ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସ୍ତିରୁ ସିଏମସି ଡେପୁଟି ମେୟର, ରେଭେନ୍ସାର ମେଧାବୀ ଛାତ୍ରୀ ଦମୟନ୍ତି ମାଝୀଙ୍କ ସଂଘର୍ଷମୟ ଯାତ୍ରା

କଟକ : କଟକ ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡର କର୍ପୋରେଟ ଦମୟନ୍ତୀ ମାଝୀଙ୍କୁ ନିଜର ଡେପୁଟି ମେୟର ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ। ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ। ସିଏମସିର ସର୍ବକନିଷ୍ଠ କର୍ପୋରେଟର ଭାବେ ନିର୍ବାଚନ ଜିତିଥିବା ରେଭେନ୍ସାର ମେଧାବୀ ଛାତ୍ରୀ ଦମୟନ୍ତି ଏବେ କଟକ ମହାନଗର ନିଗମର ସର୍ବକନିଷ୍ଠ ଡେପୁଟି ମେୟର ହୋଇଛନ୍ତି।

ଆଜି କଟକ ମହାନଗର ନିଗମ ନବନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ସହିଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଶପଥ ଗ୍ରହଣ ପରେ ଅନୁଷ୍ଠିତ ହୋଇଥିଲା ଡେପୁଟି ମେୟର ନିର୍ବାଚନ। ବିଜୁ ଜନତା ଦଳ ପକ୍ଷରୁ ସିଏମସି ୪୯ ନମ୍ବର ୱାର୍ଡ କର୍ପୋରେଟର ଦମୟନ୍ତି ମାଝୀଙ୍କୁ ପାର୍ଥୀ କରାଯାଇଥିଲା। ବସ୍ତିରୁ ସିଏମସି କର୍ପୋରେଟର ହୋଇଥିବା ରେଭେନ୍ସାର ମେଧାବୀ ଛାତ୍ରୀ, ଉଚ୍ଚ ଶିକ୍ଷତା ଆଦିବାସୀ ସାମ୍ପ୍ରଦୟର ଝିଅ ଦମୟନ୍ତି ମାଝୀଙ୍କ ନାଁରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ନାମରେ ମୋହର ମାରିଥିବା ନେଇ ସହିଦ ଭବନରେ ନାମ ଘୋଷଣା କରିଥିଲେ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ। ଏହାପରେ ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ।

ଜଗତପୁର ବାଲିସାହି ବସ୍ତିରେ ରହୁଥିବା ଏହି ଆଦିବାସୀ ଯୁବତୀ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏମ.କମ ଶେଷ ବର୍ଷର ଛାତ୍ରୀ ହୋଇଥିବା ବେଳେ ଦମୟନ୍ତୀ  ସିଏମସିର ସର୍ବକନିଷ୍ଠ କର୍ପୋରେଟର ଭାବେ ନିର୍ବାଚନ ଜିତିଥିଲେ। ଦମୟନ୍ତି ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି।ସେ ଜଣେ ମେଧାବୀ ଛାତ୍ରୀ। ଦମୟନ୍ତୀ ପିଲାଟି ଦିନରୁ ନିଜ ପରିବାର ସହ ମହାନଦୀ ତଟରେ ଥିବା ଜଗତପୁର ଶିଳ୍ପାଞ୍ଚଳରେ ଥିବା ବାଲିସାହି ବସ୍ତିରେ ରହି ଆସୁଛନ୍ତି। ବାପା ଚାଲିଯିବା ପରେ ବିଧବା ମା’ ଦିନ ମଜୁରି ଲାଗି ଯେତିକି ରୋଜଗାର କରନ୍ତି ସେତିକିରେ ଘରର ଗୁଜୁରାଣ ମେଣ୍ଟିବା ସହ ତିନି ଭାଇ ଭଉଣୀଙ୍କ ପେଟ ପୋଷା ହୁଏ। ଘର କହିଲେ ମୁଣ୍ଡ ଉପରେ କେଇ ଖଣ୍ଡ ଭଙ୍ଗା ଆଜବେଷ୍ଟ ଛଡ଼ା ଆଉ କିଛି ନୁହେଁ। ପଙ୍କରୁ ପଦ୍ମଫୁଟିବା ପରି ନିଜର ଇଚ୍ଛା ଶକ୍ତି ଯୋଗୁଁ ଶିକ୍ଷା ଗ୍ରହଣର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଦମୟନ୍ତୀ ଏବେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏମ.କମ ଅଧ୍ୟୟନକୁ ଶେଷ କରିବାକୁ ଯାଉଛନ୍ତି।

