ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତିନି ଜିଲ୍ଲାରେ ପ୍ରତିଷ୍ଠା ହେବ ନିଶା ନିବାରଣ କେନ୍ଦ୍ର, ମାଗଣାରେ ମିଳିବ ସେବା

ଭୁବନେଶ୍ୱର : ରାଜ୍ୟରେ ନିଶା ଅନେକ ପରିବାର ଉଜାଡ଼ି ଦେଉଛି। ନିଶା କବଳରେ ଅନେକ ପ୍ରାଣ ଚାଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଆଉ ତିନିଟି ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ମାଲକାନଗିରି, ଗଜପତି ଓ ବଲାଙ୍ଗିର ଜିଲ୍ଲାରେ ଗୋଟିଏ ଲେଖାଏଁ ଜିଲ୍ଲା ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ହେବ। ନିଶା ମୁକ୍ତ ଭାରତ ଅଭିଯାନରେ ସାମିଲ ଜିଲ୍ଲାରେ କେନ୍ଦ୍ର ଖୋଲା ଯାଉଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବେସରକାରୀ ଅନୁଷ୍ଠାନ ଦ୍ୱାରା ଜିଲ୍ଲା ନିଶା ନିବାରଣ କେନ୍ଦ୍ର ପରିଚାଳିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ପ୍ରତିଷ୍ଠା ପାଇଁ ବିନା ମୂଲ୍ୟରେ ଘର ଯୋଗାଇ ଦିଆଯିବ।

ରାଜ୍ୟରେ ଏବେ ସରକାରୀ ଅନୁଦାନରେ ୪୧ଟି ନିଶା ନିବାରଣ କେନ୍ଦ୍ର ପରିଚାଳିତ ହେଉଛି। ସେଠାରେ ଲୋକଙ୍କୁ ମାଗଣାରେ ସେବା ପ୍ରଦାନ କରାଯାଉଛି ଏବଂ କେନ୍ଦ୍ର ସରକାର ଏହାର ଖର୍ଚ୍ଚ ଭରଣା କରୁଛନ୍ତି। ତେବେ ଘରୋଇ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ସେପରି ଠୋସ୍‌‌ ମାର୍ଗଦର୍ଶୀକା ନାହିଁ। କେବଳ ସୋସାଇଟି ରେଜିଷ୍ଟ୍ରେସନ୍‌‌ ଜରିଆରେ ପଞ୍ଜକୀଣ କରାଯାଉଛି ଏବଂ ସେଥିରେ ନିଶା ନିବାରଣ କେନ୍ଦ୍ର ଚଳାଇବା ପାଇଁ ଗୋଟିଏ ଧାଡ଼ିରେ ଉଲ୍ଲେଖ ରହିଛି। ଏଥିସହ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଏଥିପାଇଁ ଅନମତି ଦେଇଥାନ୍ତି। କେନ୍ଦ୍ର ପ୍ରତିଷ୍ଠା କରିବା, ଅନ୍ତେବାସୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ମାନସିକ ଚିକିତ୍ସା ପାଇଁ କିଛି ନିୟମ ନାହିଁ। ସେହିପରି ଘରୋଇ ନିଶା ନିବାରଣ କେନ୍ଦ୍ରକୁ କେଉଁ ବିଭାଗ ନିୟନ୍ତ୍ରଣ କରିବ ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଜାତୀୟ ପରିବାର ସ୍ୱାସ୍ଥ୍ୟ କଲ୍ୟାଣ ରିପୋର୍ଟ ଅନୁସାରେ ନିଶା ଦ୍ରବ୍ୟ ସେବନରେ ରାଜ୍ୟର ୬% ଶିଶୁ ଅଭ୍ୟସ୍ତ। ଜାତୀୟ ସ୍ତରରେ ଏହି ହାର ୮% ରହିଛି। ଓଡ଼ିଶାରେ ୧୩-୧୫ ବର୍ଷ ମଧ୍ୟରେ ତମାଖୁ ସେବନକାରୀ ପିଲାଙ୍କ ମଧ୍ୟରୁ ୭ ପ୍ରତିଶତ ପୁଅ ପିଲା ଥିବା ବେଳେ ଝିଅ ପିଲାଙ୍କ ସଂଖ୍ୟା ହେଉଛି ୫.୫ ପ୍ରତିଶତ। ଅପରପକ୍ଷେ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ନିଶା ସେବନରେ ଅଭ୍ୟସ୍ତ ଲୋକଙ୍କ ସଂଖ୍ୟା କିଛି କମ୍‌‌ ନାହିଁ। ଏହି ପରିପ୍ରେକ୍ଷୀରେ ନିଶା ନିବାରଣ କେନ୍ଦ୍ରର ଯଥେଷ୍ଟ ଗୁରୁତ୍ୱ ରହିଛି।

