ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ଉପକୂଳ ଛୁଇଁବା ବେଳେ ଗଭୀର ଅବପାତର ରୂପ ନେବ ‘ଜୱାଦ’

ଭୁବନେଶ୍ୱର: ପୁରୀକୁ ନାହିଁ ବାତ୍ୟା ବିପଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜୱାଦ’ । ଗଭୀର ଅବପାତ ରୂପରେ ଆସନ୍ତାକାଲି ମଧ୍ୟାହ୍ନରେ ‘ଜୱାଦ’ ପୁରୀ ଉପକୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସାମୁଦ୍ରିକ ଝଡ଼ ‘ଜୱାଦ’ ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତରଦିଗକୁ ଆଂଶିକ ଭାବରେ ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟ୍ଟଣମ୍ ଠାରୁ ଦକ୍ଷିଣପୂର୍ବ ଦିଗରେ ୨୩୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣରେ ୩୪୦ କିଲୋମିଟର, ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୧୦ କିଲୋମିଟର ଓ ପାରାଦୀପ ଠାରୁ ସମାନ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ ‘ଜୱାଦ’ ।

ଏହା କ୍ରମଶଃ ଦୁର୍ବଳ ହେବ ଏବଂ ଉତ୍ତର ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ପୁରୀ ପହଞ୍ଚିବ । ୫ ତାରିଖ ମଧ୍ୟାହ୍ନରେ ‘ଜୱାଦ’ ପୁରୀ ପହଞ୍ଚିବା ବେଳକୁ ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । କ୍ରମଶଃ ଏହା ଦୁର୍ବଳ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ବାତ୍ୟା ପାଇଁ ଆଜି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ୨୦ ସେଣ୍ଟିମଟରରୁ ଅଧିକ ବର୍ଷା ହେବ । ସେହିଭଳି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବର୍ଷା ନେଇ ରହିଛି ୟେଲୋ ୱାର୍ଣ୍ଣିଂ ।

ସେହିଭଳି ୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ପାଇଁ ୪ ତାରିଖ ଅପରାହ୍ଣ ଯାଏଁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ରହିବ । କ୍ରମଶଃ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ଓ ଝଟକା ପବନର ଘଣ୍ଟପ୍ରତି ବେଗ ୮୫ କିଲୋମିଟରକୁ ବୃଦ୍ଧି ପାଇବ । ସମୁଦ୍ର ଅଶାନ୍ତ ରହିବ, ଉଚ୍ଚ ଜୁଆର ଆସିବ । ମତ୍ସ୍ୟଜୀବୀଙ୍କୁ ୫ ତାରିଖ ଯାଏଁ ସମୁଦ୍ର ବାରଣ କରାଯାଇଛି । ଆଜି ଅମାବାସ୍ୟା ଥିବାରୁ ସମୁଦ୍ରରେ ୨ରୁ ୪ ମିଟର ଯାଏଁ ଇଚ୍ଚ ଜୁଆର ଆସିବା ଆଶଙ୍କା କରାଯାଉଛି । ଗୋପାଳପୁର ବନ୍ଦର ଓ ପୁରୀ ଉପକୂଳ ପାଇଁ ୭ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଧାମରା ଓ ପାରାଦୀପ ବନ୍ଦରରେ ସ୍ଥାନୀୟ ସତର୍କ ନମ୍ବର ୪ ଦିଆଯାଇଛି । ବାତ୍ୟା ପାଇଁ ଆଜି ୧୯ ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି ।

Leave A Reply

Your email address will not be published.