କ୍ରୁଜ୍ ଡ୍ରଗ୍ସ ଲିଙ୍କ୍ ମାମଲା : ୨ ଓଡିଆଙ୍କୁ ଗିରଫ କଲା ଏନ୍ସିବି, ପାଖରୁ ମିଳିଲା ଗଂଜେଇ

ମୁମ୍ବଇ : ମୁମ୍ବାଇ ରେଭ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲା । ୨ ଓଡ଼ିଆଙ୍କୁ ଗିରଫ କଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)। କ୍ରୁଜ୍ରେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନ ସମେତ ତାର ବନ୍ଧୁଙ୍କୁ ଗିରଫ କରିବା ପରେ ଏନସିବି ଖୋଳତାଡ୍ କରିବା ସହ ଘଟଣା ସହ ଜଡିତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିବାରେ ଲାଗିଛି। ଆଜି ୨ ଓଡ଼ିଆଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ଏନସିବି । ମାମଲାରେ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇଛନ୍ତି । ଆଜି ଗିରଫ ୪ ଜଣ ରେଭ୍ ପାର୍ଟି ଚାଲିଥିବା ବେଳେ କ୍ରୁଜରେ ମହଜୁଦ୍ ଥିବା ଜଣାପଡ଼ିଛି ।
ଡ୍ରଗ୍ସପାର୍ଟି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଥିବା ୨ ଓଡିଆ ହେଉଛନ୍ତି ମନୀଷ ରାଜଗରିଆ ଏବଂ ଅଭିନ ଦିନାନାଥ ସାହୁ। ମନୀଷଙ୍କ ଘର ରାଉରକେଲା ଏବଂ ଅଭିନଙ୍କ ଘର ରଘୁନାଥପାଲୀ ହୋଇଥିବା ଜଣାପଡିଛି। ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ଜବତ ହୋଇଥିବା ବେଳେ ଅଭିନ କ୍ରୁଜ୍ରେ ୨ଥର ଗଂଜେଇ ଟାଣିଥିବା ମାନିଛନ୍ତି ବୋଲି କୋର୍ଟକୁ ଜଣାଇଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)। ଆଜି ସକାଳେ ଏନସିବି ଅବ୍ଦୁଲ କ୍ୱାଦିର ଶେଖ୍, ଶ୍ରେୟସ ନାଏର, ମନୀଷ ରାଜଗରିଆ ଓ ଅଭିନ ସାହୁଙ୍କୁ ଏନସିବି ଗିରଫ କରିଥିଲା । ସେମାନଙ୍କୁ ମୁମ୍ବାଇ ଏସପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିବା ବେଳେ ଅକ୍ଟୋବର ୧୧ ଯାଏଁ ସେମାନଙ୍କୁ ଏନସିବି କଷ୍ଟଡିକୁ ପଠାଯାଇଛି। ପୂର୍ବରୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ, ଅରବାଜ ମର୍ଚେଣ୍ଟ ଏବଂ ମୁନ୍ମୁନ୍ ଧମାଚେକୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି ଏନ୍ସିବି।