ସବୁ ଜିଲ୍ଲା ଓ ଉପଖଣ୍ଡରେ ପ୍ରଦର୍ଶିତ ହେବ ‘ଦମନ’, ଶୋ’ ପ୍ରତି ୪୦ ହଜାର ଦେବେ ସରକାର

ଭୁବନେଶ୍ୱର : ମ୍ୟାଲେରିଆ ନିରାକରଣରେ ରାଜ୍ୟ ସରକାରଙ୍କ ସଫଳତାକୁ ଆଧାରିତ କରି ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନକୁ ପୂର୍ବରୁ ଟିକସ ଫ୍ରି କରାଯାଇଥିବା ବେଳେ ସରକାରୀ ଅଧିକାରୀଙ୍କ ଦେଖିବା ପାଇଁ ସ୍ୱତନ୍ତ୍ର ଶୋ’ର ଆୟୋଜନ କରିଥିଲେ ସରକାର। ଆଗକୁ ସବୁ ଜିଲ୍ଲା ଓ ସବୁ ଉପଖଣ୍ଡସ୍ତରୀୟ କର୍ମଚାରୀ ଦମନ ଚଳଚ୍ଚିତ୍ର ଦେଖିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ସବୁ ପ୍ରତ୍ୟେକ ଶୋ ପ୍ରତି ୪୦ ହଜାର ଟଙ୍କା ଦିଆଯିବ। ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ ହଲ୍‍ ବୁକ୍‍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନସ୍ତରରୁ ଆସିଥିବା ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମାକୁ ଜିଲ୍ଲା ତଥା ଉପ ଜିଲ୍ଲାସ୍ତରରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଛି। ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍‍ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ଏହି ଚଳଚ୍ଚିତ୍ରଟି ମ୍ୟାଲେରିଆ ପ୍ରବଣ ଜିଲ୍ଲା ମାଲକାନଗିରିରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନାର ସଫଳତାର କାହାଣୀ। ଏହି ଚଳଚ୍ଚିତ୍ର ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ସରକାରୀ ତଥା ଜନସାଧାରଣଙ୍କ ଉଦ୍ୟମ ଏବଂ ଅବଦାନ ଉପରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ଏଥିପାଇଁ ଉପଯୁକ୍ତ ସିନେମା ଥିଏଟର ହଲ୍‍ ବୁକ୍‍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮ହଜାର ମ୍ୟାଲେରିଆପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା। କ୍ଷେତ୍ରସ୍ତରରେ କାର୍ଯ୍ୟରତ ଡାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକରଣ ଦିଗରେ ଉଲ୍ଲେଖନୀୟ ସଫଳତା ମିଳିଥିଲା।

ଏହି ଯୋଜନା କାର୍ଯ୍ୟକାରୀ କରି ଲୋକଙ୍କୁ ସଚେତନ କରିବା ସହଜ ନଥିଲା। ପାହାଡ, ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଦୂରାନ୍ତ ଗ୍ରାମମାନଙ୍କରେ ପ୍ରଚଳିତ ଅନ୍ଧବିଶ୍ୱାସ, ଅସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା, ଯୋଗାଯୋଗର ଅଭାବ ଆଦି ଏ ଦିଗରେ ବଡ଼ ବଡ଼ ପ୍ରତିବନ୍ଧକ ସାଜିଥିଲା। ଏସବୁକୁ ଅତିକ୍ରମ କରି ‘ଦମନ’ର ସଠିକ୍‍ କାର୍ଯ୍ୟକାରୀ ନିମନ୍ତେ ନିଷ୍ଠାପର ଡ଼ାକ୍ତର ଏବଂ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ଅନେକ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା। ଏହି ବାସ୍ତବିକ କଥାକୁ ଲକ୍ଷ୍ୟକରି ଚଳଚିତ୍ର ଲେଖକ ଦେବୀ ପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ। ସିନେମାର ପ୍ରାକୃତିକ ପ୍ରଚ୍ଛଦପଟ୍ଟ ଏବଂ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ ଛୁଇଁଥିଲା।

Leave a comment