ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଦୀ ପାର ପାଇଁ ଗଛ ଭରସା

ପାରଳାଖେମୁଣ୍ଡି : ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଆଜି ବି ଲୋକେ ଗଛକୁ ପୋଲ ଭାବେ ବ୍ୟବହାର କରି ଯାତାୟାତ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଘୁଝୁଳି ପଞ୍ଚାୟତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ପଞ୍ଚାୟତର ବେତେଗଣ୍ଡା ଗ୍ରାମ ଆହୁରି ଦୁର୍ଗମ ଇଲାକାରେ ରହିଛି। ଏହି ସବୁ ଗ୍ରାମ ମୌଳିକ ସୁବିଧାରେ ଏବେ ବି ଅପହଞ୍ଚ ରହିଛି। ଯେଉଁଠି କି ପ୍ରଶାସନିକ ଅଧିକାରୀ ବା ରାଜନେତାଙ୍କ ପାଦ ପଡେନି କେବେ। ଗ୍ରାମବାସୀ ଭଲ ରାସ୍ତାଟିଏ ପାଇଁ ନେହୁରା ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି।

ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଧାୟକ ସାଂସଦ, ପ୍ରଶାସନ ପ୍ରଭୃତିଙ୍କୁ ବାରମ୍ବାର ଲେଖି ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ବେତେଗଣ୍ଡା ଗ୍ରାମବାସୀ। ଅଧିକାଂଶ ଗାଁକୁ ଏବେବି ଭଲ ରାସ୍ତା ଖଣ୍ଡିଏ ନାହିଁ । ଏହି ବ୍ଳକ ଦେଇ ପ୍ରବାହିତ ହରଭଙ୍ଗୀ ନଦୀ ରାୟଗଡ଼ା ଜିଲ୍ଲାରେ ବଂଶଧାରାରେ ମିଶିଛି। ତେବେ ବେତେଗଣ୍ଡା ଗ୍ରାମ ପାଇଁ ବିକାଶରେ ପ୍ରତିବନ୍ଧକ ସାଜିଛି ହରଭଙ୍ଗୀ ନଦୀ। ନଦୀରେ ପୋଲ ନ ଥିବାରୁ ଗ୍ରାମବାସୀ ଗଛ ଡାଳରେ ବିପଦସଂକୁଳ ଭାବେ ପାରି ହେଉଛନ୍ତି
ଯାହାଫଳରେ ଘୁଝୁଳି ପଞ୍ଚାୟତର ବେତେଗଣ୍ଡାର ୪୦ପରିବାର , ପଣସଡିଅରେ ୩୦ ପରିବାର ବାମପଦାରେ ୩୦ ପରିବାର ଏପରି ୧୦୦ରୁ ଊର୍ଦ୍ଧ୍ବ ପରିବାର ଗମନାଗମନରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗର୍ଭବତୀଙ୍କୁ ଡାକ୍ତରଖାନା ନେବା କିମ୍ବା ବୃଦ୍ଧବୃଦ୍ଧା ଉତ୍ତା ବା ଅନ୍ୟ କୌଣସି କାର୍ଯ୍ୟରେ ଯିବାଆସିବା କରିବ। ଏହି ଗଛ ପୋଲରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ତୁରନ୍ତ ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ନ ଦିଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ୩ ଖଣ୍ଡ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏନେଇ ପୁଙ୍ଖଳି ପଞ୍ଚାୟତର ସରପଞ୍ଚ ସୁବାସିନୀ ମାଝୀ, ସମିତିସଭ୍ୟ ଲତା ମାଝୀ, ରିନା ମାଝୀ, ପ୍ରଶାନ୍ତ ମାଝୀ, ଦାନିଏଲ ମାଝୀ, ନିଶା ମାଝୀ ପ୍ରମୁଖ ପ୍ରଶାସନକୁ ଜଣାଇବା ସହ ଆଗାମୀ ଦିନରେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.