ଯମୁନା ପରେ ଗଙ୍ଗାରେ କୁଢ଼ କୁଢ଼ ଶବ

ବକ୍ସର : କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ମଶାଣୀ ଏବଂ କବରସ୍ଥାନରେ ସ୍ଥାନାଭାବ ଦେଖାଦେଇଛି। ଏଥିଯୋଗୁଁ ଲୋକେ ଅନ୍ତିମ ସଂସ୍କାର ନକରି ଶବକୁ ନଦୀରେ ଭସାଇ ଦେଉଛନ୍ତି। ଯମୁନା ନଦୀ ପରେ ଏବେ ଗଙ୍ଗା ନଦୀରେ କୁଢକୁଢ ଶବ ଭାସୁଥିବା ଦେଖିବାକୁ ମିଳିଛି। ଏହାର ସବୁଠାରୁ ଭୟାବହ ଚିତ୍ର ବିହାରର ବକ୍ସରରୁ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ(ୟୁପି) ସୀମାକୁ ଲାଗି ରହିଥିବା ଏହି ଜିଲ୍ଲାରେ ସୋମବାର ୪୦ଟି ଶବ ଗଙ୍ଗା ନଦୀ କୂଳରେ ଭାସୁଥିବା ଦେଖିବାକୁ ମିଳିଛି। ବକ୍ସର କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନ କୁମାର ଚୌବେଙ୍କ ସଂସଦୀୟ କ୍ଷେତ୍ର। ତେବେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏହି ଶବ ଗୁଡିକ ଉତ୍ତରପ୍ରଦେଶର ଆହ୍ଲାବାଦ ଏବଂ ବାରାଣସୀରୁ ଭାସିଆସିଛି। ବିହାର-ଉତ୍ତରପ୍ରଦେଶ ସୀମାନ୍ତ ଚୌସା ସହରର ଲୋକମାନେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶବ ଗୁଡ଼ିକ ଅଧା ପୋଡିଯାଇଥିବା ଦେଖିବାକୁ ମିଳିଛି।
ସୋମବାର ସକାଳେ ନଦୀରେ ଶବ ଭାସି କୂଳରେ ଲାଗିଥିବା ଦେଖି ଲୋକେ ପ୍ରଶାସନକୁ ଖବର ଦେଇଥିଲେ। ଚୌସା ଜିଲ୍ଲା ଅଧିକାରୀ କହିଛନ୍ତି ଯେ ୪୦ରୁ ୪୫ଟି ଶବ ଭାସୁଥିବା ଦେଖିବାକୁ ମିଳିଛି। ଚୌସାର ମହାଦେବ ଘାଟ ନିକଟରୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଲକେ ଶବ ଦାହ ନକରି ନଦୀରେ ଫିଙ୍ଗି ଦେଉଥିବାରୁ କିଛି ଗଙ୍ଗାରେ ଭାସି ଆସି ଏଠାରେ ପହଞ୍ଚିଛି। ନଦୀ ସାରା ପ୍ରାୟ ଶହେ ଶବ ଭାସୁଥିବା ଆଶଙ୍କା କରାଯାଉଛି। ଏଗୁଡିକ ୫ରୁ ୭ ଦିନ ତଳର ଭଳି ମନେ ହେଉଛି। ଶବ ଗୁଡ଼ିକ ଉତ୍ତର ପ୍ରଦେଶର କେଉଁ ସହରରୁ ଆସିଛି, ତାହାର ତଦନ୍ତ କରାଯାଉଛି।