ଆଜି ବାତ୍ୟାରେ ପରିଣତ ହେବ ଅବପାତ,ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ

ଭୁବନେଶ୍ବର :  ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତର ରୂପ ନେଇସାରିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ର ହୋଇ ସାମୁଦ୍ରୀକ ଝଡ଼ ଅର୍ଥାତ ବାତ୍ୟାର ରୂପ ନେବ। ବାତ୍ୟାର ରୂପ ନେବା ପରେ ଆସନ୍ତାକାଲି ସକାଳୁ ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ହେଲେ, କେଉଁଠି ଛୁଇଁବ ସ୍ଥଳଭାଗ ଏଯାଏ ସ୍ପଷ୍ଟ ହୋଇନି।ଏହା ବର୍ତ୍ତମାନ ବିଶାଖାପାଟଣା ଠାରୁ ୫୮୦ କିମି ଦୂରରେ, ଗୋପାଳପୁରଠାରୁ ୬୭୦ ଓ ପାରାଦୀପ ଠାରୁ ୭୬୦ କିମି ଦୂରରେ ଗଭୀର ଅବପାତ ରହିଛି। ସମ୍ଭାବ୍ୟ ବଡ଼ ବିପଦକୁ ଆଶଙ୍କା କରି ଓଡ଼ିଶାର ସମସ୍ତ ବନ୍ଦରଗୁଡିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଗତ ୬ ଘଣ୍ଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ୟ୍ୟନ୍ତ ବଢ଼ିପାରେ । ବାତ୍ୟା କେଉଁଠି ଛୁଇଁବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଆଜି ସଂଧ୍ୟାଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି।

ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।୪ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷିବ । ଏପରିକି ସେଠାରେ ୨୦୦ ମିମିରୁ ଅଧିକ ବର୍ଷିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଏଥିସହ ଏହି ୪ ଜିଲ୍ଲା ପାଇଁ‌ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯା‌ଜପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ଏବଂ ତାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ୨୨୫ଟି ଓଡ୍ରାଫ୍, ଏନଡିଆରଏଫ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍‌ଆରସି । ତେବେ ଏହି ବାତ୍ୟା ପ୍ରଭାବରେ ପକ୍କା ଘରର କିଛି ଅସୁବିଧା ହେବନାହିଁ । ତେଣୁ କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଆବଶ୍ୟକ ସ୍ଥଳେ ସମୁଦ୍ର କୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି କହିଛନ୍ତି ଏସ୍‌ଆରସି ।

ତାସହ କ୍ଷେତରେ ଅମଳକ୍ଷମ ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ଏସବୁ ଭିତରେ ପ୍ରସ୍ତୁତ ରଖାଯାଇଥିବା ବାତ୍ୟା ଆଶ୍ରୟସ୍ଥଳରେ କିଭଳି କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯିବ, ତା’ ଉପରେ ଫୋକସ ରଖାଯାଇଥିବା କହିଛନ୍ତି ଏସ୍‌ଆରସି । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ସେପଟେ ବାତ୍ୟାକୁ ନେଇ ଜନସାଧାରଣ ବ୍ୟତିବ୍ୟସ୍ତ ନ ହେବାକୁ ଅପିଲ୍ କରିଛନ୍ତି ଏସ୍‌ଆରସି । ପନିପରିବା କିଣାକିଣି ପାଇଁ ଅଯଥା ଗହଳି ନ କରିବାକୁ କୁହାଯାଇଛି । ବଜାରରେ କୌଣସି ସାମଗ୍ରୀର ଅଭାବ ନାହିଁ । ତେଣୁ ଅଯଥା ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି ।

Leave a comment