ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାତ୍ୟା ଜୱାଦର ପ୍ରଭାବ : ପଚିଗଲା ଏକର ଏକର ଜମିରେ ଫୁଲ କୋବି ଫସଲ

ଅନୁଗୁଳ : ବାତ୍ୟା ଜୱାଦ ଉଜାଡ଼ି ଦେଲା ଫୁଲ କୋବି ଫସଲ। ଏକର ଏକର ଜମିରେ ଫୁଲକୋବି ପଚି ସଢ଼ି ଗଲା। ଠିକ ଅମଳ ସମୟରେ ଲଗାଣ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବହୁ ଆଶା କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଋଣ କରି ବିହନ, ସାର, ଔଷଧ କିଣିଥିଲେ। ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଏବେ କେମିତି ଋଣ ପରିଶୋଧ କରିବେ ସେହି ଚିନ୍ତାରେ ପଡିଯାଇଛି ଚାଷୀ।

ଅନୁଗୁଳ ବ୍ଲକର ପୁରୁଣାଗଡ଼, ଜୋକୁବୁ, କୁଳେଇ ଆଦି ଗାଁ ଗୁଡିକରେ ଶହ ଶହ ଏକର ଜମିରେ ଫୁଲ କୋବି ଚାଷ ହୁଏ। ଏହି ସବୁ ଗାଁ ଗୁଡିକ କୋବି ଚାଷ ପାଇଁ ବେସ ଜଣାଶୁଣା। ଫୁଲ କୋବି ଚାଷ ଶତକଡା ୯୦ଭାଗ ଚାଷୀଙ୍କର ମୁଖ୍ୟ ଫସଲ। ବର୍ଷରେ ପ୍ରାୟ ୩ଥର କୋବି ଚାଷ କରାଯାଏ। କିନ୍ତୁ ଡିସେମ୍ବର ମାସରେ ଅଧିକ କୋବି ଅମଳ ହୁଏ। ଫଳରେ ଚାଷୀ ଭଲ ଦୁଇ ପଇସା ଲାଭ ପାଆନ୍ତି। କିନ୍ତୁ ଚଳିତ ବର୍ଷ ସବୁ କିଛି ଧୋଇ ଦେଲା ବର୍ଷା। ବାତ୍ୟା ଜୱାଦ ପ୍ରଭାବରେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଷ୍ଟ ହୋଇଗଲା ହଜାର ହଜାର କୋବି। ଆଉ ଅଳ୍ପ ଦିନ ପରେ ଚାଷୀ କୋବି କାଟି ବଜାରରେ ବିକ୍ରି କରି ଥାଆନ୍ତେ। ହେଲେ କାଟିବା ଆଗରୁ ସବୁ କୋବି ପଚି ଗଲା। ଆଉ ଯାହା ରହିଲା ସେଥିରେ ପୋକ ଲାଗିଗଲା। ତେଣୁ ସେହି କୋବି ଆଉ ଖାଇବା ଉପଯୋଗୀ ହୋଇ ନଥିବାରୁ ବିକ୍ରି ମଧ୍ୟ ହେବ ନାହିଁ। ଏଭଳି ପରିସ୍ଥିତିରେ ଚାଷୀଙ୍କ ଚିନ୍ତା ବଢି ଯାଇଛି।

ହଜାର ହଜାର ଟଙ୍କା ଖର୍ଚ୍ଚ କରି ନୟାନ୍ତ ହୋଇ ପଡିଛନ୍ତି ଚାଷୀ। ଅନୁଗୁଳ ଜିଲ୍ଲାର ଏହିସବୁ ଗାଁ ଗୁଡିକ ବ୍ୟତୀତ ଅନ୍ୟ କେଉଁଠି ଏତେ ପରିମାଣର ଫୁଲ କୋବି ଚାଷ ହୁଏ ନାହିଁ। ଏ ଅଞ୍ଚଳରେ ପ୍ରାୟ ୫୦୦ ଏକରରୁ ଅଧିକ ଜମିରେ କୋବି ଚାଷ ହୁଏ। ପ୍ରତ୍ୟକ ପରିବାର କେବଳ କୋବି ଚାଷରୁ ବାର୍ଷିକ ୧ଲକ୍ଷରୁ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଲାଭ ପାଆନ୍ତି। ଏଠାରୁ କୋବି ଅନୁଗୁଳ ଜିଲ୍ଲାର ବିଭିନ୍ନ ହାଟ ବଜାର ସମେତ କଟକ, ଭୁବନେଶ୍ୱର, ଆଠଗଡ଼ ଆଦି ଅଞ୍ଚଳକୁ ଯାଏ। ଶୀତ ଋତୁରେ କୋବି ଚାଷୀ ଭଲ ଲାଭ କରିବା ସହ ବର୍ଷ ସାରା ପାଇଁ ରୋଜଗାର କରି ପାରନ୍ତି। କିନ୍ତୁ ଚଳିତ ବର୍ଷ ବର୍ଷା ଯୋଗୁ କେହି ଜଣେ ବି ଚାଷୀ ଟଙ୍କା ଟିଏ ରୋଜଗାର କରି ପାରି ନାହାନ୍ତି। ଜମିରେ କୋବି ସବୁ ନଷ୍ଟ ହୋଇ ଗଲା। ଅନେକ ଚାଷୀ କୋବି ଗଛ ଉପାଡି ଫିଙ୍ଗି ଦେଉଛନ୍ତି। ଅନ୍ୟ କିଛି ଫସଲ ଲଗାଇବାକୁ ଜମି ପ୍ରସ୍ତୁତ କରୁଛନ୍ତି। ସେ ଅଞ୍ଚଳରେ ପରିସ୍ଥିତି ଏମତି ହୋଇଛିଯେ ଯୁଆଡେ ଗଲେ ପଚା ଗନ୍ଧରେ ନାକ ଫାଟି ଯାଉଛି। ତେଣୁ ବାତ୍ୟା ଜୱାଦ ଫୁଲକୋବି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଚଳିତ ଖରିଫ ଋତୁରେ ବର୍ଷା ଅଭାବରୁ ଧାନ ଫସଲ ହୋଇ ପାରି ନଥିଲା। ତେଣୁ ଚାଷୀ ଭାବିଥିଲେ କୋବି ଫସଲ ସେହି କ୍ଷତିକୁ ଭରଣା କରିବ। ହେଲେ ଏବେ ବର୍ଷା ଯୋଗୁଁ ତାହା ମଧ୍ୟ ଗଲା। ଏବେ ସରକାରୀ ସହାୟତକୁ ଅପେକ୍ଷା ବୋଲି କହିଛନ୍ତି ଭାଗିରଥିସାହୁ, ଦୀପକ କୁମାର ସାହୁ, ଦେବ ସାହୁ, ବିଷ୍ଣୁ ସାହୁ ଏବଂ ପୂର୍ଣଚନ୍ଦ୍ର ସାହୁଙ୍କ ସମେତ ଅନେକ କୋବି ଚାଷୀ।

Leave A Reply

Your email address will not be published.