ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଭ୍‌-ସେକ୍ସ ପରେ କୋର୍ଟ ବିବାହ, ଶେଷରେ ପ୍ରତ୍ୟାଖାନ : ବୋହୁ ବେଶରେ ଶ୍ୱଶୁର ଘର ପିଣ୍ଡାରେ ବସିଲେ ପତ୍ନୀ

ବ୍ରହ୍ମପୁର : ଶଙ୍ଖ ବାଜିଲା, ବରଯାତ୍ରୀ ବଦଳରେ କନ୍ୟା ନିଜେ ବୋହୁ ବେଶରେ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘରକୁ ଗାଡ଼ିରେ ଆସିଲେ । ଅଳଙ୍କାର ଏବଂ ବିବାହ ସମୟରେ ପିନ୍ଧାଯିବା ଶାଢ଼ୀ ପିନ୍ଧି ଗାଡ଼ିରୁ ଓହ୍ଲାଇଲେ । ଘର ସମ୍ମୁଖରେ ବସି ଶ୍ୱଶୁର ଘର ଲୋକଙ୍କୁ ଡାକିଲେ । କେହି ନ ଶୁଣିବା ପରେ ଜଣାପଡ଼ିଲା ପୁରା ଘଟଣା । ବୋହୁ ଜଣକ କ’ଣ ପାଇଁ ଏପରି ଆସିଛନ୍ତି ପଚାରିବାରୁ ସେ ସମସ୍ତ କଥା କହିଥିଲେ । ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଆରମ୍ଭ ହେଲା ଶାରିରୀକ ସମ୍ପର୍କ । କିଛିଦିନ ପରେ ଉଭୟଙ୍କ କୋର୍ଟରେ ବିବାହ କଲେ । ଶେଷରେ ପତ୍ନୀଙ୍କୁ ଗ୍ରହଣ କରିବାକୁ ନାରାଜ ହେଲେ ଡାକ୍ତର ସ୍ୱାମୀ ସୁମିତ ସାହୁ । ଏ ନେଇ ଯୁବତୀ ଜଣକ ଡାକ୍ତର ସ୍ୱାମୀ ଓ ଶ୍ୱଶୁରଙ୍କ ନାମରେ ଏତଲା ଦେଲେ । ପରେ ଶ୍ୱଶୁର ଘର ଲୋକ ମାମଲାକୁ ଆଗକୁ ନ ବଢ଼ାଇବାକୁ କହି ନଭେମ୍ବର ୨୨ ତାରିଖରେ ବିବାହ ତାରିଖ ମଧ୍ୟ ଚୁଡ଼ାନ୍ତ କରିଥିଲେ । ହେଲେ ବିବାହ ତାରିଖ ପୂର୍ବରୁ ଡାକ୍ତର ସ୍ୱାମୀଙ୍କ ଘର ଲୋକ ଧରାଛୁଆଁ ଦେଲେନି । ତେଣୁ ବାଧ୍ୟହୋଇ ବୋହୁ ତପସ୍ୱିନୀ ଦାଶ ସୋମବାର ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ପ୍ରମୋଦ ସାହୁଙ୍କ ଘର ସମ୍ମୁଖରେ ବସି ଧାରଣା ଦେଇଥିଲେ । ସାଥୀରେ ସମାଜ ସେବୀ ପ୍ରମିଳା ତ୍ରିପାଠୀଙ୍କୁ ମଧ୍ୟ ଆଣିଥିଲେ । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି ବୋଲି ଯୁବତୀ ଜଣକ ପୁଲିସ ନିକଟରେ କହିଥିଲେ । ଖବର ଲେଖା ହେଲା ପର୍ଯ୍ୟନ୍ତ ଯୁବତୀ ଜଣକ ଶ୍ୱଶୁର ଘର ସମ୍ମୁଖରେ ବସି ରହିଥିବା ଜଣାପଡ଼ିଛି ।

ଯୁବତୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ତପସ୍ୱିନୀ ଦାଶଙ୍କ ଘର ଛତ୍ରପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଝିଅ । କୌଣସି ପ୍ରକାରେ ତପସ୍ୱିନୀ ଏବଂ ଡାକ୍ତର ସୁମିତ ସାହୁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ପରେ ଏହି ବନ୍ଧୁତା ନିବିଡ଼ ହୋଇଥିଲା । ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା । ଏହାକୁ ତପସ୍ୱିନୀ ବିରୋଧ କରିବାରୁ ଡାକ୍ତର ସୁମିତ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଉଭୟେ ଆଙ୍କୁଲିରେ ଏକ ଘର ଭଡ଼ାନେଇ ସେଠାରେ ରହୁଥିଲେ । ପରେ ପୁରୀ ଯାଇ ସେଠାରେ ବିଭିନ୍ନ ସ୍ଥାନ ବୁଲାବୁଲି କରିବା ପରେ ଉଭୟେ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇଥିଲେ । ପରେ ଉଭୟଙ୍କ ୨୦୨୦ ସେପ୍ଟମ୍ବର ୭ତାରିଖରେ ଖୋର୍ଦ୍ଧା ମେରେଜ୍‌ କୋର୍ଟରେ ଆଇନ ଗତ ଭାବେ ବିବାହ କରିଥିଲେ । ଏହା ସୁଜିତ୍‌ଙ୍କ ପରିବାର ଲୋକ ଜାଣିନଥିଲେ । ଏହା ଜାଣିବା ପରେ ଉଭୟ ପରିବାର ଲୋକଙ୍କ ମଧ୍ୟସ୍ଥିରେ ବୋହୁ ଏବଂ ଡାକ୍ତରଙ୍କୁ ଶ୍ୱଶୁର ଘର ଲୋକ ନିଜ ଘରକୁ ନେଇଥିଲେ । ସେଠାରେ ରହିବା ପରେ ବୋହୁଙ୍କୁ ଶାରିରୀକ ନିର୍ଯାତନା ଦେବା ଆରମ୍ଭ ହୋଇଥିଲା । ତାଙ୍କୁ ଗୁଣି ଗାରେଡ଼ି କରି ମାରିବା ପାଇଁ ମଧ୍ୟ ଯୋଜନା କରାଯାଉଥିଲା । ଏ ନେଇ ତପସ୍ୱିନୀ ଘରୁ ବାହାରି ଥାନାରେ ଜଣାଇଥିଲେ ।

ଘଟଣା ବାହାରେ ପ୍ରଘଟ ହେବ, ସେ ଭୟରେ ଉଭୟ ପରିବାର ଲୋକ ପୁଣି କଥାବାର୍ତ୍ତା ହୋଇ ନଭେମ୍ବର ୨୨ତାରିଖ ଅର୍ଥାତ୍‌ ସୋମବାର ବିବାହ କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ । ଗତକାଲି ବିବାହ ଏବଂ ବରଯାତ୍ରୀ ବିଷୟ ପଚାରିବା ପାଇଁ ଝିଅ ଘର ଲୋକ ଚାହୁଁଥିବା ବେଳେ ଡାକ୍ତରଙ୍କ ପରିବାର ଲୋକ ଫୋନ୍‌ ଉଠାଇ ନଥିଲେ । ତେଣୁ ଆଜି ବାଧ୍ୟ ହୋଇ ତପସ୍ୱିନୀ ବାଧ୍ୟ ହୋଇ ବୋହୂ ବେଶରେ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଡାକ୍ତରଙ୍କ ଘର ଆଗରେ ଧାରଣା ଦେଇଥିଲେ । ଖବର ପାଇ ମହିଳା ଥାନା ଏବଂ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତପସ୍ୱିନୀଙ୍କୁ ବୁଝାସୁଝା କରିଥିଲେ । ହେଲେ ସେ କୌଣସି କଥା ଶୁଣିନଥିଲେ ।

ସୂଚନାଯୋଗ୍ୟ, ଇତି ମଧ୍ୟରେ ଡାକ୍ତର ସୁମିତ ସ୍ଥାନୀୟ ପରିବାର ଅଦାଲତରେ ବିବାହ ବିଚ୍ଛେଦ ଆବେଦନ କରିଛନ୍ତି । ଏ ନେଇ ନୋଟିସ୍‌ ତାଙ୍କ ପତ୍ନୀଙ୍କ ନିକଟରେ ମଧ୍ୟ ପହଞ୍ଚିଛି । ଏହାର ବିଚାରଣା ତାରିଖ ଡିସେମ୍ବର ୧ ତାରିଖରେ ଥିବା ବେଳେ ଏଥିପାଇଁ ତପସ୍ୱିନୀ ପ୍ରସ୍ତୁତ ରହିଥିବା କହିଛନ୍ତି । ହେଲେ ସେ ଡାକ୍ତରଙ୍କ ଠାରୁ କୌଣସି ମତେ ବିବାହ ବିଚ୍ଛେଦ କରିବେ ନାହିଁ । ବରଂ ସେ ତାଙ୍କ ଘରେ ବୋହୁ ଭାବେ ରହିବେ ବୋଲି କହିଛନ୍ତି । ଏଥିରେ ଯଦି ତାଙ୍କୁ ନ୍ୟାୟ ନ ମିଳେ, ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସୁଜିତ ବର୍ତ୍ତମାନ ଆସ୍କା ନିକଟସ୍ଥ ବାଲିସିରା ଗ୍ରାମ ସିଏଚ୍‌ସିରେ ସରକାରୀ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.