନ୍ଦଙ୍କ ପାଇଁ ସୌମ୍ୟ ଆତ୍ମହତ୍ୟା କରିଥିଲେ। ସୌମ୍ୟଙ୍କୁ ପ୍ରେମିକା ଛାଡ଼ି ଅନ୍ୟ ଜଣଙ୍କୁ ଭଲ ପାଉଥିଲେ। ଏହାକୁ ସୌମ୍ୟ ବରଦାସ୍ତ କରିପାରୁନଥିଲେ। ସେ ଯୁବତୀଙ୍କୁ ଆକୁଳ ନିବେଦନ କରୁଥିଲେ ମଧ୍ୟ ସେ ଶୁଣିନଥିଲେ। ଯେଉଁଥି ପାଇଁ ସୌମ୍ୟ ଆତ୍ମହତ୍ୟା କରିଥିଲେ।

ଖଣ୍ଡଗିରି ଅଞ୍ଚଳରେ ସର୍ବାଧିକ ପ୍ରେମଜନିତ ଆତ୍ମହତ୍ୟା

୨୦୨୧ରେ ରାଜଧାନୀରେ ୨୭୭ଜଣ ଆତ୍ମହତ୍ୟା କରିଥିଲେ। ଏଥିରୁ ୧୯୦ ଜଣ ପୁରୁଷ ଥିବା ବେଳେ ୮୭ ଜଣ ମହିଳା ଅଛନ୍ତି। କିନ୍ତୁ ପ୍ରେମ ପାଇଁ ୮୦ ଜଣ ଆତ୍ମହତ୍ୟା କରିଥିଲେ। ୨୦୨୨ରେ ବର୍ତ୍ତମାନ ସୁଦ୍ଧା ୪୦ଜଣ ଆତ୍ମହତ୍ୟା କରିଥିବା ବେଳେ ପ୍ରେମ ପାଇଁ ୧୬ଜଣ କରିଛନ୍ତି। ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ଆତ୍ମହତ୍ୟା କରିଛନ୍ତି।

Leave a comment