ସରକାରୀ ନିଶା ନିବାରଣ କେନ୍ଦ୍ର ଗୁଡିକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ହେଲେ ଘରୋଇ ନିଶା ନିବାରଣ କେନ୍ଦ୍ର ତଦାରଖ କରିବା ପାଇଁ କେହି ନାହାନ୍ତି କହିଲେ ଅତ୍ୟୁ୍‌‌କ୍ତି ହେବ ନାହିଁ। ଥିଲା ବାଲା ଲୋକେ ନିଶା ସେବନରୁ ରକ୍ଷା ପାଇବା ପାଇଁ ଅନ୍ୟ ରାଜ୍ୟରେ ଥିବା ନିଶା ନିବାରଣ କେନ୍ଦ୍ରକୁ ଚାଲି ଯାଉଛନ୍ତି। ଏଥିପାଇଁ ମାସିକ ୨୦ରୁ ୩୦ ହଜାର ଟଙ୍କା ଦେବାକୁ ହେଉଛି। ତେବେ ସମସ୍ତେ ବାହାରକୁ ଯାଇ ପାରିବେ ନାହିଁ। ତେଣୁ ନିକଟସ୍ଥ ଅଞ୍ଚଳରେ ଥିବା ଘରୋଇ ନିଶା ନିବାରଣ କେନ୍ଦ୍ର ଉପରେ ସେମାନେ ନିର୍ଭର କରୁଛନ୍ତି। ଏଥିପାଇଁ ମାସିକ ୭ ହଜାରରୁ ୧୫ ହଜାର ଟଙ୍କା ଦେବାକୁ ହେଉଛି।

ତେବେ ବେଆଇନ୍‌‌ କେନ୍ଦ୍ର ଲୋକ ଲୋଚନକୁ ନ ଆସିବା ପଛରେ ଆଉ ଏକ ବଡ଼ କାରଣ ହେଉଛି ସାମାଜିକ ନିନ୍ଦା। ନିଶା ନିବାରଣ କେନ୍ଦ୍ର ସମ୍ପର୍କରେ ଅଭିଯୋଗ କଲେ ସେମାନଙ୍କ ପିଲା ଅପନିନ୍ଦା ସହିବା ସମ୍ଭାବନା ଅଛି। ତେଣୁ ଅନେକ ଲୋକ ଚୁପ୍‌‌ ରହିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ସରକାରଙ୍କର ମେଣ୍ଟାଲ ହେଲଥ୍‌‌ ଆକ୍ଟରେ ନିଶା ନିବାରଣ କେନ୍ଦ୍ର ପରିଚାଳନା ପାଇଁ ପ୍ରାବଧାନ ରହିଛି। ତେବେ ଓଡ଼ିଶାରେ ତାହା ଏପର୍ଯ୍ୟନ୍ତ ଲାଗୁ ହୋଇ ପାରି ନାହିଁ। ସରକାରୀ ନିଶା ନିବାରଣ କେନ୍ଦ୍ର ପରିଚାଳନା ଏବଂ ନିଶା ନିବାରଣ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ପରିଚାଳନା, ଗବେଷଣା ଆଦି ପାଇଁ କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଆକ୍ସନ୍‌‌ ପ୍ଲାନ୍‌‌ ଫର୍‌‌ ଡ୍ରଗ୍‌‌ ଡିମାଣ୍ଡ ରିଡକ୍ସନ୍‌‌ (ଏନ୍‌‌ଏପିଡିଡିଆର) ଉଦ୍ଦିଷ୍ଟ। ତେଣୁ ଏହି ପ୍ରକ୍ରିୟା ଏବେ ସମ୍ପର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ। ତେବେ ରାଜ୍ୟ ସରକାର ଏଥିପାଇଁ ନିଦ୍ଦିଷ୍ଟ ମାର୍ଗଦର୍ଶୀକା ଆଣି ପାରିବେ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.