ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୱାଦ ପ୍ରଭାବ : ଆଜି ସନ୍ଧ୍ୟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, କାଲିଠୁ ଭଲ ପାଗ!

ଭୁବନେଶ୍ବର :ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’ । ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇ ସାରିଥିବା ଜୱାଦ ଆଉ କିଛି ସମୟ ପରେ ଅବପାତରେ ପରିଣତ ହେବ । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏହା ଦକ୍ଷିଣ-ଦକ୍ଷିଣପୂର୍ବରେ ଗୋପାଳପୁର ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୮୦ କିଲୋମିଟର ଓ ପାରାଦୀପ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ।ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବକୁ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଆଜି ମଧ୍ୟାହ୍ନରେ ଅବପାତ ରୂପରେ ପୁରୀ ଉପକୂଳରେ ପହଞ୍ଚିବ । ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଯାଇ ପରବର୍ତ୍ତୀ ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।


ବାତ୍ୟା ‘ଜୱାଦ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋହଲା ପବନ ସାଙ୍ଗକୁ ଲଗାଣ ବର୍ଷା ଚାଲିଛି।ଖାସକରି ଗଞ୍ଜାମରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଗଞ୍ଜାମରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ହୋଇଛି । ଏବେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିଛି । ରାଜ୍ୟରେ ଆଜି ସନ୍ଧ୍ୟା ଯାଏଁ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥି ସହିତ ଅବପାତରେ ପରିଣତ ହେବା ପରେ ଜୱାଦ ପଶ୍ଚିମବଙ୍ଗ ମୁହାଁ ହେବ । ଆଉ ଏହି ସମୟରେ ଉତ୍ତର ଓଡ଼ିଶାରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ । ଜୱାଦର ପ୍ରଭାବ ଏବେ ଧୀରେ ଧୀରେ ଦକ୍ଷିଣ ଓଡ଼ିଶାରୁ କମି ଆସିବା ସହ ଉପକୂଳରେ ପ୍ରଭାବ ପକାଇବା ଆରମ୍ଭ କରିଛି । ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି । ସବୁଠୁ ବଡ କଥା ହେଲା ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ବେଳେ କାଲି ଠାରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ।


ବର୍ଷାକୁ ଲକ୍ଷ୍ୟ କରି ଆଜି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।


ସେହିପରି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଂଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଓଡ଼ିଶା ଉପକୂଳରେ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ଅତିବେଶୀରେ ପବନର ବେଗ ଘଂଟା ପ୍ରତି ୬୫ କିଲୋମିଟର ରହିପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ୬୦, ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ଭୁବନେଶ୍ବରରେ ୨୪ ଏବଂ ପୁରୀରେ ୨୧ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Leave A Reply

Your email address will not be published.