ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ୟ ରାଜ୍ୟରେ ଅପରାଧ ଘଟାଇ ଭୁବନେଶ୍ୱରରେ ଆତ୍ମଗୋପନ କରୁଛନ୍ତି ଅପରାଧୀ

ଭୁବନେଶ୍ୱର: ବାହାର ରାଜ୍ୟର ଅପରାଧୀମାନେ ଏବେ ଭୁବନେଶ୍ୱରକୁ ସୁରକ୍ଷିତ ଅଞ୍ଚଳ ଭାବେ ବାଛି ନେଇଛନ୍ତି। ଅନ୍ୟ ରାଜ୍ୟରେ ଅପରାଧ ଘଟାଇ ଭୁବନେଶ୍ୱରରେ ଆତ୍ମଗୋପନ କରୁଛନ୍ତି ଅପରାଧୀ। ସହରରେ ଡେରା ପକାଇବା ସହ ସେମାନେ ପରିଚୟକୁ ଗୋପନ ରଖି ହୋଟେଲ୍‍ ଓ ବସ୍ତିରେ ରହୁଛନ୍ତି। ଆଉ ଚଳିବା ଲାଗି କିଏ ଫେରିବାଲା ପାଲଟିଗଲାଣି ତ ଆଉ କିଏ ଦୋକାନରେ ସେଲ୍ସମ୍ୟାନ୍‍ ଭାବେ ରହୁଛନ୍ତି। ଅନ୍ୟ ରାଜ୍ୟରେ ହତ୍ୟା, ଡକାୟତି, ଲୁଟ୍‍ପାଟ୍‍ ଓ ଠକେଇ ଭଳି ମାମଲାରେ ସମ୍ପୃକ୍ତ ରହୁଛନ୍ତି। ଆଉ ସେଠାକାର ପୁଲିସ ଭୁବନେଶ୍ୱରରେ ଆତ୍ମଗୋପନ କରିଥିବା ଅପରାଧୀଙ୍କୁ ଉଠାଇ ନେବା ପରେ ସତ୍ୟ ପଦାକୁ ଆସୁଛି। ସେପଟେ କିଛି ଘଟଣାରେ ଅନ୍ୟ ରାଜ୍ୟର ପୁଲିସ ଉଠାଇ ନେଇଥିବା ବେଳେ ଅଧିକାଂଶ ମାମଲାରେ ବିଭିନ୍ନ ରାଜ୍ୟ ପୁଲିସ ଏକାଧିକ ଦିନ ଡେରା ପକାଇ ଫେରିଯାଉଛି। ଅପରାଧୀଙ୍କୁ ବିନା ତଥ୍ୟ ପ୍ରମାଣରେ ଘର ଦେଉଥିବା ମାଲିକଙ୍କୁ ଏଥିଲାଗି ଦାୟୀ କରାଯାଇପାରେ। ଅପରପକ୍ଷେ କମିସନରେଟ୍‍ ପୁଲିସ ପକ୍ଷରୁ ଭଡ଼ାଟିଆଙ୍କ ତଥ୍ୟ ଦେବାକୁ ବାରମ୍ବାର ଘର ମାଲିକଙ୍କୁ ତାଗିଦା କରାଯିବା ସତ୍ତ୍ବେ ସେମାନେ ଏହି ନିୟମ ପାଳନ କରୁନାହାନ୍ତି। ସେଭଳି ହୋଟେଲଗୁଡ଼ିକୁ ମଧ୍ୟ ସରେଇ ଆପ୍‍ ଜରିଆରେ ପ୍ରତିଦିନ ତଥ୍ୟ ଦେବାକୁ କୁହାଯାଇଛି। ସେହିପରି ବସ୍ତିଗୁଡ଼ିକରେ ଭଡ଼ା ବାବଦରେ କିଛି ଅଧିକ ଟଙ୍କା ଦେଇଦେଲେ ଘର ମାଲିକ ଆଉ ପରିଚୟ ବୁଝୁନାହାନ୍ତି କିମ୍ବା କାଗଜପତ୍ର ଯାଞ୍ଚ କରୁ ନ ଥିବା ଅଭିଯୋଗ ହୋଇଛି।

ଭୁବନେଶ୍ୱରରେ ଲୁଚିଥିବା ଅନ୍ୟ ରାଜ୍ୟର ଅପରାଧୀଙ୍କ ସମ୍ପର୍କରେ…