ଯେତେବେଳେ ସିଏମସିର ଡେପୁଟି ମେୟର ରେସରେ ଥିବା କର୍ପୋରେଟରଙ୍କ ମଧ୍ୟରେ ଦମୟନ୍ତୀଙ୍କ ନାଁ ଆସିଥିଲା ସେତେବେଳେ ବାଲିସାହି ବସ୍ତିରେ ରହୁଥିବା ୨୧ ବର୍ଷିୟା ଏହି ଯୁବତୀଙ୍କୁ ନେଇ  କଟକ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଟିଥିଲା। ତେବେ ୪୯ ନମ୍ବର ୱାର୍ଡକୁ ପ୍ରତିନିଧିତ୍ବ କରୁଥିବା ଦମୟନ୍ତୀ ସହରର ବସ୍ତିବାସିନ୍ଦାଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ଦମୟନ୍ତୀ ମଧ୍ୟ ଡେପୁଟି ମେୟର ହେବାପରେ କଟକ ସହରର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି। ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଜନସେବା କରିବା ପାଇଁ ରାଜନୀତିକୁ ଆସିଛି। ମୋର କାର୍ଯ୍ୟକାଳ ଭିତରେ ମୁଁ କଟକ ବାସିନ୍ଦାଙ୍କ ଯେତେ ଅଧିକରୁ ଅଧିକ ଉନ୍ନତି ହୋଇ ପାରିବ ସେଥିପାଇଁ ନିରନ୍ତର ଚେଷ୍ଟା କରିବି ବୋଲି କହିଛନ୍ତି ଦମୟନ୍ତୀ ମାଝୀ।

ଅନ୍ୟପଟେ  ଡେପୁଟି ମେୟର ନିର୍ବାଚିତ ହେବା ଦମୟନ୍ତୀ ଏବେ ନୂଆ ପରିଚୟ ପାଇଛନ୍ତି। କିଛି ଦିନ ପୂର୍ବରୁ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ସେ ନିଜ ଅଞ୍ଚଳରେ ପରିଚିତ ଥିଲେ। କିନ୍ତୁ ସେ ପାଲଟି ଯାଇଛନ୍ତି ସିଏମସିର ୪୯ ୱାର୍ଡର ନିର୍ବାଚିତ କର୍ପୋରେଟର ଆଉ ଏବେ କଟକ ମହାନଗର ନିଗମର ଡେପୁଟି ମେୟର । ଜଣେ ମେଧାବୀ ଛାତ୍ରୀ ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଖ୍ୟାତି ଲାଭ କରିଥିବା ଦମୟନ୍ତୀଙ୍କ ଏହି ସଫଳାତାକୁ ନେଇ ସହପାଠୀମାନଙ୍କ ଠାରୁ ନେଇ ଅଧ୍ୟାପକ ଅଧ୍ୟାପିକାମାନେ ବେଶ ଖୁସି ପ୍ରକାଶ କରିଛନ୍ତି। କାରଣ ପ୍ରଥମ ଥର ଲାଗି ରେଭେନ୍ସା ବିଶ୍ବବିଦ୍ୟାଳୟର କୌଣସି ଛାତ୍ରୀ ଅଧ୍ୟୟନ ସମୟରେ ଜନ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି।

ଦମୟନ୍ତୀଙ୍କ ଏହି ସଫଳତାକୁ ନେଇ ତାଙ୍କ ୱାର୍ଡବାସୀ ବିଶେଷ କରି ତାଙ୍କ ବସ୍ତି ବାସିନ୍ଦାଙ୍କ ଖୁସି କହିଲେ ନ ସରେ। କାରଣ ଅଶିକ୍ଷାର ଅନ୍ଧାରୀ ମୁଳକରେ ରହୁଥିବା ଜଗତପୁର ବାଲିସାହି ବସ୍ତି ବାସିନ୍ଦାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦମୟନ୍ତୀ। ଦମୟନ୍ତୀ ସେମାନଙ୍କୁ ଦାରିଦ୍ରର କଷଣରୁ ବାହାର କରି ସେମାନଙ୍କୁ ଶିକ୍ଷା, ବିଜୁଳି, ପାନିୟ ଜଳ, ପକ୍କାଘର ଭଳି ଯୋଜନାର ଲାଭ ପ୍ରଦାନ କରିବେ ବୋଲି ଆଶା ବାନ୍ଧିଛନ୍ତି ବାଲିସାହି ବସ୍ତିରେ ରହୁଥିବା ଲୋକେ।

Leave A Reply

Your email address will not be published.