ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀପାବଳି ପୂର୍ବରୁ କରୋନା ଭୟ : ନୂଆ ଭାରିଏଣ୍ଟକୁ ନେଇ କେନ୍ଦ୍ରର ସତର୍କତା

ନୂଆଦିଲ୍ଲୀ : ଏବେ ଦେଶରେ କରୋନା ମହାମାରୀ ପ୍ରଭାବ ଆପାତତଃ ହ୍ରାସ ପାଇଥିଲେ ହେଁ ନିକଟରେ ମିଳିଥିବା କରୋନା ଭୂତାଣୁର ନୂଆ ସବ୍‌ଭାରିଏଣ୍ଟ ( ବିଏଫ.୭)କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସତର୍କତା ଜାରି କରିଛି। ଓମିକ୍ରନର ଏହି ସବ୍‌ଭାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଇନସାକଗ୍, ଡିବିଟି ଏବଂ ଏନଟିଏଜିଆଇର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବିଶେଷକରି ଆଗକୁ ଦୀପାବଳି ଆସୁଥିବାରୁ ଏହି ନୂଆ ସବ୍‌ଭାରିଏଣ୍ଟକୁ ନଜରରେ ରଖି ଆଗୁଆ ପଦକ୍ଷେପ ନେବା ସମ୍ପର୍କରେ ଏଥିରେ ଆଲୋଚନା କରାଯିବା ସହିତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ , ବିଶ୍ବର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ଚୀନର ବିଭିନ୍ନ ପ୍ରଦେଶରେ ସଂକ୍ରମଣ ବଢୁଥିବା ଦେଖାଯାଉଛି। ଏହି ସଂକ୍ରମଣ ପଛରେ ଓମିକ୍ରନର ସବ୍‌ଭାରିଏଣ୍ଟ ବିଏଫ.୭ ରହିଥିବା କୁହାଯାଉଛି। କିନ୍ତୁ ନିକଟରେ ଭାରତରେ ଏହି ମାମଲା ଠାବ କରାଯାଇଥିବାରୁ ଦୀପାବଳି ଏବଂ ଅନ୍ୟାନ୍ୟ ପାର୍ବଣ ବେଳେ ପୁଣି ସଂକ୍ରମଣ ବଢିବା ଆଶଙ୍କାକୁ ଏଡାଇ ଦିଆଯାଇ ପାରୁନି। ଏହି ଆଶଙ୍କାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।

Leave A Reply

Your email address will not be published.