  • ରାଜସ୍ଥାନରେ ଯୌତୁକ ନିର୍ଯାତନା ମାମଲାରେ ଫସି ଆସି ଧଉଳି ଥାନା ଗଙ୍ଗୋତ୍ରୀ ବିହାରରେ ଆତ୍ମଗୋପନ କରିଥିଲେ ବାପପୁଅ। ସେମାନେ ରାଜସ୍ଥାନରୁ ଲୁଚି ଭୁବନେଶ୍ୱରକୁ ପଳାଇ ଆସିଥିଲେ। ୨୦୨୧ରେ ମହିଳା ଜଣକ ଯୌତୁକ ନିର୍ଯାତନା ମାମଲା ରାଜସ୍ଥାନର ନର୍ଥ ମହିଳା ଥାନାରେ ଅଭିଯୋଗ କରିଥିଲେ। ଉଭୟ ବାପପୁଅ ଏଠାରେ ଆତ୍ମଗୋପନ କରିଥିବା ବେଳେ ଧଉଳି ଥାନା ପୁଲିସ ସହାୟତାରେ ସେମାନଙ୍କୁ ଉଠାଇ ନେଇଛି ରାଜସ୍ଥାନ ପୁଲିସ।
  • ବ୍ୟବସାୟୀଙ୍କୁ ୧୮ ଲକ୍ଷର ଚୂନ ଲଗାଇ ଭୁବନେଶ୍ୱରରେ ଲୁଚିଥିବା ଅଭିଯୁକ୍ତକୁ ନିକଟରେ ଉଠାଇ ନେଇଛି ଛତିଶଗଡ଼ ପୁଲିସ। ପୁରୀ ଜିଲ୍ଲା କାକଟପୁରର ସମ୍ବିତ କୁମାର ଖଟେଇ ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କୁ ୧୮ ଲକ୍ଷ ଟଙ୍କାର ଚୂନ ଲଗାଇ ଭୁବନେଶ୍ୱର ପଳାଇ ଆସିଥିଲେ। ସେ ସହିଦ ନଗର ଥାନା ଭୋଇନଗରରେ ଆତ୍ମଗୋପନ କରିଥିଲେ। ଛତିଶଗଡ଼ର ଅଟୋପାରାଗ୍ରାମିନ୍‍ ଥାନା ପୁଲିସ ସମ୍ବିତକୁ ଭୋଇନଗରରୁ ଗିରଫ କରିଛି।
  • ଅନ୍‍ଲାଇନ୍‍ରେ କ୍ୟାମେରା ଦେବାର ବିଜ୍ଞାପନ ଦେଇ ଟଙ୍କା ଚଳୁ କରିଥିବା ଜଣେ ଠକକୁ ଭୁବନେଶ୍ୱରରୁ ଉଠାଇ ନେଇଛି ମଧ୍ୟପ୍ରଦେଶ ପୁଲିସ। ଖାରବେଳ ନଗର ଥାନା ଅଞ୍ଚଳରେ ରହୁଥିବା ଚକ୍ରଧର ସାହୁ ଅନ୍‍ଲାଇନ୍‍ରେ କ୍ୟାମେରା ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇ ଟଙ୍କା ଆଣୁଥିଲା। କ୍ୟାମେରା ଦେବା ବଦଳରେ ପଥର ପଠାଇ ଦେଉଥିଲା। ଏଭଳିଭାବେ ମଧ୍ୟପ୍ରଦେଶର ଜଣେ ଯୁବକକୁ ଠକେଇ କରି ଭୁବନେଶ୍ୱରରେ ଲୁଚିଥିଲା। ପୁଲିସ ଫୋନ୍‍ ଟ୍ରାକିଂ କରି ଚକ୍ରଧରକୁ ଭୁବନେଶ୍ୱରରୁ ଉଠାଇ ନେଇଛି ମଧ୍ୟପ୍ରଦେଶ ପୁଲିସ।
  • ରେଳବାଇରେ ଚାକିରି ଦେବାକୁ କହି ଡାମନ-ଡିୟୁର ଜଣେ ମହିଳାଙ୍କଠାରୁ ୯ଲକ୍ଷ ଚଳୁକରି ଦିବ୍ୟଲୋଚନ ଚନ୍ଦୀ ରାଜଧାନୀକୁ ପଳାଇ ଆସିଥିଲା। ତେବେ ଡାମନ-ଡିୟୁ ପୁଲିସ ଭରତପୁର ଥାନା ଅଞ୍ଚଳରୁ ଅଭିଯୁକ୍ତ ଦିବ୍ୟଲୋଚନକୁ ଉଠାଇ ନେଇଥିଲା।
  • କୋଲକାତାର ଦୁର୍ଦ୍ଦାନ୍ତ ଡକାୟତ ବାବୁଜାନ୍‍ ଖାନ୍‍ ଭୁବନେଶ୍ୱରରେ ଆତ୍ମଗୋପନ କରିଥିଲା। ଏଠାରେ ବନ୍ଧୁକ ମୁନରେ ଲୁଟ୍‍ପାଟ୍‍ କରିବା ଲାଗି ଯୋଜନା କରୁଥିବା ବେଳେ ଭରତପୁର ଥାନା ପୁଲିସକୁ କୋଲକାତା ପୁଲିସ ଜଣାଇଥିଲା। ପୁଲିସ ତାକୁ ଗିରଫ କରିବା ସହ ତା’ଠାରୁ ଦୁଇଟି ବନ୍ଧୁକ ଜବତ କରିଛି।
  • ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ହୀରା ଓ ସୁନା ଅଳଙ୍କାର ଚୋରି କରି ଜଣେ ଘରୋଇ ପରିଚାରିକା ଭୁବନେଶ୍ୱର ପଳାଇ ଆସିଥିଲା। ତେବେ କ୍ୟାପିଟାଲ୍‍ ଥାନା ପୁଲିସ ମାଷ୍ଟରକ୍ୟାଣ୍ଟିନ୍‍ର ଏକ ହୋଟେଲ୍‍ରୁ ଘରୋଇ ପରିଚାରିକା ସୁଜାତା ମହାପାତ୍ରକୁ ଗିରଫ କରିବା ସହ ତା’ଠାରୁ ହୀରାଗହଣା ଜବତ କରିଥିଲା।
  • ହାଇଦରାବାଦର ଦୁଇ ଜଣ ବ୍ୟକ୍ତିଙ୍କୁ ସୁନା ଋଣ ଦେବା ଆଳରେ ୨ଜଣ ବ୍ୟକ୍ତିଙ୍କଠାରୁ ୩୦ଲକ୍ଷ ଟଙ୍କା ଠକି ଆଣିଥିଲେ ୫ ଯୁବକ। ଏହାପରେ ସେମାନେ ଭରତପୁର ଥାନା ଅଞ୍ଚଳରେ ଆତ୍ମଗୋପନ କରିଥିଲେ। ହାଇଦରାବାଦ ପୁଲିସ ଓ ଭରତପୁର ଥାନା ପୁଲିସ ସହାୟତାରେ ୫ଜଣଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇଥିଲା।
  • ମୁମ୍ବାଇର କିଛି ଯୁବକଙ୍କ ସହ ଅଶ୍ଳୀଳ ଚାର୍ଟିଂ କରିବା ସହ ଉକ୍ତ ଚାର୍ଟିଂକୁ ଦେଖାଇ ବ୍ଲାକ୍‍ମେଲିଂ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା। ଏହି ଅଭିଯୋଗରେ ମୁମ୍ବାଇ ପୁଲିସ ଭରତପୁର ଥାନା ଅଞ୍ଚଳରୁ ଉକ୍ତ ଯୁବକକୁ ଉଠାଇ ନେଇଥିଲା।
  • କୋଲକାତାର ଜଣେ ବ୍ୟକ୍ତି ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକରି ରାଜଧାନୀକୁ ପଳାଇ ଆସିଥିଲା। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ବସ୍ତିରେ ଆତ୍ମଗୋପନ କରିଥିଲା। କୋଲକାତା ପୁଲିସ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁଲିସ ସହାୟତାରେ ଯୁବକକୁ ଉଠାଇ ନେଇଥିଲା।
Leave A Reply

Your email address will not be published.